ମତକମଝରଣ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

Advertisment
ମତକମଝରଣ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ଲାଠିକଟା: ଲାଠିକଟା ବ୍ଲକ୍‌ ରାମଯୋଡ଼ି ପଞ୍ଚାୟତର ମତକମଝରଣ ଗ୍ରାମ ବାନ୍ଧନାଟୋଲି ହତ୍ୟା ଘଟଣାରେ ଲାଠିକଟା ପୁଲିସ ତିନିଜଣକୁ ଗିରଫକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମତକମଝରଣ ଗ୍ରାମର ଲକ୍ଷ୍ମଣ ମୁଣ୍ଡା(୩୭), ସଞ୍ଜିତ ମୁଣ୍ଡା(୨୫) ଓ କାର୍ତ୍ତିକ ଗୁଆଲା(୨୩)। ସେମାନଙ୍କ ବିରୁଦ୍ଧରେ ୧୪୩, ୧୪୭, ୩୦୨ ଓ ୧୪୯ ଧାରାରେ ମାମଲା ରୁଜୁ କରାଯାଇଛି।

ସୂଚନା ଅନୁସାରେ, ଗତ ୫ ତାରିଖ ରାତିରେ ବାନ୍ଧନାଟୋଲିରେ ସାନିକା ମୁଣ୍ଡାଙ୍କ ପୁଅର ନାମକରଣ ଉତ୍ସବ ଚାଲିଥିଲା। ଏଥି ସହିତ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା। ଭୋଜି ସରିବା ପରେ ସମସ୍ତେ ନାଚଗୀତରେ ମସ୍‌ଗୁଲ ଥିଲେ। ଅନ୍ୟପକ୍ଷରେ ନିକଟସ୍ଥ ବେତଝରଣ ଗ୍ରାମକୁ କାଠକାମ କରିବାକୁ ଆସିଥିବା ଝାଡ଼ଖଣ୍ଡ ରାଜ୍ୟ ସିଂହଭୂମ ଜିଲ୍ଲାର ମୂଳବାସିନ୍ଦା ଦିନ ଗୁଆଲା ମଧ୍ୟ ଉକ୍ତଭୋଜିରେ ସାମିଲ ହୋଇଥିଲେ। ମତକମଝରଣ ଗ୍ରାମର କ୍ରିଷ୍ଟ ଗୁଆଲା ମଧ୍ୟ ଉକ୍ତ ଭୋଜିଭାତରେ ସାମିଲ ହୋଇଥିଲେ। ଦିନ ଗୁଆଲାଙ୍କୁ ମତକମଝରଣ ଗ୍ରାମର କେହି ଚିହ୍ନି ନ ଥିଲେ। ତେଣୁ ଖାଇବା ସମୟରେ ଉକ୍ତ ଗ୍ରାମର କ୍ରିଷ୍ଟ ଗୁଆଲା ତାଙ୍କୁ ଗଡ଼େଇତୁଡ଼େଇ ପ୍ରଶ୍ନ ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରାତି ୧୧ଟାରେ ନାଚଗୀତ ଚାଲିଥିବା ସମୟରେ କ୍ରିଷ୍ଟ ଗୁଆଲା ଏକ ଚେୟାରରେ ବସି ଦେଖୁଥିଲେ। ଏହି ସମୟରେ ଦିନ ଗୁଆଲା ଏକ ଛୁରି ଆଣି ତାଙ୍କୁ ଭୁସି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ କ୍ରିଷ୍ଟ ଗୁଆଲାଙ୍କ ମୃତ୍ୟୁ ଘଟିଥିଲା। ଗାଁଲୋକକୁ ଛୁରିଭୁସି ଦେବା ଦେଖି କିଛି ଲୋକ ଉତ୍ତ୍ୟକ୍ତହୋଇ ଦିନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା। ଲାଠିକଟା ଆଇଆଇସି ସବିତା ପାତ୍ର ଅନୁସନ୍ଧାନ ଚଳାଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଆହୁରି କିଛିବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ଓ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe