ସୁନ୍ଦରଗଡ଼: ସକାଳେ ସୁନ୍ଦରଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ଟିଡିସିସି, କେଡିଆ ଓ ସିଲାଇନ୍ଛକରେ ଥିବା ପେଟ୍ରୋଲ ପମ୍ପରେ ଚଢ଼ଉ କରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ୩ଟି ପେଟ୍ରୋଲ ପମ୍ପରେ ଅଗ୍ନି ନିରାପତ୍ତା ନେଇ ବିଶେଷ ବ୍ୟବସ୍ଥା ନଥିବା ଯାଞ୍ଚକାରୀ ଦଳ ଦେଖିବାକୁ ପାଇଥିଲେ। ଏହା ସହ ୫ଟି କମ୍ପ୍ୟୁଟର ଓ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ଶଙ୍କରାସ୍ଥିତ ବିଦ୍ୟାବତୀ ଏଜୁକେସନ, କାନରା ବ୍ୟାଙ୍କ ନିକଟ ଆଲଫା କ୍ଲାସସେ, ରଙ୍ଗାଢିପାସ୍ଥିତ ଏଜୁକେଟ କୋଚିଂ ଓ କମ୍ପ୍ୟୁଟର ସେଣ୍ଟର, ବିଏସ୍ଏନଏଲ୍ଅଫିସ ନିକଟରେ ଥିବା ଶ୍ରୀକ୍ରିଷ୍ଣା କୋଚିଂ ସେଣ୍ଟର୍ର ମାଲିକଙ୍କୁ ସେଣ୍ଟର୍ରେ ତୁରନ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରି ଅଗ୍ନି ନିରାପତ୍ତା ସମ୍ପର୍କିତ ପ୍ରମାଣପତ୍ର ନେବାକୁ ତାଗିଦ କରାଯାଇଛି। ତେବେ ପେଟ୍ରୋଲ ପମ୍ପ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ରବିନାରାୟଣ ସାମଲ ପ୍ରକାଶ କରିଛନ୍ତି। ଅନ୍ୟପଟେ ସହରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅନେକ କୋଚିଂ ସେଣ୍ଟର ଥିବା ଜଣାପଡ଼ିଥିବା ବେଳେ ସେଗୁଡ଼ିକର ମଧ୍ୟ ଯାଞ୍ଚ କରି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।
୩ ପେଟ୍ରୋଲ ପମ୍ପରେ ଅଗ୍ନିଶମ ବିଭାଗ ଚଢ଼ଉ
Advertisment
Follow Us