ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ, ପାଣି ପାଇପ୍‌ ମିସ୍ତ୍ରି ନାଁରେ ୭୦ କୋଟିର ବେପାର

Advertisment
ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ, ପାଣି ପାଇପ୍‌ ମିସ୍ତ୍ରି ନାଁରେ ୭୦ କୋଟିର ବେପାର

ରାଉରକେଲା: ଇସ୍ପାତ ସହରରେ ଜାଲ୍‌ ଆକାଉଣ୍ଟ୍‌ ମାଧ୍ୟମରେ ଜିଏସ୍‌ଟି ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌(ଆଇଟିସି) ଅର୍ଥ ଲୁଟ୍‌ ତାଲିକା ବେଶ୍‌ ଲମ୍ବା। କେବଳ ରାଉରକେଲାରେ ଏଭଳି ଅସାଧୁ ଉପାୟରେ ପ୍ରାୟ ୨ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜିଏସ୍‌ଟି ଅର୍ଥ ହଡ଼ପ ହୋଇଥିବା ବିଭାଗ ଆକଳନ କରୁଛି। ଅପରପକ୍ଷରେ ନିୟମିତ ବ୍ୟବଧାନରେ କିଭଳି ଜନସାଧାରଣ ଠକାମିର ଶିକାର ହୋଇଛନ୍ତି; ତାହା ନଜରକୁ ଆସୁଛି।

ବିଶେଷକରି ଗରିବ ଖଟିଖିଆ, ଦିନ ମଜୁରିଆମାନେ ଜିଏସ୍‌ଟ୍‌ ଠକଙ୍କ ଜାଲ୍‌ରେ ଫସିଯାଇଛନ୍ତି। ବିଧବାଠାରୁ ଆରମ୍ଭ କରି ଅଟୋ ଚାଳକ, ଚା ବିକାଳି, ମୁଢ଼ି ବିକାଳି, ଗୁପ୍‌ଚୁପ୍‌ ବିକାଳି ପର୍ଯ୍ୟନ୍ତ, ଅପେକ୍ଷାକୃତ ଗରିବ ଶ୍ରେଣୀର ଲୋକ ଚାକିରି ଆଶାରେ କାଗଜପତ୍ର ଦେଇ ଫସିଯାଇଛନ୍ତି। ଏବେ ଜଣେ ପାଇପ୍‌ ମିସ୍ତ୍ରୀ ଏହି ଠକାମିର ଶିକାର ହୋଇଥିବା ଜଣାପଡ଼ିଛି। ବାସନ୍ତୀକଲୋନି ହରିପୁର ବସ୍ତିରେ ରହୁଥିବା ପାଇପ୍‌ ମିସ୍ତ୍ରୀ ସମୀର ଯୋଯୋଙ୍କ ନାଁରେ ଠକମାନେ ଜାଲ୍‌ କମ୍ପାନି ତିଆରି କରି ୭୦ କୋଟିର ବ୍ୟବସାୟ ଦର୍ଶାଇଛନ୍ତି। ଏହି ବାବଦକୁ କୋଟି କୋଟି ଟଙ୍କାର ଆଇଟିସି ଅର୍ଥ ଠକି ନେଇଛନ୍ତି।

ହରିପୁର ବସ୍ତିରେ ଭଡ଼ା ଘରେ ରୁହନ୍ତି ସମୀର। ପାଇପ୍‌ ମିସ୍ତ୍ରୀ କାମ କରି ଯାହା ରୋଜଗାର ହୁଏ ସେଥିରୁ ବୁଢ଼ା ବାପା-ମା’ ଓ ଦୁଇ ଭାଇଙ୍କ ରକ୍ଷଣାବେକ୍ଷଣ କରନ୍ତି। ଆୟ କମ୍‌ ଥିବାରୁ ବର୍ଷତମାମ ଆର୍ଥିକ ସମସ୍ୟା ଲାଗିରହିଥାଏ। ଏହାର ସୁଯୋଗ ନେଇ ଠକ ଦଳ ଏଚ୍‌ଡିଏଫ୍‌ସି, ବିଶ୍ରା ରୋଡ୍‌ ଶାଖାରେ ପ୍ରାୟ ଦୁଇ ବର୍ଷ ପୂର୍ବେ ଏକ ଆକାଉଣ୍ଟ୍‌(ନଂ-୫୦୨୦୦୦୩୮୯୦୨୯୩୨) ଖୋଲିଥିଲେ। ଏହି ଆକାଉଣ୍ଟ୍‌ ବଳରେ ‘ସାଇ ଟ୍ରେଡର୍ସ‌୍’ ନାଁରେ ଏକ ନକଲି କମ୍ପାନି ତିଆରି କରିଥିଲେ। ଏହି କମ୍ପାନିର ଠିକଣା ସେକ୍ଟର-୧୮ ଏନ୍‌ଏସି ମାର୍କେଟ୍‌ ସପ୍‌ ନଂ-୭୧ ରହିଛି। ତେବେ ୨୦୧୭ ଜୁଲାଇ ମାସରୁ ୨୦୧୯ ମାର୍ଚ୍ଚ ଭିତରେ ଏହି କମ୍ପାନି ନାଁରେ ପ୍ରାୟ ୭୦ କୋଟି ଟଙ୍କାର ବ୍ୟବସାୟ କରି ବିପୁଳ ପରିମାଣର ଜିଏସ୍‌ଟି ଅର୍ଥକୁ ଲୁଟିନେଇଛନ୍ତି। ତେବେ ଏସବୁ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲେ ସମୀର। ଏହି ଠକେଇ ନେଇ ଷ୍ଟେଟ୍‌ ଟ୍ୟାକ୍ସ ଅଫିସର, ଏନ୍‌ଫୋର୍ସମେଣ୍ଟ୍‌ ୟୁନିଟ୍‌,ସମ୍ବଲପୁର ପକ୍ଷରୁ ସମନ ଜାରି ହେବାପରେ ସମୀର ଏ ବିଷୟରେ ଜାଣିବାକୁ ପାଇଥିଲେ। ପରେ ଜିଏସ୍‌ଟି କର୍ତ୍ତୃପକ୍ଷଙ୍କ ସାମ୍ନାରେ ହାଜର୍‌ ହୋଇ ନିଜର ପକ୍ଷ ରଖିଥିଲେ। ଏହି ମାମଲା ବିଚାରାଧୀନ ରହିଛି। ତେବେ ଠକେଇ ବିଷୟରେ ଆଦୌ ଜାଣିନଥିବାରୁ ସମୀର ଏବେ ଅନିଶ୍ଚିତତାରେ ଦିନ କାଟୁଛନ୍ତି।

ସମୀରଙ୍କ କହିବାନୁସାରେ, ଆର୍‌ଏସ୍‌ପିରେ ଠିକା ଶ୍ରମିକଭାବେ ମାସିକ ୧୨ ହଜାର ଟଙ୍କାର ନିଯୁକ୍ତି ଦେବାକୁ ବିକାଶ ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତି ପ୍ରତିଶ୍ରୁତି ଦେଇଥିଲେ। ଚାକିରି ଆଶାରେ ତାଙ୍କୁ ସବୁ ଆବଶ୍ୟକୀୟ କାଗଜପତ୍ର ଦେଇଥିଲି। କିଛି ଦିନ ପରେ, ଦରମା ପାଇଁ ନୂଆ ଆକାଉଣ୍ଟ୍‌ ଖୋଲିବାକକୁ ପଡ଼ିବ କହି ବିକାଶ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌କୁ ନେଇଯାଇଥିଲେ। ତା’ପରେ ଆଉ ଦିନେ ହେଲେ ବ୍ୟାଙ୍କ୍‌କୁ ଯାଇନି। ଏତଦ୍‌ବ୍ୟତୀତ କେବେ ବି ବ୍ୟାଙ୍କ୍‌ ପକ୍ଷରୁ ଚେକ୍‌ ବୁକ୍‌ କିମ୍ବା ଅନ୍ୟାନ୍ୟ କାଗଜପତ୍ର ପାଇନଥିବା କହିଛନ୍ତି।

ପ୍ରକାଶଥାଉକି, ସମାନ ପଦ୍ଧତିରେ ଅର୍ବାନ କୋ-ପରେଟିଭ୍‌ ବ୍ୟାଙ୍କ୍‌ରେ ପ୍ରାୟ ଶହେରୁ ଅଧିକ ଜାଲ୍‌ ଆକାଉଣ୍ଟ୍‌ ଖୋଲି କୋଟି କୋଟି ଟଙ୍କା ଠକିନେଇଛନ୍ତି ଠକ ଦଳ। ଗରିବ ନିରୀହଙ୍କଠାରୁ କାଗଜପତ୍ର ନେଇ ଜାଲ୍‌ ଆକାଉଣ୍ଟ୍‌ ଓ ନକଲି କମ୍ପାନି ତିଆରି କରି ଜିଏସ୍‌ଟି ଅର୍ଥ ଲୁଟ୍‌ କରାଯାଇଛି। ଏସବୁ ଠକେଇ ପଛରେ ବ୍ୟାଙ୍କ୍‌ କର୍ତୃପକ୍ଷଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe