ଛେଉଣ୍ଡ ଝିଅ ପାଖରେ ପହଞ୍ଚିଲେ ଫିଲ୍ମ ଷ୍ଟାର୍ ପ୍ରଦୀପ 

Advertisment
ଛେଉଣ୍ଡ ଝିଅ ପାଖରେ ପହଞ୍ଚିଲେ ଫିଲ୍ମ ଷ୍ଟାର୍ ପ୍ରଦୀପ 

ସୁନ୍ଦରଗଡ଼ : ହେମଗିର ବ୍ଲକ୍ କନିକା ପଞ୍ଚାୟତ ଗିରିପୁରର ବାପାମା’ ଛେଉଣ୍ଡ ଶାନ୍ତି ସୁଣ୍ଡି ଦୁଇ ଭାଇ ସହ ତାଲା ବନ୍ଦ ସମୟରେ ଅସହାୟ ଭାବେ ଜୀବନ ବିତାଉଥିବା ଖବର ‘ସମ୍ବାଦ’ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଖବର ପଢ଼ି ଆଜି ଓଡ଼ିଆ ଚଳଚିତ୍ର ଅଭିନେତା ପ୍ରଦୀପ ଦତ୍ତ ତାଙ୍କ ଘରେ ପହଞ୍ଚି ଆଶ୍ବାସନା ଦେଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହା ସହ କାମଳ ରୋଗରେ ଆକ୍ରାନ୍ତ ଶାନ୍ତିର ଚିକିତ୍ସା ଦାୟିତ୍ବ ପ୍ରଦୀପ ଦତ୍ତ ଫାଉଣ୍ଡେସନ ନେବ ବୋଲି ପ୍ରକାଶ କରିଥିଲେ। ପ୍ରଦୀପଙ୍କ ସହ ସାମ୍ବାଦିକା ଶିବାନୀ ଦେ ମଧ୍ୟ ଗିରିପୁର ଯାଇଥିଲେ। ପ୍ରକାଶଯୋଗ୍ୟ, ୪ ବର୍ଷ ତଳେ ବାପାମା’ଙ୍କୁ ହରାଇବା ପରେ ଦୁଇ ନାବାଳକ ଭାଇ ସହ ଶାନ୍ତି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। କୁମାରୀ ବୟସରେ ସିଏ ହିଁ ଘର ସମ୍ଭାଳି ଆସୁଛନ୍ତି। ସାଇକଲରେ ପ୍ରତିଦିନ ୧୫ କିଲୋମିଟର ବେଲପାହାଡ଼ ଯାଇ ମଜୁରି ଖଟି ୩ ଜଣଙ୍କ ପେଟକୁ ଆହାର ଯୋଗାଇ ଆସୁଥିବା ବେଳେ ତାଲାବନ୍ଦ ଯୋଗୁଁ ମଜୁରିର ବାଟ ମଧ୍ୟ ବନ୍ଦ ହୋଇ ଯାଇଛି। ଏସ୍ଥିତିରେ ତିନି ଭାଇଭଉଣୀ ପ୍ରାୟ ମାସେ ହେଲା ଏକ ପ୍ରକାର ଭୋକ ଉପାସରେ ରହୁଥିଲେ। ତେବେ ଏ ସମ୍ପର୍କରେ ଖବର ପ୍ରକାଶନ ପରେ ଦୁଇ ଦିନ ତଳେ ସେମାନଙ୍କ ପାଖରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚର ଏକ ପ୍ରତିନିଧି ଦଳ ପହଞ୍ଚି କିଛି ରାସନ ସାମଗ୍ରୀ ଦେବା ସହ ଅସୁସ୍ଥ ଶାନ୍ତିକୁ ହେମଗିର ଡାକ୍ତରଖାନା ନେଇଥିଲେ। ଆଜି ପ୍ରଦୀପ ପହଞ୍ଚି ସହାୟତା ଦେଇଥିବା ବେଳେ ଶାନ୍ତି ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe