ପିଲାଦିନରୁ ନାଚ ପ୍ରତି ‌ଅହେତୁକ ଦୁର୍ବଳତା। ଏଥିପାଇଁ ତ ସେ ଦେଢ଼ବର୍ଷ ବୟସରୁ ନାଚ ଶିଖିବା ଆରମ୍ଭ କରି ଦେଇଥିଲେ। ଇତିମଧ୍ୟରେ ସେ ନୃତ୍ୟଶିଳ୍ପୀରୁ ବନିଯାଇଛନ୍ତି ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶିକା। ଅନେକ ସଫଳତା ସାଉଁଟିବା ସହିତ ପୁରସ୍କାର ଲାଭ କରିଛନ୍ତି। ହିନ୍ଦୀ ଚଳଚ୍ଚିତ୍ରରର ନାମୀଦାମୀ ଅଭିନେତା-ଅଭିନେତ୍ରୀଙ୍କୁ କେତେକ ଚଳଚ୍ଚିତ୍ର ଓ ବିଭିନ୍ନ ଆୱାର୍ଡ ଉତ୍ସବ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ନୃତ୍ୟ ଶିଖାଇଛନ୍ତି। ​ସେଥିମଧ୍ୟରେ ଅଛନ୍ତି ମାଧୁରୀ ଦୀକ୍ଷିତ, ରଶ୍ମିକା ମନ୍ଦାନା, କାଟ୍ରିନା କୈଫ, ବାଣୀ କପୁର, ଅଭିଷେକ ବଚ୍ଚନ ପ୍ରମୁଖ।

Advertisment

୨୦୦୩ରେ ଆୟୋଜିତ ରିଏଲିଟି ସୋ’ ‘ବୋଗି ଓଗି’ରେ ଅଂଶଗ୍ରହଣ କରି ପ୍ରଥମ ରନର୍ସ ଅପ୍ ଓ ୨୦୦୬ରେ ରନର୍ସ ଅଫ୍‌ରେ ରହିଥିଲେ। ୨୦୦୯ରେ ଡ୍ୟାନ୍ସ ପ୍ରିମିୟର ଲିଗ୍‌ , କ୍ରେଜି କିୟାରେ, ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ନାଚ୍‌ ବଲିୟେ, ସୁପର ଡ୍ୟାନ୍ସର, ଫେମିନା ମିସ୍‌ ଡିବା ଆଦି ରିଏଲିଟି ସୋ’ରେ ଜଲ୍‌ୱା ଦେଖାଇ ଚର୍ଚ୍ଚାର ପରିସରକୁ ଆସିଥିଲେ ରୋଜା । ଆଗାମୀ ଦିନରେ ନୃତ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ରାଉରକେଲାରେ ଅନେକ କିଛି କରିବାର ଯୋଜନା ରଖିଥିବା ରୋଜା ରଣାଙ୍କ ସହିତ ଅଳ୍ପ ଆଳାପ।

ଅଧିକପଢ଼ନ୍ତୁ:ମାତ୍ରାଧିକ ଫାଷ୍ଟଫୁଡ୍‌ ଖାଉଥିଲେ ଛାତ୍ରୀ, ଚିକିତ୍ସା ପରେ ବି ବଞ୍ଚିପାରିଲାନି ଜୀବନ

* ନୃତ୍ୟ ନିର୍ଦ୍ଦେଶନାକୁ କାହିଁକି ବାଛିଲେ?

- ସାଧାରଣତଃ ଘରେ ଝିଅଟିଏ ଜନ୍ମ ହେଲେ ପରିବାରଲୋକ ନିରାଶ ହୋଇଯାଉଥିବା ବେଳେ ମୋ ମା’ କନ୍ୟା ସନ୍ତାନ ପାଇଁ ଭଗବାନଙ୍କୁ କରିଥିଲେ ପ୍ରାର୍ଥନା। କାରଣ ମା’ଙ୍କର ଇଚ୍ଛା ଥିଲା ଝିଅ ମାଧ୍ୟମରେ ସେ ଦେଖିଥିବା ସ୍ବପ୍ନକୁ ପୂରା କରିବେ। ଏତଦ୍‌ ବ୍ୟତୀତ ପିଲାଟି ଦିନରୁ ମୋର ନୃତ୍ୟପ୍ରତି ଥିବା ଅହେତୁକ ଆଗ୍ରହ ଧୀରେଧୀରେ ନୃତ୍ୟ ନିର୍ଦ୍ଦେଶନା ଦିଗରେ ଅଗ୍ରସର କରାଇଥିଲା। ଅନେକ ସଂଘର୍ଷ ଓ ପରିଶ୍ରମ ପରେ ମୁମ୍ବାଇରେ କାମ କରିବାର ସୁଯୋଗ ପାଇଥିଲି।

*ଆପଣଙ୍କ ଆଦର୍ଶ କିଏ? ନୃତ୍ୟ କରିବା ପଛର ଉଦ୍ଦେଶ୍ୟ କଣ?

-ନୃତ୍ୟଗୁରୁ ବିଜୟ ମୁଖୀ ଓ ବାପା ସ୍ବର୍ଗତ ଅଶୋକ ରଣା ଓ ମା’ ଶିବାନୀ ରଣା ହେଉଛନ୍ତି ମୋ’ ଆଦର୍ଶ। କଳା ପ୍ରତି ଥିବା ଦୁର୍ବଳତା ନୃତ୍ୟ କରିବା ପଛର ଏକମାତ୍ର ଉଦ୍ଦେଶ୍ୟ। ମାତ୍ର ଦେଢ଼ବର୍ଷ ବୟସରେ ନୃତ୍ୟ କ’ଣ ଠିକ ଭାବେ ବୁଝି ନଥିବା ବେଳେ ମୁଁ ନୃତ୍ୟନିର୍ଦ୍ଦେଶନା ଦେବି ବୋଲି ସମସ୍ତଙ୍କୁ କହି ବୁଲୁଥିଲି।

*ଆଗାମୀ ପ୍ରୋଜେକ୍ଟ କ’ଣ ରହିଛି?

-ଇତିମଧ୍ୟରେ ବଲିଉଡର ଅନେକ ପ୍ରୋଜେକ୍ଟରେ କାମ କରି ସାରିଛି। ୱାର୍କସପ୍‌ ପାଇଁ ଦୁବାଇରୁ ମାସେ ରହି ଫେରିଛି। ଆଗାମୀ ପ୍ରୋଜେକ୍ଟ ରାଉରକେଲାରେ ରହଛି। ଯାହାକି ଏକ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ନାମ “ଆଜା ନାଚଲେ” । ଏହି ନୃତ୍ୟ ଅନୁଷ୍ଠାନକୁ ମୋ ବାପା ଗଢ଼ିଥିଲେ। ବାପାଙ୍କ ମୃତ୍ୟୁ ପରେ ଏ ଅନୁଷ୍ଠାନକୁ ମା’ ଓ ମୁଁ ଦୁହେଁ ମିଶି ଆଗକୁ ବଢ଼ାଇବା ସହିତ ତାଙ୍କର ଅଧୁରା ସ୍ବପ୍ନକୁ ପୂରା କରିବା ପାଇଁ ଅଣ୍ଟା ଭିଡ଼ିଛୁ।

*ଜୀବନର ସ୍ମରଣୀୟ ମୁହୂର୍ତ୍ତ

-୭ବର୍ଷ ବୟସରେ ମୁମ୍ବାଇ ଯିବା , ୮ବର୍ଷ ବୟସରେ ଅଡିସନରେ ଚୟନ ହେବା ଜୀବନର ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଛି। ରହିଥିବ ମଧ୍ୟ।

*ରାଉରକେଲାରେ ନୃତ୍ୟକୁ ନେଇ କିଛି ଯୋଜନା

-ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ନୃତ୍ୟାନୁଷ୍ଠାନ କେମିତି ଆହୁରି ଆଗକୁ ବଢ଼ି ପାରିବ। ରାଉରକେଲାରେ ଅଧିକରୁ ଅଧିକ ପିଲା କିପରି ନୃତ୍ୟ ଶିଖି ପାରିବେ, ସେ ଦିଗରେ ଅନେକ କିଛି କରିବାର ଯୋଜନା ରହିଛି।

*ଅନ୍ୟସହର ଓ ରାଉରକେଲା ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି?

-ନୃତ୍ୟ କ୍ୟାରିୟର ମଧ୍ୟରେ ଅନେକ ବଡ଼ବଡ଼ ସହର ବୁଲିଛି। ରାଉରକେଲା ଜନ୍ମ ଦେଇଥିବାବେଳେ ମୁମ୍ବାଇରେ କାମ କରିଛି। ଏସବୁକୁ ଦେଖିଲେ ରାଉରକେଲା ସହର ମୋ ପାଇଁ ଖୁବ ନିଆରା। ଏଠାକାର ପାଣି ପବନ ସମସ୍ତଙ୍କୁ ଆପଣାର କରି ଦେଇଥାଏ। ଯାହା ଅନ୍ୟ ସହରରେ ନଥାଏ। ଯିଏ ଥରେ ଷ୍ଟିଲସିଟିକୁ ଆସିଥାଏ ସିଏ ଦ୍ବିତୀୟଥର ଆସିବାକୁ ନିଶ୍ଚୟ ମନ କରିଥାଏ।

ସାକ୍ଷାତକାର (ରୀନା ରାମ ଭୂୟାଁ)

ଅଧିକପଢ଼ନ୍ତୁ:ବିବାହକୁ ମାତ୍ର ତିନିଦିନ ବାକିଥିବା ବେଳେ ଘରେ ପଶି କନ୍ୟାଙ୍କୁ ଆକ୍ରମଣ କଲା ବାଘ