ଏମ୍ସ ପାଇଁ ଆମରଣ ଅନଶନକୁ ୩ ଦିନ, ଆଜି ସୁନ୍ଦରଗଡ଼ ବନ୍ଦ

Advertisment
ଏମ୍ସ ପାଇଁ ଆମରଣ ଅନଶନକୁ ୩ ଦିନ, ଆଜି ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଠାରେ ରାଜ୍ଯର ଦ୍ବିତୀୟ 'ଏମ୍ସ' ପ୍ରତିଷ୍ଠା ଦାବିରେ ସ୍ଥାନୀୟ ଡିଆରଡିଏ ଛକରେ ପଶ୍ଚିମ ଓଡିଶା ଯୁବା ମଞ୍ଚର ସଭାପତି ଦିନେଶ ପଟେଲଙ୍କ ସମେତ ୪ ସଦସ୍ଯ ରଞ୍ଜନ ମହାନନ୍ଦିଆ, ଶୁଭମ ମହାପାତ୍ର, ସୁମିତ ଦାସ ଚଲାଇଥିବା ଆମରଣ ଅନଶନକୁ ୩ ଦିନ ବିତିଯାଇଛି। ଏହିକ୍ରମରେ ସମସ୍ତ ରାଜନୈତିକ ଦଳ, ବୁଦ୍ଧିଜୀବୀ, ସଚେତନ ନାଗରିକ, ସମାଜସେବୀ, ସଂଗଠନ ସମୂହଙ୍କ ସହମତିରେ ପଶ୍ଚିମ ଓଡିଶା ଯୁବା ମଞ୍ଚ ଶୁକ୍ରବାର ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି।

ଅନଶନକାରୀଙ୍କ ସ୍ବାସ୍ଥ୍ଯାବସ୍ଥା ଧିରେଧିରେ ଦୁର୍ବଳ ହେଉଥିବାବେଳେ ଗୁରୁବାର ଅପରାହ୍ନରେ କଂଗ୍ରେସ, ବିଜେପି, ବିଜେଡି ସହ କୋଶଳ ସମାଜ, କୋଶଳ କ୍ରାନ୍ତି ଦଳ, ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ୍, ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ, ସଦର ମସଜିଦ, ଗୁରୁଦ୍ବାର କମିଟି, ବିଭିନ୍ନ ସଂଗଠନ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ତଳସରାର ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ, ବରିଷ୍ଠ ଆଇନଜୀବୀ ଅଶୋକ ଦାଶ, କଂଗ୍ରେସର ରାଜକିଶୋର ଷଡ଼ଙ୍ଗୀ, ନେପାଳ ସାହୁ, ବେଣୁମାଧବ ତ୍ରିପାଠୀ, ଶ୍ମଶାନବନ୍ଧୁ ସିଦ୍ଧାନ୍ତ ପଣ୍ଡା, କୋଶଳ ସମାଜର ଦିଲୀପ ପଣ୍ଡା ପ୍ରମୁଖ ପହଞ୍ଚି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି। ଏହି ଅବସରରେ ଏମ୍ସ ଦାବିରେ ଦୁର୍ବାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅନଶନସ୍ଥଳରେ ସମ୍ବଲପୁର ଓ ଝାରସୁଗୁଡାରୁ ପଶ୍ଚିମ ଓଡିଶା ପିପୁଲ୍ସ ଫୋରମର ସପନ ମିଶ୍ର, ଶିବପ୍ରସାଦ ମେହେର, ସଜ୍ଜାବ ବାଦଶା, ଶେଷଦେବ ପଣ୍ଡା ପ୍ରମୁଖ ପହଞ୍ଚି ଦାବିକୁ ସମର୍ଥନ କରିବା ସହ ଏଥିପାଇଁ ବ୍ଯାପକ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିଥିଲେ। ଶେଷରେ ରାତି ୮ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଭିମନ୍ଯୁ ବେହେରା ଆସି ଅନଶନକାରୀଙ୍କ ସହ ଆଲୋଚନା କରି ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି କହିଥିଲେ। କିନ୍ତୁ ଅନଶନକାରୀ ଅନଶନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ବର୍ଷ ହେଲା ଅବହେଳିତ ହୋଇ ରହିଥିବା ପଶ୍ଚିମ ଓଡ଼ିଶାର ରୋଗୀଙ୍କ ଉନ୍ନତ ଚିକିତ୍ସା ପାଇଁ ଏମ୍ସ ପ୍ରତିଷ୍ଠା ଜରୁରୀ। କିନ୍ତୁ ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବପୋଷଣ କରି ଏହାକୁ ନା କରି ଦେଇଛନ୍ତି। ଏହା ବିରୋଧରେ ଓ ଏମ୍ସ ପ୍ରତିଷ୍ଠା ଦାବିରେ ୧୬ ତାରିଖରୁ ମଞ୍ଚ ଅନଶନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe