ସୁନ୍ଦରଗଡ଼: ମୁଖ୍ୟ ଡାକ୍ତରଖାନା ବୁଲିଲେ ଜିଲ୍ଲାପାଳ, ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ

Advertisment
ସୁନ୍ଦରଗଡ଼: ମୁଖ୍ୟ ଡାକ୍ତରଖାନା ବୁଲିଲେ ଜିଲ୍ଲାପାଳ, ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ

ସୁନ୍ଦରଗଡ଼: ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଜିଲ୍ଲାରେ ଉପଲବ୍ଧ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ବୁଧବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରିଥିଲେ। ସେଠାକାର ଓପିଡି ଓ ଆଇପିଡି, ନିଃଶୁଳ୍କ ଡାୟାଲିସିସ୍ ସେବା କେନ୍ଦ୍ର, ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିବା ସହିତ ସେ ରୋଗୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଅତ୍ୟାଧୁନିକ ପୁନର୍ବାସ ସେବା କେନ୍ଦ୍ର (ଏଆର୍‌ସି) ମଧ୍ୟ ପରିଦର୍ଶନ କରି କୃତ୍ରିମ ଅଙ୍ଗ ପ୍ରତିରୋପଣ ଓ ପୁନର୍ବାସ ସେବା ଦ୍ୱାରା ଭିନ୍ନକ୍ଷମମାନଙ୍କୁ ପୁଣିଥରେ ସଶକ୍ତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହିକ୍ରମରେ ସୁନ୍ଦରଗଡ଼ ସ୍ଥିତ ସଦ୍‌ଭାବନା ଭବନଠାରେ ଅନୁଷ୍ଠିତ କ୍ୱାଲିଟି ଆସିଓରାନ୍ସ କମିଟି ବୈଠକରେ ଜିଲ୍ଲାପାଳ ଡାକ୍ତର ଗାଭାଲି ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯିବା ସହ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ଲୋକେ କିପରି ଏହାର ସୁଫଳ ପାଇପାରିବେ, ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।।

publive-image

ଜିଲ୍ଲାସ୍ତରୀୟ ଲିଙ୍ଗ ନିରୂପଣ ଆଇନ ପରାମର୍ଶଦାତା ଓ ଜିଲ୍ଲା ଟାସ୍କଫୋର୍ସ କମିଟିକୁ ଏ ଆଇନକୁ ଜିଲ୍ଲାରେ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ଜିଲ୍ଲାରେ ଥିବା ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ ଓ ନର୍ସିଂହୋମ୍‌ଗୁଡ଼ିକରେ ନିୟମିତ ଯାଞ୍ଚ କରିବା ଲାଗି ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ କନ୍ୟା ଭ୍ରୂଣ ହତ୍ୟାକୁ ନିୟନ୍ତ୍ରଣ କରିବା ଲାଗି ଲିଙ୍ଗଭେଦ ଭାବନା ଦୂର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଏଡିଏମ୍‌ଓ, ଏଡିପିଏଚ୍‌ଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଏନ୍‌ଏଚ୍‌ଏମ୍ ଡିପିଏମ, ଶିଶୁରୋଗ ବିଶେଷଜ୍ଞ, ଏଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe