ସଫଳ କାହାଣୀ, ଜୀବିକା ଯୋଗାଇଛି ଗେଣ୍ଡୁଫୁଲ ଚାଷ, ଆଉ ଯିବାକୁ ପଡ଼ୁନି କଲିକତା...

Advertisment
ସଫଳ କାହାଣୀ, ଜୀବିକା ଯୋଗାଇଛି ଗେଣ୍ଡୁଫୁଲ ଚାଷ, ଆଉ ଯିବାକୁ ପଡ଼ୁନି କଲିକତା...

Sambad

ରାଜକନିକା: ଚାଷ ପ୍ରତି ବିମୁଖ ହୋଇ ଯୁବପିଢ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇ ଯାଉଥିବା ବେଳେ ରାଜକନିକା ବ୍ଲକ୍‌ ବରୁଣାଡିହା ପଞ୍ଚାୟତ ବରୁଣାଡିହା ଗାଁର ବାବା କାର୍ତ୍ତିକେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୨ ଜଣ ମହିଳା ଗେଣ୍ଡୁଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ପରିବାର ପେଟରେ ଆହାର ଯୋଗାଇବା ସହ ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରୁଛନ୍ତି। ପୂଜାପର୍ବାଣି, ଉତ୍ସବ, ବଡ଼ ସମାରୋହ ବେଳେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବସ୍‌ରେ କଲିକତା ଯାଇ ଫୁଲ ଆଣିବାକୁ ପଡ଼ୁଥିଲା। ଏବେ ସେମାନଙ୍କୁ ହାତ ପାହାନ୍ତାରେ ବସ୍ତାବସ୍ତା ଗେଣ୍ଡୁଫୁଲ ମିଳିଯାଉଛି। ଏ ବର୍ଷ ପ୍ରଥମ କରି ୨ ଏକର ଜମିରେ ୩ ମାସ ତଳେ ଉଦ୍ୟାନ କୃଷି ବିଭାଗ ଓ ମିସନ ଶକ୍ତିର ମିଳିତ ସହଯୋଗରେ ମହିଳାମାନଙ୍କୁ ମାଗଣାରେ ୨୦ ହଜାର ଗେଣ୍ଡୁ ଚାରା ଯୋଗାଇ ଦିଆଯାଇଛି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଏହି ମହିଳାମାନଙ୍କୁ ତାଲିମ ବି ଦିଆ ଯାଇଛି। ସେମାନେ ୨ ଏକର ଜମିରେ ଏହି ଗେଣ୍ଡୁଫୁଲ ଚାଷ କରିଛନ୍ତି। ଜମିରେ ବାଡ଼ ବୁଜିବା ସହ ମଟର ଲଗାଇ ଗଛରେ ପାଣି ଦେଉଛନ୍ତି। ମହିଳାମାନେ ଏହି ଚାଷ ପାଇଁ ଦିନକୁ ପ୍ରାୟ ୩ ଘଣ୍ଟା ସମୟ ଦେଉଛନ୍ତି। ପାଣି ଦେବା ସହ ଘାସ ବାଛି କରିଥାନ୍ତି।

ଚାଷ ପାଇଁ ୧୦ହଜାର ଟଙ୍କା ବିନିଯୋଗ କରିଛନ୍ତି। ଏବେ ୨ ଏକର ଜମିରେ ଗେଣ୍ଡୁ ଫୁଲ ଦେଖିବା ଲାଗି ଲୋକମାନଙ୍କ ଭିଡ଼ ଜମୁଛି l ଲୋକେ ଫୁଲ କିଣିବାକୁ ଭିଡ଼ ଜମାଉଛନ୍ତି। ଆଗକୁ ସେମାନେ ରାଜକନିକା, ଓଳାଭର ବଜାରରେ ଫୁଲ ବିକ୍ରି କରିବାକୁ ଯୋଜନା ରଖିଥିବା ସଭାପତି ମୋନାଲିସା ସେନାପତି, ସମ୍ପାଦିକା ଦ୍ରୌପତି ଦାସ, କଳ୍ପଲତା ସେନାପତି, ସରସ୍ୱତୀ ଦାସ, ଶ୍ରଦ୍ଧାଞ୍ଜଳି ସେନାପତି, କ୍ରାନ୍ତିପ୍ରଭା ସେନାପତି, ପାର୍ବତୀ ମହାନ୍ତି, ମଞ୍ଜୁଲତା ସାହୁ, ସସ୍ମିତା ସାହୁ, ବର୍ଷାରାଣୀ ବେହେରା, ପ୍ରଭାତୀ କର ଓ ସଂଯୁକ୍ତା ସାହୁ କହିଛନ୍ତି। ସରକାରଙ୍କ ତରଫରୁ ସେମାନଙ୍କୁ ଅଧିକ ସହାଯ୍ୟସହଯୋଗ ଯୋଗାଇ ଦିଆଗଲେ ସେମାନେ ଆଗକୁ ଏହି ଚାଷରେ ଆଗକୁ ବଢି ପାରିବେ ବୋଲି ମହିଳାମାନେ କହିଛନ୍ତି। ଏ ସମ୍ପର୍କ ରେ ମିସନ ଶକ୍ତିର ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର ସୁଶାନ୍ତ ମଲିକ କହିଛନ୍ତି, ଆଗକୁ ମିସନ ଶକ୍ତି ମାଧ୍ୟମରେ ଏହି ମହିଳାମାନଙ୍କୁ ସହଯୋଗ କରାଯିବ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe