ରାଉରକେଲା: ପାନପୋଷ ଛକସ୍ଥ ଏନ୍‌ଏସି ନୂଆ ମାର୍କେଟରେ ମାଲିକଙ୍କ ଅଫିସରୁ ସନ୍ଦେହଜନକଭାବେ କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ କର୍ମଚାରୀ ହେଲେ ସେକ୍ଟର-୬ ସି ବ୍ଲକର ଅଶ୍ବିନୀ କୁମାର ବାରିକ୍‌ (୩୫)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ରଘୁନାଥପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ପଠାଇଛି। ହତ୍ୟା ନା ଆତ୍ମହତ୍ୟା ପୁଲିସ ତା’ର ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି। 

Advertisment

ମିଳିଥିବା ସୂଚନା ମୁତାବକ ଅବସରପ୍ରାପ୍ତ ସରକାରୀ ଅଧିକାରୀ ଅଧୀର କୁମାର ବାରିକଙ୍କ ପୁଅ ଅଶ୍ବିନୀ ପରିବାର ସହ ସେକ୍ଟର-୬ ସି ବ୍ଲକରେ ରହନ୍ତି। ସେ ପାନପୋଷ ଏନ୍‌ଏସି ନୂଆ ମାର୍କେଟ ପରିସରରେ ସପ୍‌ ନଂ -୧୦୮ର ‘ବାଲାଜି ଡେଭଲ୍‌ପର୍ସ’ର ମାଲିକ ସରୋଜ କୁମ୍ଭାରଙ୍କ ଅଫିସରେ କାମ କରୁଥିଲେ। କୌଣସି କାରଣରୁ କିଛି ଦିନ ପୂର୍ବରୁ କାମ ଛାଡି ଦେଇଥିଲେ। ଆଜି ଦିନ ତମାମ ଅଫିସ୍‌ ଭିତରପଟୁ ତାଲା ମରାଯାଇଥିବା ଦେଖି ବ୍ୟବସାୟୀଙ୍କ ସନ୍ଦେହ ହୋଇଥିଲା। ସେମାନେ ଅଫିସ୍‌ରେ ଲାଗିଥିବା କାଚରୁ  ଭିତରେ ଜଣେ ଯୁବକ ଫ୍ୟାନ୍‌ରେ ଝୁଲୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ: Road Problem: ଅବଧି ସରିଲା, କାମ ସରୁନି, ୧୫ ପିଏମଜେଏସୱାଇ ରାସ୍ତା ଅଧାରେ: ୩୧ସୁଦ୍ଧା ନ ସରିଲେ ଫେରିଯିବ ଟଙ୍କା

ଅଶ୍ବିନୀ ପୁଣି ଅଫିସକୁ କେମିତି ଆସିଲେ ?

ତେବେ କିଛି ଦିନ ପୂର୍ବରୁ କାମ ଛାଡି ଦେଇଥିବା ଅଶ୍ବିନୀ ପୁଣି ଅଫିସକୁ କେମିତି ଆସିଲେ ? ମାଲିକଙ୍କ ଘରେ ତାଙ୍କୁ କିଏ ଅଫିସ୍‌ ଖୋଲିବାକୁ ଚାବି କାଠି ଦେଇଥିଲା ? ଅଶ୍ବିନୀ ମାଲିକଙ୍କ ଅଫିସ୍‌ ଭିତରେ ରଶି ଲଗାଇ ଫ୍ୟାନ୍‌ରେ ଝୁଲିପଡିଲେ। ନା ତାଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଛି, ପୁଲିସ ତା’ର ତଦନ୍ତ  ଚଳାଇଛି। ବାପା ଅଧୀର ଓ ଭାଇ ମନୋଜ ଅଶ୍ବିନୀଙ୍କ ମୃତ୍ୟୁର ଘଟଣାର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି।