ରାଉରକେଲା: ଟ୍ରେନ୍‌ରୁ ଲୁଟ୍‌ ହୋଇଥିଲା ୭୦ ଭରି ସୁନା, ଉଦ୍ଧାର ହେଲା ୩୪.୫ ଭରି, ୨ ଅଭିଯୁକ୍ତ ଗିରଫ

ରାଉରକେଲା: ଟ୍ରେନ୍‌ରୁ ଲୁଟ୍‌ ହୋଇଥିଲା ୭୦ ଭରି ସୁନା, ଉଦ୍ଧାର ହେଲା ୩୪.୫ ଭରି, ୨ ଅଭିଯୁକ୍ତ ଗିରଫ

ରାଉରକେଲା: ପ୍ରାୟ ୨୦ ଦିନ ତଲେ ଲୁଟ୍‌ ହୋଇଥିବା ୭୦ ଭରି ସୁନାରୁ ୩୪.୫ ଭରି ଉଦ୍ଧାର କରିଛି ଜିଆରପି ରାଉରକେଲା ଓ ରାୟଗଡ଼ା ଏବଂ ପ୍ଲାଣ୍ଟ ସାଇଟ୍‌ ପୁଲିସ। ସୂଚନା ଅନୁସାରେ ପୁଲିସ ରାଉରକେଲାର ପାନପୋଷସ୍ଥିତ କୋଏଲ ବ୍ୟାଙ୍କ ନିକଟରୁ ମୁଖ୍ୟ ଅଭିଯୁକ୍ତ ଆକବର୍‌ ଅଲିଙ୍କ ଠାରୁ ୨୩ ଭରି ସୁନା ଜବତ କରିବା ସହିତ ତାକୁ ଗିରଫ କରିଛି। ମୁଟୁଥ ଫାଇନାନ୍ସରୁ ୧ ଲକ୍ଷ ୮୦ ହଜାର ଟଙ୍କା ନେଇ ଆକବର ବନ୍ଦ ରଖିଥିବା ୯ ଭରି ସୁନା ମଧ୍ୟ ଜବତ ହୋଇଛି। ସେହିପରି ପୁଲିସ ଗହଣା ତିଆରି ପାଇଁ ପିଙ୍କୁ ଲୋହାରଙ୍କୁ ଦିଆଯାଇଥିବା ୨.୫ ଭରି ସୁନାକୁ ମଧ୍ୟ ଜବତ କରିଛି। ଲୁଟ ସୁନା ଓ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ଘଟଣାକୁ ରେଳବାଇ ଏସ୍‌ପି ଅଜୟ ପ୍ରତାପ ସିଂହ ଓ ଡିଏସ୍‌ପି କେ.ସି. ବୁର୍ଦା (ରାୟଗଡ଼ା ରେଳବାଇ) ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ପୁଲିସ ଅଧିକାରୀ କହିଛନ୍ତି ୨ ଜଣ ଅଭିଯୁକ୍ତ ୩୫.୫ ଭରି ସୁନା ନେଇ ଫେରାର ଅଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ଯୋଜନା କରୁଛି।

ଟ୍ରେନ୍‌ରେ ଏମିତି ହୋଇଥିଲା ଲୁଟ୍‌

ଗତ ଡିସେମ୍ବର ୧୭ରେ ବରଗଡ଼ ଜିଲ୍ଲାର ଅତାବିରା ନିବାସୀ ବି. ସତ୍ୟନାରାୟଣ ଓ ତାଙ୍କ ଭଉଣୀ ବି ଚେଲେମା ବୋକାରୋ-ଏଲେପି ଏକ୍ସପ୍ରେସରେ ଆନ୍ଧ୍ରପ୍ରଦେଶର ପ୍ରତାପପୁର ଯାଉଥିଲେ। ସେମାନେ ସାଥୀରେ ୨ଟି ଆଟାଚି ନେଉ ଭାଣଜୀର ବିବାହରେ ଯୋଗଦେବା ପାଇଁ ବରଗଡ଼ ଷ୍ଟେସନରେ ଟ୍ରେନ୍‌ ଚଢ଼ିଥିଲେ। ଭାଇ-ଭଉଣୀ ଟ୍ରେନରେ ଚଢ଼ିବା ପରେ ରାଉରକେଲାରୁ ବୋକାରୋ ଟ୍ରେନରେ ଚଢ଼ିଥିବା ୩ ଅଭିଯୁକ୍ତ ସେମାନଙ୍କୁ ଫଲୋ କରୁଥିଲେ। ଅଭିଯୁକ୍ତମାନେ କୌଶଳ କ୍ରମେ ଆଟାଚିରେ ଭର୍ତ୍ତି ସୁନାକୁ ନେଇ ରାୟଗଡ଼ା ଷ୍ଟେସନରୁ ଖସି ଯାଇଥିଲେ।

publive-image

ସିସିଟିଭିରୁ ମିଳିଲା ସୁରାକ

ସୁନା ଚୋରୀ ଶିକାର ହେବା ପରେ ଭାଇ-ଭଉଣୀ ମନଦୁଃଖରେ ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରିବା ବାଟରେ ଡିସେମ୍ବର ୨୨ରେ ରାୟଗଡ଼ା ଜିଆରପିରେ ଅଭିଯୋଗ କରିଥିଲେ। ଜିଆରପି ମାମଲା ରୁଜୁ କରି ସିସିଟିଭି ଯାଞ୍ଚ କରିଥିଲା। ଓ ଅଭିଯୁକ୍ତମାନଙ୍କର ଟିକେଟରୁ ମୋବାଇଲ ନମ୍ବର ପାଇଥିଲା। ଏହା ପରେ ଜିଆରପି ରାୟଗଡ଼ା ରାଉରକେଲା ପହଞ୍ଚିଥିଲା। ମୋବାଇଲ ଟ୍ରାକିଂ ଜରିଆରେ ରାଉରକେଲା ଜିଆରପି ଏବଂ ପ୍ଲାଣ୍ଟ ସାଇଟ ପୁଲିସର ମିଳିତ ଚଢ଼ଉରେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ଅନ୍ୟ ଅଭିଯୁକ୍ତ ପିଙ୍କୁ ଲୋହାରକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe