ଏପଟେ ପୁଲିସର ପଇଁତରା, ସେପଟେ ଖସି ଯାଉଛନ୍ତି ଅପରାଧୀ

Advertisment
ବରଯାତ୍ରୀ ଯିବା ପାଇଁ ଘରୁ ବାହାରିଲେ, ଶେଷରେ ମିଳିଲା ଗୁଳିବିଦ୍ଧ ମୃତଦେହ

Image Source: News Nation

ସୁନ୍ଦରଗଡ଼: ତଳସରା ଥାନା ଅଞ୍ଚଳରେ ପୁଣି ମାତିଛନ୍ତି ମୁଖାପିନ୍ଧା ଅଜ୍ଞାତ ବନ୍ଧୁକଧାରୀ। ମାସକ ମଧ୍ୟରେ କିରାଲଗାର ଜଣେ ସମିତିସଭ୍ୟଙ୍କ ଘର ଓ କାର୍ଯ୍ୟସ୍ଥଳକୁ ଆସି ଲେଭି ଦାବିରେ ତିନି ତିନି ଥର ବନ୍ଧୁକ ଦେଖାଇବା ଓ ପାଇକବାହାଲରେ ଜଣକ ଘରେ ପଶି ଲକ୍ଷେ ଟଙ୍କା ମାଗିବା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ଏହା ମଧ୍ୟରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ଜିଲ୍ଲା ସ୍ବେଚ୍ଛାସେବୀ ସୁରକ୍ଷା ବଳ (ଡିଭିଏଫ୍) ସହ ପୁଲିସ ତନାଘନା ଚଲାଇଛନ୍ତି। କିନ୍ତୁ ସେମାନେ ପୁଲିସ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି। ଏପଟେ ପୁଲିସ ବଳ ପଇଁତରା ମାରୁଥିବା ବେଳେ ସେପଟେ ଅପରାଧୀମାନେ ବନ୍ଧୁକ ମୁନରେ ଧକମଚମକ ଦେଇ ଅନାୟସରେ ଚାଲିଯାଉଥିବା ଅଭିଯୋଗ ହୋଇଛି।

ଅଜ୍ଞାତ ବନ୍ଧୁକଧାରୀଙ୍କ ଟାର୍ଗେଟରେ ଥିବା କିରାଲଗା ପଞ୍ଚାୟତ ସମିତିସଭ୍ୟ ବେଦପ୍ରକାଶ ନାଏକ (ବିକି)ଙ୍କ ଅଭିଯୋଗ ଅନୁସାରେ, ମେ’ ୧୫ ତାରିଖ ରାତି ୮ଟାରେ ପ୍ରଥମ କରି ତାଙ୍କ ଘରକୁ ସେ ଅପରାଧୀମାନେ ଆସିଥିଲେ। ସମସ୍ତେ ଘରେ ଥିବା ବେଳେ ଜଣେ ମୁଖାପିନ୍ଧା ଯୁବକ ବନ୍ଧୁକ ଧରି ସିଧା ଘର ଭିତରକୁ ପଶି ମା’ ଶାନ୍ତିଲତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବିକି କୁଆଡ଼େ ଗଲା ବୋଲି ପଚାରି ୩ ଲକ୍ଷ ଟଙ୍କା ମାଗିଥିଲେ।

ସୂଚନା ପାଇ ଅନ୍ୟ କୋଠରୀରେ ଥିବା ବିକି କୌଶଳକ୍ରମେ ବାଡ଼ି ପଟକୁ ଚାଲି ଯାଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତି ‘ବିକିକୁ କହିବ ତୁରନ୍ତ ଟଙ୍କା ଦେବ, ନହେଲେ ପରିସ୍ଥିତି ଭୟାବହ ହେବ’ କହି ବାହାରି ଯାଇଥିଲେ। ଏହାର ୨୩ ଦିନ ପରେ ଗତ ଜୁନ୍ ୮ ତାରିଖ ରାତି ସାଢ଼େ ୮ଟାରେ ବିକିଙ୍କ ବଡ଼ବାପା ପରମେଶ୍ବର ନାଏକ ନଳକୂପରେ ଗୋଡ଼ହାତ ଧୋଇ ଘରକୁ ଆସୁଥିବା ବେଳେ ବାଇକ୍ରେ ଦୁଇ ବନ୍ଧୁକଧାରୀ ଅଚାନକ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବିକି ଘର କବାଟ ଖୋଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଭୟରେ ପରମେଶ୍ବର କବାଟ ପିଟିବାକୁ ହାତ ବଢ଼ାଇଥିବା ବେଳେ ପାଖ ଘରର ଜଣେ ମହିଳା ଟର୍ଚ୍ଚ ଲାଇଟ୍ ପକାଇବାରୁ ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ତୁରନ୍ତ ପଠାଇବାକୁ କହି ଚାଲି ଯାଇଥିଲେ। ରାତିରେ ସେମାନେ ପାଇକବାହାଲ ରାଏସନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲକ୍ଷେ ଦାବି କରି ଟଙ୍କା ନେବାକୁ ସକାଳେ ଆସିବେ କହି ଚାଲି ଯାଇଥିଲେ। ପରମେଶ୍ବର ଏ ସମ୍ପର୍କରେ ତଳସରା

ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଡିଭିଏଫ ସହାୟତାରେ ତନାଘନା ଚଲାଇଥିଲେ। କିନ୍ତୁ ତାର ଦୁଇ ଦିନ ନଯାଉଣୁ ୧୦ ତାରିଖ ଅପରାହ୍ନ ୫ଟାରେ ପୁଲିସକୁ ବେଖାତିର କରି ପୁଣି ଆସିଥିଲେ ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ। ସେଦିନ ବିକି କିରାଲଗା ଠାରୁ ୨ କିଲୋମିଟର ଦୂର ମାଳପଡ଼ାରେ ଏକ ସ୍କୁଲ ମରାମତି କାମ କରୁଥିଲେ। ଦୁର୍ବୃତ୍ତମାନେ ମାଲପଡ଼ା ନିକଟ କରମପଡ଼ା ଆସି ବିକି କେଉଁଠି କାମ କରୁଛି ବୋଲି ଜଣେ ଯୁବକଙ୍କୁ ପଚାରିଲେ। ସେମାନଙ୍କୁ ଯୁବକ ଗୋଲଧରା ରାସ୍ତା ଦେଖାଇ ବିକିଙ୍କୁ ସୂଚନା ଦେଇଥିଲେ। ଏହା ପରେ ବିକି ସେଠାରୁ ତୁରନ୍ତ ଅନ୍ୟ ଜାଗା ଚାଲିଯାଇ ପୁଲିସ ଓ ଗାଁ ପିଲାଙ୍କୁ ଖବର ଦେଇଥିଲେ। ଗାଁରୁ ତୁରନ୍ତ ୩୦ରୁ ଅଧିକ ଯୁବକ ବାଇକ୍‌ରେ ଆସି ଦୁର୍ବୃତ୍ତମାନଙ୍କ ପିଛା କରିଥିଲେ। ପରେ ପରେ ଡିଭିଏଫ ପହଞ୍ଚିଥିଲା। ରାତି ସାଢ଼େ ୯ଟା ଯାଏ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ପାଖ ଟେଡିକଲ ଜଙ୍ଗଲରେ ଅଜ୍ଞାତ ବନ୍ଧୁକଧାରୀ ଲୁଚି ଯାଇଥିଲେ। ପୁଲିସ ପଇଁତରା, ଚଢ଼ଉ କରିବା ବଦଳରେ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ସୁଚିନ୍ତିତ ଯୋଜନା କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe