ଚାଷଜମିକୁ ପଡୁନି ପାଣି; କିନ୍ତୁ ଚାଷୀଙ୍କୁ ଦେବାକୁ ପଡୁଛି ଜଳକର

ବାଲିଶଙ୍କରା ବ୍ଲକର ଦେଓଭୁବନପୁର ପଂଚାୟତ ଦେଓଭୁବନପୁର ଗ୍ରାମରେ କୁକୁଡ଼ାନାଳ ଉପରେ ୧୯୮୨-୮୩ ମସିହାରେ ନିର୍ମାଣ ହୋଇଛି ଡ୍ୟାମ | ଏହି ଡ୍ୟାମ ହେବାର କାରଣ ଅନିୟମିତ ବର୍ଷା, ସ୍ୱଳ୍ପ ବୃଷ୍ଟିପାତ, ଗଜା ମରୁଡି ସ୍ଥିତିରେ ଚାଷୀଙ୍କ ଚାଷଜମିରେ ପାଣି ଯୋଗାଇବା।

Untitled

ବାଲିଶଙ୍କରା: ବାଲିଶଙ୍କରା ବ୍ଲକର ଦେଓଭୁବନପୁର ପଂଚାୟତ ଦେଓଭୁବନପୁର ଗ୍ରାମରେ କୁକୁଡ଼ାନାଳ ଉପରେ ୧୯୮୨-୮୩ ମସିହାରେ ନିର୍ମାଣ ହୋଇଛି ଡ୍ୟାମ | ଏହି ଡ୍ୟାମ ହେବାର କାରଣ ଅନିୟମିତ ବର୍ଷା, ସ୍ୱଳ୍ପ ବୃଷ୍ଟିପାତ, ଗଜା ମରୁଡି ସ୍ଥିତିରେ ଚାଷୀଙ୍କ ଚାଷଜମିରେ ପାଣି ଯୋଗାଇବା। ହେଲେ ତାହା ଉପଯୋଗୀ ହୋଇପାରୁନାହିଁ। କିନ୍ତୁ ପରିତାପର ବିଷୟ ହେଉଛି, ଚାଷୀଙ୍କ ଚାଷଜମିରେ ପାଣି ନ ଯୋଗାଇ ଜଳ କର ଆଦାୟ କରାଯାଉଛି। ସେଥିପାଇଁ ଅଂଚଳର ଚାଷୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

 ଏହି ଡ୍ୟାମ ନିର୍ମାଣରେ ପ୍ରାୟ ୨ ହଜାର ହେକ୍ଟର ଜମିରେ ପାଣି ଚାଷ ପାଇଁ ଯୋଗାଇ ଦିଆଯାଇପାରିବ ବୋଲି ନିର୍ଦ୍ଦେଶନାମାରେ ପ୍ରସ୍ତାବ ଅଛି।  ଏହି ଡ୍ୟାମରେ ବର୍ଷା ଜଳ ସଂରକ୍ଷିତ ରଖି ଆବଶ୍ୟକ ବେଳେ ପାଣି ଛଡାଯିବା ବ୍ୟବସ୍ଥା ପାଇଁ ସୁଇଚ ଓ ଦୁଇଟି କେନାଲ ନିର୍ମାଣ କରାଯାଇଥିଲା। ବାମ କେନାଲ ୬ କିଲୋମିଟର ପର୍ଯ୍ୟନ୍ତି ଲମ୍ବିଛି। ଏହି କେନାଲ ଦ୍ବାରା ରଷ୍ଟି, ତିଲଡେଗା, ଜବଲାଡ଼ିହି ଗ୍ରାମର ୬୬୧ ହେକ୍ଟର ଜମିରେ ଜଳସେଚନ ଲକ୍ଷ ରହିଥିଲା। ସେହିପରି ୧୦ କିଲୋମିଟର ଯାଏ ଲମ୍ବିଥିବା ଡାହାଣ କେନାଲରୁ ଦେଓଭୁବନପୁର, କିଞ୍ଜିରକେଲା ଗ୍ରାମର ୧୨୮୧ ହେକ୍ଟର ଜମିରେ ଜଳସେଚନର ଲକ୍ଷ ଥିଲା।

ଡ୍ୟାମ ହେବାଠାରୁ ଦେଓଭୁବନପୁର ଓ କିଞ୍ଜିରକେଲା ଗ୍ରାମକୁ ମାତ୍ର ୩/୪ ବର୍ଷ ପାଣି ପହଞ୍ଚିଲା। ଆଉ ୪ଟି ଗ୍ରାମକୁ କେବେ ହେଲେ ପାଣି ଆସିପାରିଲା ନାହିଁ ବୋଲି ଚାଷୀମାନେ ମତ ଦେଇଥିଲେ। ପ୍ରତ୍ୟେକ ବର୍ଷ କେନାଲ ନିର୍ମାଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ, ହେଲେ ପାଣି ସମ୍ପୂର୍ଣ୍ଣ ରୂପେ ଜମିକୁ ଆସୁନାହିଁ। କିନ୍ତୁ ଚାଷୀମାନେ ଜଳକର ଦେଇଆସୁଛନ୍ତି। ଯଦି ଜଳକର ଚାଷୀ ନଦେଲେ ପିଲାଛୁଆଙ୍କ ବିଭିନ୍ନ ସାର୍ଟିଫିକେଟ ତିଆରି କରିବାରେ ବାଧା ହେଉଛି। ଖଜଣା ପୈଠ ନକଲେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେବା ଭୟରେ ଚାଷୀ ବାଧ୍ୟ ହୋଇ ଜଳକର ଦେଉଥିବା ଅନେକ ଚାଷୀ ମତ ପ୍ରକାଶ କରିଛନ୍ତି।

ଏବାବଦରେ ଅଧିକ୍ଷକ ଯନ୍ତ୍ରୀ ଡି. ନାଏକଙ୍କୁ ଯୋଗାଯୋଗ କରିବାରୁ ‘‘ମୁଁ ନୂତନ ରୂପେ କାର୍ଯ୍ୟରେ ଯୋଗଦେଇଛି। ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମତ ଦେଇଥିଲେ। ଅପରପକ୍ଷେ ପାଣି ଜମିକୁ ଯାଉନଥିବାବେଳେ ଚାଷ କାର୍ଯ୍ୟରେ ବାଧା ହେବା ସହ ଧାନ ବିଲରେ ପାଣି ନଥିବାରୁ ବିଲ ଶୁଖିଗଲାଣି। କେନାଲରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାସ୍ଥଳେ କାହିଁକି ପାଣି ଆସିପାରୁନାହିଁ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ବିଚଳିତ ହୋଇ ଚାଷୀମାନେ ଆନ୍ଦୋଳନ ପାଇଁ ସଜାଗ ହେଉଥିବା ଜଣାପଡୁଛି। ଏଥିପ୍ରତି ଦୃଷ୍ଟି ଦେବା ସହିତ ସ୍ୱତନ୍ତ୍ର ଭାବେ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ଏହି ଗ୍ରାମର ଚାଷୀମାନେ ଦୃଷ୍ଟି ଆକର୍ଷଣ କରିବାକୁ ଆଦି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe