ରାଉରକେଲା : ୭୧୨ କୋଟିର ଜାଲ କାରବାର ଦେଖାଇ ୧୨୯ କୋଟିର ଜିଏସଟି ଠକେଇ, ଅଭିଯୁକ୍ତ ଗିରଫ

Advertisment
ରାଉରକେଲା : ୭୧୨ କୋଟିର ଜାଲ କାରବାର ଦେଖାଇ ୧୨୯ କୋଟିର ଜିଏସଟି ଠକେଇ, ଅଭିଯୁକ୍ତ ଗିରଫ

ରାଉରକେଲା : ୭୧୨ କୋଟି ଟଙ୍କାର ଜାଲ୍‌ କାରବାର ଜରିଆରେ ୧୨୯.୦୯ କୋଟି ଟଙ୍କାର ଇନପୁଟ ଟାକ୍ସ କ୍ରେଡିଟ୍‌(ଆଇଟିସି) ଠକେଇର ପର୍ଦ୍ଦାଫାସ କରିଛି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ। ଏହି ଘଟଣାରେ ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍‌ ଲିମିଟେଡ୍‌ ନିର୍ଦ୍ଦେଶକ କାଶ୍ମୀରା କୁମାର ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ରାକେଟ୍‌ରେ ଜଡିତ ଥିବା ଅନ୍ୟ କେତେକ ଅପରାଧୀଙ୍କୁ ପୂର୍ବରୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଗିରଫ କରିଥିଲା ।

ଜିଏସ୍‌ଟି ଟିମ୍‌ ଜବତ କାଗଜପତ୍ରଗୁଡ଼ିକୁ ଯାଞ୍ଚ କରିବା ସହ ଗୁଇନ୍ଦା ତଥ୍ୟ ସଂଗ୍ରହ ପରେ  ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ବ୍ୟବସାୟୀ କାଶ୍ମୀରା ଅଗ୍ରୱାଲଙ୍କ ବାସଭବନ,ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ୧୧୩ ଗୋଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏକ ସମୟରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ କାଶ୍ମୀରାଙ୍କ ଠାରୁ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ ପ୍ରତିଷ୍ଠାନର ରବର ଷ୍ଟାମ୍ପ, ବ୍ୟାଙ୍କ ପାସ୍‌ବୁକ୍ , ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲେ। ତେବେ ଏଗୁଡ଼ିକୁ ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲେ। ବିଭିନ୍ନ ବ୍ୟାଙ୍କରେ ଏସବୁ ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ନାଁରେ ବ୍ୟାଙ୍କ ଖାତା ଖୋଲାଯାଇ ପ୍ରଚୁର ଅର୍ଥ କାରବାର କରିଥିବା ଜଣାପଡିବା ପରେ ଜିଏସ୍‌ଟି ଟିମ୍‌ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲେ। ସେ ସେକ୍ଟର-୮ରେ ଭଡାରେ ନିଆଯାଇଥିବା ଏହି ଜାଲ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ଘର ମାଲିକଙ୍କୁ ପଚରାଉଚୁରା ସମୟରେ ଏହି ଭଡା ସମ୍ପର୍କିତ ଚୁକ୍ତିଗୁଡ଼ିକ ନକଲି ଥିବା ଜଣାପଡିଥିଲା ।

ସବୁଠୁ ଆଶ୍ଚର୍ଯ୍ୟ ବିଷୟ ବହୁ ଟନ୍‌ ଓଜନର ଲୁହା ଓ ଷ୍ଟିଲ  ଦ୍ରବ୍ୟ ଗୁଡ଼ିକ ୱେବିଲ୍‌ ମାଧ୍ୟମରେ ଦୁଇ ଚକିଆ ଯାନ ଦ୍ବାରା ପରିବହନ କରାଯାଇଥିବା ଦର୍ଶାଯାଇଥିଲା। ସେହି ଦ୍ରବ୍ୟର ମୂଲ୍ୟ କୋଟି କୋଟି ଥିବା ଜଣାପଡିଛି। ଅନେକ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଦସ୍ତଖତକୁ ନକଲ କରାଯାଇ ବ୍ୟାଙ୍କ ଆକାଉଣ୍ଟ ଖୋଲଯାଇଥିଲା। ଏହି ଆକାଉଣ୍ଟ ଜରିଆରେ କୋଟି କୋଟି ଟଙ୍କାର ନେଣଦେଣ କରାଯାଇଥିଲା। ଚଢ଼ଉ ସେବେଳ ବ୍ୟବସାୟୀ ଅଗ୍ରୱାଲଙ୍କ ଦ୍ବାରା ପରିଚାଳିତ କେତେକ ପ୍ରତିଷ୍ଠାନର ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରାଯାଇଛି। ଏଥିରେ ପ୍ରାୟ ଦୁଇ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଶ୍ରୀ ଅଗ୍ରୱାଲ ବହୁ ଦିନ ଧରି ଜିଏସ୍‌ଟି ଏନ୍‌ଫୋସମେର୍ଣ୍ଟ ଟିମ୍‌ ନଜରରେ ଥିଲେ ମଧ୍ୟ ସେ ଫେରାର ରହୁଥିଲେ। କେତେବେଳେ ହରିୟାଣା ତ କେ‌ତେବେଳେ ଟାଟା ଓ ପୁଣି କେତେବେଳେ ରାଉରକେଲା, ଏପରି ସେ ବାରମ୍ବାର ଠିକଣା ବଦଳାଇ ଚାଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe