ଭତ୍ତାରୁ ବଞ୍ଚିତ ହିତାଧିକାରୀ ସୁମତି, ନିବେଦନ ଶୁଣୁନାହାନ୍ତି ଅଧିକାରୀ

Advertisment
ଭତ୍ତାରୁ ବଞ୍ଚିତ ହିତାଧିକାରୀ ସୁମତି, ନିବେଦନ ଶୁଣୁନାହାନ୍ତି ଅଧିକାରୀ

Sambad

ଜୟପୁର: ଜୟପୁର ବ୍ଲକର ବାରିଣୀପୁଟ ପଞ୍ଚାୟତର କଦମଗୁଡା ଗାଁର ବୃଦ୍ଧା ସୁମତି ହରିଜନ(୬୨) ଗତ ଏପ୍ରିଲ ମାସ ଠାରୁ ଭତ୍ତା ଟଙ୍କା ପାଇ ନାହାନ୍ତି। ସେ ବାରମ୍ବାର ବାରିଣୀପୁଟ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ ହେଲେ କେହି ବି ତାଙ୍କୁ ସ୍ପଷ୍ଟ ସୂଚନା କିଛି ଦେଇ ନଥିଲେ। ପିଇଓ ଜୟପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଠାରୁ ବୁଝିବାକୁ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ସୁମତି। ସୁମତି ଏହାରି ମଧ୍ୟରେ ଗାଁରୁ ୭ କିଲୋମିଟର ଲେଖାଏଁ ଯିବା ଓ ୭ କିଲୋମିଟର ଫେରିବା ଏଭଳି ୧୪କିଲୋ ମିଟର ତିନିଥର ଚାଲି ଚାଲି ବ୍ଲକ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରିଛନ୍ତି ସୁମତି। ବୃଦ୍ଧାଙ୍କ ଉପରେ ତାଙ୍କ ବିଧବା ଝିଅ ଧନାଇ ବି ନିର୍ଭର। ଗତ ବର୍ଷକ ତଳେ ଧନାଇଙ୍କ ସ୍ବାମୀଙ୍କର ଅଚାନକ ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ଧନାଇ ଅସହାୟ ହୋଇ ପଡ଼ିବା ସହ ମା’ଙ୍କ ଘରେ ଆଶ୍ରୟ ନେଇଥିଲେ। ସେ ଜାତୀୟ ପରିବାର ମଙ୍ଗଳ ଯୋଜନା ଓ ଭତ୍ତା ପାଇବା ପାଇଁ ଆବେଦନ କରିଥିଲେ ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ହଜାର କିମ୍ବା ବିଧବା ଭତ୍ତା ବି ମିଳିନି।

ସୁମତି ଭତ୍ତା ଟଙ୍କା ଉପରେ ସମ୍ପୂର୍ଣ୍ଣ ନିର୍ଭର ଥିବା ବେଳେ ୮ମାସର ଭତ୍ତା କାହିଁକି ମିଳିନି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ତାଙ୍କ ସହ ଭତ୍ତା ପାଉଥିବା ଗାଁର ଅନ୍ୟ ହିତାଧିକାରୀ ମାନେ ଠିକ ସମୟରେ ପାଉଥିବା ବେଳେ ତାଙ୍କ କ୍ଷେତ୍ରରେ ଏଭଳି ପାତର ଅନ୍ତର କାହିଁକି କରାଯାଉଛି ବୋଲି ସୁମତି ପ୍ରଶ୍ନ କରିଛନ୍ତି। ୫୦୦ଟଙ୍କା ଭତ୍ତା ପାଇବା ପାଇଁ ଜଣେ ଗରିବ ୬୨ବର୍ଷୀୟ ବୃଦ୍ଧା ହିତାଧିକାରୀ ଚ‌ାଲି ଚାଲି ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଘୁରି ବୁଲିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ରାଜ୍ୟ ଓ କେନ୍ଦ୍ର ସରକାର ସାମାଜିକ ସୁରକ୍ଷା ଯୋଜନାରେ ବୃଦ୍ଧ ଓ ବୃଦ୍ଧାଙ୍କୁ ନିର୍ଦ୍ଧାରିତ ତାରିଖରେ ଭତ୍ତା ଦେବାକୁ ନିର୍ଦେଶ ଦେଇଛନ୍ତି। କୌଣସି କାରଣବଶତଃ ହିତାଧିକାରୀ ଭତ୍ତା ବିତରଣ କେନ୍ଦ୍ରକୁ ଆସି ନ ପାରିଲେ ତାଙ୍କ ଘରକୁ ଭତ୍ତା ନେଇ ପିଇଓ ଦେବା ନିର୍ଦେଶ ରହିଛି। ଏ ‌କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହୋଇ ପାରିନି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନିର୍ଦେଶ କେବେ ତୃଣମୂଳସ୍ତରରେ ସରକାରୀ ବାବୁ ମାନେ କାର୍ଯ୍ୟକାରୀ କରିବେ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe