ସୁନ୍ଦରଗଡ଼କୁ ଦାଉ ସାଧୁଛି ଲଗାଣ ବର୍ଷା: ବସ୍ତିରେ ପଶିଲା, କଲବଲ କଲା ପାଣି... ହନ୍ତସନ୍ତ ଲୋକେ

WhatsApp Image 2025-08-22 at 22.42.39

ରାଉରକେଲା: ଲଗାଣ ବର୍ଷା ଆଜି ପୁଣି ସହରବାସୀଙ୍କୁ କଲବଲ କରିଛି। ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ଏହି ବର୍ଷା ଶୁକ୍ରବାର ଦିନସାରା ଲାଗିରହିଥିଲା । ଗମନାଗମନଠୁ ଆରମ୍ଭ କରି ବେପାର ପର୍ଯ୍ୟନ୍ତ, ସବୁ ପ୍ରଭାବିତ ହୋଇଛି। ଏମିତିକି ବିଭିନ୍ନ ଅଞ୍ଚଳରେ ପୁନର୍ବାର ପାଣି ପଶିବା ସହ ଲୋକେ ଜଳବନ୍ଦୀ ହୋଇଛନ୍ତି।
ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଗୋପବନ୍ଧୁପାଲି ସହଦେବ ବସ୍ତିରେ ପାଣି ପଶିଥିଲା। ଏହି ବସ୍ତିର ପାଖାପାଖି ୩୦ ଘରେ ପାଣି ପଶିବାରୁ ବହୁ କ୍ଷୟକ୍ଷତି ହୋଇଛି। ଖାଦ୍ୟସାମଗ୍ରୀ, ଆସବାବପତ୍ର ସବୁ ଧୋଇହୋଇଯାଇଛି। ଏହି ବସ୍ତି ଦେଇ ଯାଇଥିବା ସହରର ଅନ୍ୟତମ ମୁଖ୍ୟ ଡ୍ରେନ୍‌ ଅଳିଆ ଆବର୍ଜନା ଯୋଗୁଁ ଜାମ୍‌ ହୋଇଯାଇଥିଲା। ଯଦ୍ବାରା ପାଣି ନିସ୍କାସନ ହୋଇନପାରି ବସ୍ତି ଅଞ୍ଚଳକୁ ମାଡ଼ିଆସିଥିଲା।

WhatsApp Image 2025-08-22 at 22.42.40

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ତୃତୀୟଥର ପାଇଁ ବୁଡ଼ିଛି ଏହି ବସ୍ତି। ପ୍ରବଳ ବର୍ଷା ଯୋଗୁଁ ଗତ ଜୁଲାଇ ୧୪ ଓ ଅଗଷ୍ଟ ୮ ତାରିଖରେ ଅଞ୍ଚଳରେ ପାଣି ପଶିଥିଲା। ଅବଶ୍ୟ ଆଜି ସକାଳେ ସ୍ଥାନୀୟ ଯୁବକମାନେ ଡ୍ରେନ୍‌କୁ ସଫା କରିବାପରେ ପାଣି ନିସ୍କାସିତ ହୋଇଥିଲା। ଗଙ୍ଗାଧରପାଲି ଏଫ୍‌ସିଆଇ ବସ୍ତିରେ ସମାନ ଦୃଶ୍ୟ ପରିଲକ୍ଷିତ ହୋଇଛି। ଏଠାରେ ପ୍ରାୟ ୩୦/୪୦ ଘରେ ପାଣି ପଶିଛି। ସେହିଭଳି ରହମତନଗର ଚାରିକଡ଼ରେ ପାଣି ଭର୍ତ୍ତି ହୋଇରହିଛି। ରାତିରେ ବର୍ଷା ହେଲେ, ଏହି ବସ୍ତି ବୁଡ଼ିବା ଜଳଜଳ ହୋଇ ଦିଶୁଛି। ତେବେ ପୂର୍ବଥରଭଳି ଏଥର ମଧ୍ୟ ପ୍ରଭାବିତଙ୍କ ପାଖରେ ପହଞ୍ଚି ପାରିନି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)। ଏମିତିକି ଜାମ୍‌ ହୋଇଥିବା ଡ୍ରେନ୍‌କୁ ମଧ୍ୟ ସଫା କରିବାକୁ ପହଞ୍ଚିନଥିଲେ। ଫଳରେ ସ୍ଥାନୀୟଲୋକ ନିଜେ ସଫା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe