ଖତକୁରବାହାଲରେ ଶିବା ସିମେଣ୍ଟ ଜନଶୁଣାଣିକୁ ବିରୋଧ: ଅଧିକାରୀ ଓ ପୁଲିସକୁ ଗାଁ ଭିତରକୁ ଛାଡ଼ିଲେନି

Advertisment
ଖତକୁରବାହାଲରେ ଶିବା ସିମେଣ୍ଟ ଜନଶୁଣାଣିକୁ ବିରୋଧ: ଅଧିକାରୀ ଓ ପୁଲିସକୁ ଗାଁ ଭିତରକୁ ଛାଡ଼ିଲେନି

ସୁନ୍ଦରଗଡ଼: ଜେଏସଡବ୍ଲୁ ଶିବା ସିମେଣ୍ଟର ଚୂନାପଥର ଖଣି ସଂପ୍ରସାରଣ ପାଇଁ ଆଜି ଖତକୁରବାହାଲରେ ହେବାକୁ ଥିବା ଜନଶୁଣାଣିକୁ ଲୋକେ ପ୍ରବଳ ବିରୋଧ କରିଥିଲେ। ଗାଁ ମୁଣ୍ଡ ରାସ୍ତାରେ ଗଛ ପକାଇବା ସହ ଟାୟାର ଜାଳି ଅଧିକାରୀ ଓ ପୁଲିସ ଫୋର୍ସକୁ ଗାଁ ଭିତରକୁ ପଶିବାକୁ ଦେଇ ନଥିଲେ। ଖଣି ପାଇଁ ଗ୍ରାମସଭାର ସହମତି ନନେଇ ଜନଶୁଣାଣି କରିବାକୁ ଦେବୁ ନାହିଁ ବୋଲି ଆନ୍ଦୋଳନକାରୀ ରୋକଠୋକ ଶୁଣାଇ ଦେଇଥିଲେ। ପ୍ରବଳ ବିରୋଧ ଚାଲିଥିବାବେଳେ ପ୍ରଶାସନ ଗାଁ ମୁଣ୍ଡରେ ଜନଶୁଣାଣି ସମ୍ପନ୍ନ ହୋଇଥିବା ଘୋଷଣା କରି ଫେରିଯାଇଥିଲେ। ଖଣି ସଂପ୍ରସାରଣ ପାଇଁ କୁତ୍ରା ବ୍ଲକ ଖତକୁରବାହାଲଠାରେ ଏକ ଜନଶୁଣାଣି କରିବାକୁ ପ୍ରଶାସନ ଉଦ୍ୟମ କରିଆସୁଥିଲେ ମଧ୍ୟ ଖତକୁରବାହାଲ, ଫଲସାକାନି ଆଦି ଗାଁର ବିସ୍ଥାପିତ ହେବାକୁ ଥିବା ଲୋକେ ବିରୋଧ କରିଆସୁଛନ୍ତି। ପୂର୍ବରୁ ମଧ୍ୟ ଏହି ଜନ ଶୁଣାଣିକୁ ଲୋକେ ବିରୋଧ କରିଥିବାରୁ ତାହା ସ୍ଥଗିତ ହୋଇଥିଲା।

publive-image

ଆଜି ଏହାକୁ କରିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯିବାପରେ ପୂର୍ବାହ୍ନ ୧୧ଟାରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା , ପୁଲିସ ଅଧିକାରୀ ଓ ଖଣି କର୍ତ୍ତୃପକ୍ଷ ଗ୍ରାମକୁ ଆସିଥିବା ବେଳେ ଲୋକେ ଗାଁ ମୁଣ୍ଡରୁ ବିରୋଧ କରି ଅଧିକାରୀ ମାନଙ୍କୁ ଭିତରକୁ ପଶିବାକୁ ଦେଇ ନଥିଲେ, ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅଂରୋଧ କରିବା ସହ କମ୍ପାନୀ ଗୋ ବେକ ନାରା ଦେଇଥିଲେ। ଜୀବନ ଦେବୁ ପଛେ ଜମି ଦେବୁ ନାହିଁ ବୋଲି କହିଥିଲେ। ଅଧିକାରୀମାନେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ଯ ଲୋକେ ଶୁଣି ନଥିଲେ। ଆନ୍ଦୋଳନରେ ସାମିଲ ହୋଇଥିବା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିସାନ ଓ ରାଜଗାଙ୍ଗପୁର ବିଧାୟକ ଡ. ରାଜନ ଏକ୍କା ପ୍ରମୁଖ ବିସ୍ଥାପିତଙ୍କ ଦାବି ଯଥାର୍ଥ ବୋଲି କହିଛନ୍ତି। କମ୍ପାନି ଅନେକ ମନଲୋଭା ପ୍ରତିଶ୍ରୁତି ଦିଏ ଓ ପରେ ଭୁଲିଯାଏ ବୋଲି ଗ୍ରାମବାସୀ କହିବା ସହ ଖଣି ସଂପ୍ରସରଣ ହେଲେ ଏହି ଗ୍ରାମରେ ଥିବା ମନ୍ଦିର, ମସଜିଦ, କବରସ୍ତାନ, ଶିକ୍ଷାନୁଷ୍ଠାନ ସବୁ ଖଣିକୁ ଚାଲିଯିବ ବୋଲି ଅଭିଯୋଗ କରିଥିଲେ। ଏହା ପରେ ପୁଲିସ, ପ୍ରଶାସନ ଫେରି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe