ଶୋଚନୀୟ ଅବସ୍ଥାରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ; ଉଠାଦୋକାନୀ ଓ ଠିକାଦାରଙ୍କ କବଜା, କାମରେ ଆସୁନି ଶୌଚାଳୟ

Advertisment
ଶୋଚନୀୟ ଅବସ୍ଥାରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ; ଉଠାଦୋକାନୀ ଓ ଠିକାଦାରଙ୍କ କବଜା, କାମରେ ଆସୁନି ଶୌଚାଳୟ

ସୁନ୍ଦରଗଡ଼: ଦୂର ସ୍ଥାନକୁ ଯାଉଥିବା ଅଥବା ଦୂର ସ୍ଥାନରୁ ଆସୁଥିବା ଯାତ୍ରୀ ସୁନ୍ଦରଗଡ଼ ବସଷ୍ଟାଣ୍ଡରେ ମିନିଟେ ବି ଅଟକିବାକୁ ମନ କରନ୍ତି ନାହିଁ। ବସଷ୍ଟାଣ୍ଡରେ ବସ୍ ଚଢ଼ିବା ପରେ କେତେ ଜଲଦି ବାହାରିଯିବେ ସେ ନେଇ ଲୋକେ ତରତର ଥିବାବେଳେ ଓହ୍ଲାଉଥିବା ଯାତ୍ରୀ ଛାଟିପିଟି ହୋଇ ଏକମୁହାଁ ପଳାଇ ଯାଆନ୍ତି। ଯାତ୍ରୀମାନଙ୍କ ଏହି ବିକଳତା ହିଁ ବସଷ୍ଟାଣ୍ଡର ଶୋଚନୀୟସ୍ଥିତିକୁ ପ୍ରଦର୍ଶିତ କରୁଛି ବୋଲି କହିଲେ ଭୁଲ୍ ହେବ ନାହିଁ। ଯାତ୍ରୀଙ୍କ ପାଇଁ ଥିବା ପାନୀୟ ଜଳ, ଶୌଚାଳୟ, ପ୍ରତୀକ୍ଷାଳୟ ଆଦି ସୁବିଧା ଭଙ୍ଗାଦଦରା ଓ ଅକାମୀ ହୋଇ ପଡ଼ିଥିବା ବେଳେ ଯାତ୍ରୀ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ନୂଆ ନୂଆ ସୁନ୍ଦରଗଡ଼ବାସୀଙ୍କୁ ଉଲ୍ଲସିତ କରିଥିବା ବସ ଟର୍ମିନାଲ ମାତ୍ର ୪ ବର୍ଷ ମଧ୍ୟରେ ତାର ଚମକ ହରାଇ ସାରିଛି।

ଏବେ ପୂରା ଟର୍ମିନାଲ ଠିକାଦାର, ଅସାମାଜିକ ତତ୍ତ୍ବ ସହ ଉଠାଦୋକାନୀଙ୍କ କବଜାରେ। ଯାତ୍ରୀଙ୍କ ସହ ବସ୍ କର୍ମଚାରୀ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଥିବା ଅଭିଯୋଗ ରହିଛି। ଯଦିଓ ଟ୍ରାଫିକ ସମସ୍ୟା ସୁଧାରିବାକୁ ପ୍ରଶାସନ ସହର ମଝିରେ ଥିବା ବସଷ୍ଟାଣ୍ଡକୁ ଲୁହୁରାଢିପା ସ୍ଥାନାନ୍ତର କଲେ, କିନ୍ତୁ ଯେଉଁ ପରିକଳ୍ପନା ନେଇ ବସଷ୍ଟାଣ୍ଡ ତିଆରି ହେଲା, ତାହା ୪ ବର୍ଷ ପରେ ବି ବାସ୍ତବ ରୂପ ନେଇପାରିନାହିଁ। ବରଂ ଯାହା ଅଛି, ପୌର କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଉଦାସୀନତା ଓ ଅବହେଳା ଯୋଗୁଁ ସେସବୁ ଭାଙ୍ଗିରୁଜି ଯିବାକୁ ବସିଲାଣି। ବସ ଟର୍ମିନାଲ ଆରମ୍ଭରୁ ଯେଉଁ ଅପରିଷ୍କାର, ଅପରିଚ୍ଛନ୍ନତା ଥିଲା, ତାହା ଏବେ ବି ସେମିତି ରହିଛି। ବସଷ୍ଟାଣ୍ଡରେ ଏକାଧିକ ଶୌଚାଳୟ ରହିଛି। ପ୍ରବେଶ ପଥରେ ଗୋଟିଏ, ଯାତ୍ରୀ ପ୍ରତୀକ୍ଷାଳୟ ପଛପଟେ ଯୋଡ଼ିଏ ରହିଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ମହିଳା ଶୌଚାଳୟ ପୂତିଗନ୍ଧମୟ ହୋଇପଡ଼ିଥିବାବେଳେ ତାହା ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ। ପଛପଟ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଅନ୍ୟ ଦୁଇଟି ଶୌଚାଳୟ ନିର୍ମାଣ ପରଠାରୁ ବନ୍ଦ ପଡ଼ିଛି।

ନିୟମିତ ସଫାସୁତୁରା ସହ ଯାତ୍ରୀଙ୍କ ପାଇଁ ଦୁଇ ବନ୍ଦ ଶୌଚାଳୟ ଖୋଲିବା ଜରୁରୀ ହୋଇଥିବା ବେଳେ ପୌର କର୍ତ୍ତୃପକ୍ଷ ସେଥିପ୍ରତି ଧ୍ୟାନ ନଦେଇ ଏବେ ବସଷ୍ଟାଣ୍ଡ ପରିସରରେ ଅନ୍ୟତ୍ର ଆଉ ଶୌଚାଳୟ ତିଆରି କରିଛନ୍ତି। ଏତେ ସବୁ ଶୌଚାଳୟ ମଧ୍ୟରୁ କୌଣସି ଗୋଟିଏ ବି ଯାତ୍ରୀଙ୍କ କାମରେ ଲାଗି ପାରୁନାହିଁ। ସେହିପରି ଯାତ୍ରୀ ପ୍ରତୀକ୍ଷାଳୟରେ ପାନୀୟ ଜଳ ପାଇଁ ଗୋଟିଏ ଫ୍ରିଜର ରହିଥିଲେ ମଧ୍ୟ ସେଥିରୁ ଯାତ୍ରୀଙ୍କ ପିଇବା ଅପେକ୍ଷା ଉଠା ଜଳଖିଆ ଦୋକାନରେ ଅଧିକ ବ୍ୟବହାର ହେଉଛି। ବଡ଼ ବଡ଼ ଡ୍ରମରେ ପାଣି ଆଣି ଜଳଖିଆ ପ୍ରସ୍ତୁତ କରାଯାଉଛି। ଯେଉଁଥିପାଇଁ ଅନେକ ସମୟରେ ପାଣି ନିଅଣ୍ଟ ପଡ଼ୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବସଷ୍ଟାଣ୍ଡରେ ବର୍ଷ ବର୍ଷ ଧରି ଦୋକାନ ଗୃହ ନିର୍ମାଣ ଶେଷ ହେଉନାହିଁ।

ସହରର ଯୁବକମାନେ ଦୋକାନ କରି ଗୁଜୁରାଣ ମେଣ୍ଟାଇବାକୁ ଅପେକ୍ଷା କରିଥିବା ବେଳେ ନିର୍ମାଣ କେବେ ସରିବ ଓ ଦୋକାନ ଆବଣ୍ଟିତ ହେବ, ସେ ସମ୍ପର୍କରେ କାହା ପାଖରେ କୌଣସି ସୂଚନା ନାହିଁ। ଏବେ ସେସବୁ ଲଟାବୁଦା ଓ ଅଳିଆରେ ଭରିଗଲାଣି। ସେହିପରି କିଛି ଠିକାଦାର ବସଷ୍ଟାଣ୍ତର କିଛି ଅଂଶକୁ ବାଲି, ମେଟାଲ, ଚିପ୍ସର ଷ୍ଟକ୍ୟାର୍ଡ ରୂପେ ବ୍ୟବହାର କରି ଏଠାରୁ ଟ୍ରକ, ଟ୍ରାକ୍ଟର ଯୋଗେ ନିଜ ନିଜ କାର୍ଯ୍ୟସ୍ଥଳକୁ ନେଉଥିବା ଦେଖାଯାଇଛି। ସେପଟେ ବସଷ୍ଟାଣ୍ଡ ଡ୍ରଗ୍ସ, ଗଂଜେଇ ଓ ଲୁଟେରାଙ୍କ ଆଡ୍ଡା ପାଲଟିଯାଇଛି। ପୁଲିସର କଡ଼ା ପାଟ୍ରୋଲିଂ ଅଭାବ ଓ ସ୍ଥାୟୀ ପୁଲିସ ବ୍ୟବସ୍ଥା ନଥିବାରୁ ଅସାମାଜିକ ତତ୍ତ୍ବ ବେଧଡ଼କ ଏସବୁ କାରବାର ଚଲାଇଥିବା ଅଭିଯୋଗ ହୋଇଛି। ଯାତ୍ରୀ ପ୍ରତୀକ୍ଷାଳୟର ଭଙ୍ଗା ଚୌକି ସବୁ ସଜଡ଼ା ବି ବଦଳା ଯାଇପାରି ନାହିଁ। ସଫାସୁତରା ନଥିବାରୁ ପ୍ରତୀକ୍ଷାଳୟ ଗନ୍ଧରେ ଫାଟି ପଡ଼ୁଥିବା ବେଳେ ଥିବାବେଳେ ଯାତ୍ରୀମାନେ ଆଉ ଭିତରକୁ ପଶୁ ନାହାନ୍ତି। ବସଷ୍ଟାଣ୍ଡ ସମ୍ମୁଖ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ଓଭରବ୍ରିଜ୍ ତଳେ ଝାରସୁଗୁଡ଼ା, ରାଉରକେଲା, ଲେଫ୍ରିପଡ଼ା, ହେମଗିର, ବାଲିଶଙ୍କରା ଅଞ୍ଚକକୁ ଯାଉଥିବା ବସ୍ ସହ ଅଟୋରିକ୍ସା ପାର୍କିଂ କରୁଥିବା ଏବଂ ଏହି ସ୍ଥାନରୁ ଯାତ୍ରୀ ଉଠାଇଥିବା ବେଳେ ଏହା କୌଣସି ମୁହୂର୍ତ୍ତରେ ଦୁର୍ଘଟଣାର କାରଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ସଂଘ ପକ୍ଷରୁ ଟ୍ରାଫିକ ପୁଲିସକୁ ଅବଗତ କରାଯାଇଥିଲେ ମଧ୍ୟ ସେମାନେ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି। ବସ୍ ମାଲିକ, କର୍ମଚାରୀ ସଂଘ ତଥା ଯାତ୍ରୀମାନେ ବାରମ୍ବାର ପୌର କର୍ତ୍ତୃପକ୍ଷ ଓ ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ବେଳେ ଗାଁ ପରିମଳ ଧୋବା ତୁଠ ପରି ବସଷ୍ଟାଣ୍ଡ୍ ସମଗ୍ର ସୁନ୍ଦରଗଡ଼ର ଅବ୍ୟବସ୍ଥା କଥା କହିଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe