ରାଉରକେଲା(ରୀନା ରାମ୍ ଭୂୟାଁ): ରାଉରକେଲା ରାଜରାସ୍ତାରେ ଖୁଲମଖୁଲା ବୁଲୁଛନ୍ତି ଘୋଡ଼ା। ଶୁଣିବାକୁ ଟିକେ ଅଖାଡୁଆ ଲାଗୁଥିଲେ ହେଁ ଘଟଣାଟି ନିରାଟସତ। ସାଧାରଣତଃ ରାସ୍ତାରେ ଗାଈଗୋରୁ, ବିଲେଇ, କୁକୁର, ଛେଳି, ମେଣ୍ଢା ଆଦିଙ୍କୁ ବୁଲୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ରାସ୍ତାରେ ଘୋଡ଼ା ବୁଲିବା ଘଟଣା ଖୁବ୍ ବିରଳ। କାଁ ଭାଁ ରାସ୍ତାରେ ଯଦି ବା କେବେ ଘୋଡ଼ା ଦେଖିବାକୁ ମିଳେ ତା’ସହିତ ଥାଆନ୍ତି ତାର ମାଲିକ। କିନ୍ତୁ ଗତ କିଛିମାସ ହେବ ରାଉରକେଲା ସେକ୍ଟର ଅଞ୍ଚଳରେ ବିନା ମାଲିକରେ ଲାଲ ଓ ଧଳାରଙ୍ଗର ଦୁଇଟି ଘୋଡ଼ା ଘୂରିବୁଲୁଛନ୍ତି। ଯାହା ଏବେ ସହରବାସୀଙ୍କ ପାଇଁ କୌତୁହଳର ବିଷୟ ପାଲଟିଛି। ଏ ଘୋଡ଼ା ଦୁଇଟି କେଉଁଠୁ ଆସନ୍ତି ଏବଂ ସଞ୍ଜ ନଇଁଲେ କୁଆଡ଼େ ଯାଉଛନ୍ତି କାହ ପାଖରେ ଏହାର କୌଣସି ସୂଚନା ନାହିଁ।
ଅଧିକପଢ଼ନ୍ତୁ:ଅଣନିଶ୍ବାସୀ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲେ, ପିଟିଲେ ଡାକ୍ତର
ଚର୍ଚ୍ଚାରେ ଲାଲଧଳା ଘୋଡ଼ା
ବ୍ୟସ୍ତବହୁଳ ରାସ୍ତାପାର୍ଶ୍ବରେ ଖୋଲାରେ ଛିଡ଼ା ହୋଇଥିବା ଲାଲଧଳା ଘୋଡ଼ା ଦୁହିଁଙ୍କୁ ଦେଖି ଉତ୍ସାହିତ ହୋଇ କିଛି ସମୟ ପାଇଁ ଅଟକି ଯାଉଛନ୍ତି ପଥଚାରୀ। ଖୁସି ହୋଇଯାଉଛନ୍ତି ପିଲା। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏ ଦୁଇଟି ଘୋଡ଼ା ଆସିଲେ କେଉଁଠି? ଆଶ୍ଚର୍ଯ୍ୟର କଥା ହେଉଛି ଏ ଦୁଇଘୋଡ଼ାର ମାଲିକ କିଏ? ରାଜରାସ୍ତାରେ ଏପରି କାହିଁକି ଛାଡ଼ି ଦେଇଛନ୍ତି? ସେ ନେଇ କେହି ସ୍ପଷ୍ଟ ସୂଚନା ଦେଇପାରୁ ନାହାନ୍ତି।
ଏସଂପର୍କରେ ସ୍ଥାନୀୟବାସିନ୍ଦା କୁହନ୍ତି....
‘ଗତ ୪/୫ମାସ ହେବ ପ୍ରତିଦିନ ସକାଳ ହେଲେ ସେକ୍ଟର-୧୭ ପେଟ୍ରୋଲ ପମ୍ପ ରାସ୍ତାପାର୍ଶ୍ବରେ ଆସି ଛିଡ଼ା ହୋଇଥାଆନ୍ତି ଲାଲ ଓ ଧଳାରଙ୍ଗର ଦୁଇଟି ଘୋଡ଼ା। ଆଜି ପର୍ଯ୍ୟନ୍ତ ଏହି ଦୁଇ ଘୋଡ଼ା ରାସ୍ତାରେ ଯାଉଥିବା କୌଣସି ଗାଡ଼ି ଚାଳକ ଅବା ପଥଚାରୀ କାହାରିଙ୍କୁ ହଇରାଣ କରି ନାହାନ୍ତି କି ବିପଦରେ ପକାଇ ନାହାନ୍ତି।’
‘ଏହି ଦୁଇ ଘୋଡ଼ା ସେକ୍ଟର-୧୫,୧୬ ଓ ୧୭ ଅଞ୍ଚଳରେ ହିଁ ବୁଲାବୁଲି କରନ୍ତି। ଜାଣି ଆଶ୍ଚର୍ଯ୍ୟ ଲାଗେ ଯେ ପାଖଆଖରେ ଘୋଡ଼ାର କେହି ବି ମାଲିକ ନାହାନ୍ତି। ତଥାପି ଏହି ଦୁଇ ଘୋଡ଼ା ଲଗାମ୍ ଲାଗିଥିବା ଭଳି ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥାଆନ୍ତି। ଭୋକ ଲାଗିଲେ ସେକ୍ଟର ଅଞ୍ଚଳଆଡ଼େ ବୁଲିବାକୁ ଚାଲି ଯାଇଥାଆନ୍ତି। ଅଞ୍ଚଳବାସୀ ଘୋଡ଼ା ଦ୍ବୟକୁ ଦେଖି ଖୁସିରେ କିଛିକିଛି ଖାଇବାକୁ ଦେଇଥାଆନ୍ତି। ସଞ୍ଜ ନଇଁଲେ ଦୁହିଁଙ୍କର ଆଉ ଦେଖା ମିଳି ନଥାଏ। ସକାଳ ହେଲେ ଘୋଡ଼ା ଦ୍ବୟ ପୁଣି ପେଟ୍ରୋଲ ପମ୍ପ ସାମ୍ନାକୁ ଚାଲି ଆସନ୍ତି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/22/untitled-15-copy-2025-12-22-18-42-53.jpg)