ରାଉରକେଲା: ଘରୋଇ ଜମି ବିବାଦରୁ ଆଗେଇପାରୁନି ବନ୍ଧମୁଣ୍ଡା କୁକୁଡ଼ାଗେଟ୍ ଆର୍ଓବି (ରେଳ ଓଭର ବ୍ରିଜ୍)। ୯୩୦ ମିଟର ଲମ୍ବା ଏହି ଆରଓବିର ତିନିବର୍ଷ ମଧ୍ୟରେ ସରିଛି ମାତ୍ର ୩୦% କାମ। ତା’ ପୁଣି ସରକାରୀ ଜାଗା ଥିବା ପାର୍ଶ୍ବରେ। ଅବଶିଷ୍ଟ ୭୦% କାମ ଆସନ୍ତା ୨/୩ ବର୍ଷରେ ସରିବ କି ନାହିଁ କହିବା ମୁସ୍କିଲ। କାରଣ ଉପଯୁକ୍ତ କ୍ଷତିପୂରଣ ମିଳୁ ନଥିବାରୁ ଲୋକେ ପୋଲ ପାଇଁ ନିଜ ରୟତି ଜମି ଛାଡ଼ିବାକୁ ନାରାଜ। ତେଣୁ ଘରୋଇ ଜାଗାରେ ଇଟା ଖଣ୍ଡେ ବି ପଡ଼ିନି। କ୍ଷତିଗ୍ରସ୍ତ ଜମିମାଲିକଙ୍କୁ କ୍ଷତିପୂରଣ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମସଭା କରାଯାଇଛି। ହେଲେ ସମାଧାନର କୌଣସି ବାଟ ବାହାରିପାରୁନି। ବିବାଦର ସମାଧାନ ଦିଗରେ ରେଳବାଇ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଯାଏ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଯାତାୟତବେଳେ ଯନ୍ତ୍ରଣା ଭୋଗୁଛନ୍ତି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ଯାତାୟତ କରୁଥିବା ୫ ରାଜ୍ୟର ଲୋକେ। କାରଣ ରାଉରକେଲାରୁ ୪ ରାଜ୍ୟକୁ ଯାତାୟତ ପାଇଁ ବନ୍ଧମୁଣ୍ଡା-ବିଶ୍ରା ହେଉଛି ମୁଖ୍ୟରାସ୍ତା। ଆର୍ଓବି ନଥିବାରୁ ପ୍ରତିଦିନ ଏହି ରାଜ୍ୟମାନଙ୍କୁ ଯାତାୟତ କରୁଥିବା ଶହଶହ ଗାଡ଼ି ରେଳଫାଟକର ଉଭୟ ପାର୍ଶ୍ବରେ ଅଟକି ରହୁଛି। ମୁମ୍ବାଇ-ହାଓଡ଼ା ମୁଖ୍ୟ ରେଳମାର୍ଗ ଉପରେ ଥିବାରୁ ଏହି ରେଳଫାଟକ ଦିନକୁ ବହୁବାର ବନ୍ଦ ରହୁଛି। ପ୍ରତି କିଛି ମିନିଟ୍ ଅନ୍ତରରେ ରେଳ ଯିବାଆସିବା କରୁଥିବାରୁ ଫାଟକକୁ ବାରମ୍ବାର ବନ୍ଦ କରାଯାଉଛି। ଏପରିକି ବେଳେବେଳେ ଥରେ ଫାଟକ ପଡ଼ିଲେ ୫-୬ଟି ଟ୍ରେନ୍ ଅତିକ୍ରମ କଲାପରେ ଯାଇ ଖୋଲୁଛି। ଫାଟକ ଥରେ ପଡ଼ିଲେ, ଅଧଘଣ୍ଟା ତ ପୁଣି କେତେବେଳେ ଘଣ୍ଟାଏ ପରେ ଖୋଲୁଛି। ଫଳରେ ଉଭୟ ପାର୍ଶ୍ବରେ ଶହଶହ ଗାଡ଼ିର ଜାମ୍ ଲାଗୁଛି। ଟ୍ରାଫିକ୍ ସମସ୍ୟା ଜଟିଳ ହେଉଛି। ଅନେକ ସମୟରେ ଜାମ୍ ଭିତରେ ଆମ୍ବୁଲାନ୍ସ ଫସିଯାଉଛି। ଜାମ୍ ଭିତରୁ ଆମ୍ବୁଲାନ୍ସକୁ ବାହାର କରିବାକୁ ଉଭୟ ପୁଲିସ ଓ ଟ୍ରାଫିକ୍ ପୁଲିସକୁ ନାକେଦମ୍ ହେବାକୁ ପଡୁଛି। କେବଳ ଆମ୍ବୁଲାନ୍ସ ନୁହେଁ, ସ୍କୁଲ ଓ କଲେଜ ଗାଡ଼ିଗୁଡ଼ିକ ମଧ୍ୟ ସମାନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।
ପ୍ରସ୍ତାବିତ ୮ ଆର୍ଓବି ମଧ୍ୟରୁ ୫ଟିର କାମ ସରିଲାଣି। କୁକୁଡାଗେଟ୍ ଆର୍ଓବି ବିବାଦର କିନ୍ତୁ ପୂର୍ଣ୍ଣଚ୍ଛେଦ ପଡ଼ୁନି। କିନ୍ତୁ ରେଳବାଇ ଓ ଜିଲ୍ଲା ପ୍ରଶାସନ ଏଦିଗରେ ଆବଶ୍ୟକ ତତ୍ପରତା ଦେଖାଉ ନାହାନ୍ତି। ଇତିମଧ୍ୟରେ ଝାଡ଼ଖଣ୍ଡରୁ ରାଉରକେଲାକୁ ୩୨୦ (ଡି) ଜାତୀୟ ରାଜପଥ ନିର୍ମାଣ କାମ ଆରମ୍ଭ ହୋଇଛି। ଏହି ଜାତୀୟ ରାଜପଥ କୁକୁଡ଼ାଗେଟ୍ ରେଳଫାଟକ ଦେଇ ଯିବାକୁ ନିଷ୍ପତ୍ତି ହୋଇଛି। କଚ୍ଛପଗତିରେ ଚାଲିଥବା କୁକୁଡ଼ା ଗେଟ୍ ଆର୍ଓବି ମଧ୍ୟ ଜାତୀୟ ରାଜପଥ କାମରେ ବାଧକ ସାଜିପାରେ। ଯେ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଜମିମାଲିକଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ମିଳିଛି, ସେ ପର୍ଯ୍ୟନ୍ତ କୁକୁଡ଼ାଗେଟ୍ ଆର୍ଓବି ସମେତ ୨୩୦ (ଡି) ଜାତୀୟ ରାଜପଥ କାମ ମଧ୍ୟ ଆଗେଇ ପାରିବ ନାହିଁ। ସୂଚନାଯୋଗ୍ୟ, ମୁମ୍ବାଇ-ହାଓଡ଼ା ରେଳବାଇ ମୁଖ୍ୟ ମାର୍ଗରେ ରାଉରକେଲା ସହର ଓ ଆଖପାଖରେ କଲୁଙ୍ଗାରୁ କୁକୁଡ଼ାଗେଟ୍ ମଧ୍ୟରେ ୮ଟି ଆର୍ଓବି ନିର୍ମାଣ କରିବାକୁ ଅର୍ଥ ମଞ୍ଜୁର ହୋଇଛି। ଏଥି ମଧ୍ୟରୁ ବାସନ୍ତୀକଲୋନି, ଏସ୍ଟିଆଇ, ଆଇଟିଆଇ ଆର୍ଓବି କାମ କେବେଠୁ ସରିଲାଣି। ଆଇଡିସି, କଲୁଙ୍ଗା (୧) ଓ କଲୁଙ୍ଗା (୨) କାମ ଶେଷ ପର୍ଯ୍ୟାୟରେ ରହିଛି। ଜବରଦଖଲ ସମସ୍ୟା କାରଣରୁ ଆଜି ପର୍ଯ୍ୟନ୍ତ ମାଲଗୋଦାମ ଆର୍ଓବି ହୋଇପାରୁ ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us