ଓଡ଼ିଶା ସୀମାରେ ପଶି ଯୁବତୀଙ୍କୁ ଅସଦାଚରଣ କଲା ଝାଡ଼ଖଣ୍ଡ ପୁଲିସ

Advertisment
ଓଡ଼ିଶା ସୀମାରେ ପଶି ଯୁବତୀଙ୍କୁ ଅସଦାଚରଣ କଲା ଝାଡ଼ଖଣ୍ଡ ପୁଲିସ

Image Courtesy of MysuruToday

ରାଉରକେଲା: ଓଡ଼ିଶା ସୀମା‌ରେ ପଶି ଝାଡ଼ଖଣ୍ଡ ପୁଲିସ ଦୁଇ ଜଣ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଆଜି ଦିନ ଦ୍ବିପ୍ରହରରେ ବସ୍‌ ଅପେକ୍ଷାରେ ଥିବା ଦୁଇ ଜଣ ଯୁବତୀଙ୍କୁ ଅଶୋଭନୀୟ ପ୍ରଦର୍ଶନ କରିଥିଲେ। ଏନେଇ ଉଭୟଙ୍କୁ ବେଶ୍‌ ହଟହଟା ହେବାକୁ ପଡ଼ିଛି। ଦୁଇ ଯୁବତୀଙ୍କ ଗୋଡ଼ଧରି ଭୁଲ ମାଗିଛନ୍ତି। ଏହି ଘଟଣା ଦେଖିବାକୁ ମିଳିଛି ଓଡ଼ିଶା ସୀମାନ୍ତ ‌ଜରୈକେଲାଠାରେ ।

ଓଡ଼ିଶା ସୀମାନ୍ତ ଜରୈକେଲା ହେଉଛି ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ ବିଶ୍ରା ଥାନା ପରିସରଭୁକ୍ତ। ଜରୈକେଲାରେ ଏକ ଫାଣ୍ଡି ରହିଛି। ଏହାର ପ୍ରାୟ ୧ କିଲୋମିଟର ଦୂରତାରେ, ଝାଡ଼ଖଣ୍ଡ ସୀମାନ୍ତ ଜରୈକେଲାରେ ମଧ୍ୟ ସେଠାକାର ପୁଲିସ ଫାଣ୍ଡି ରହିଛି। ଝାଡ଼ଖଣ୍ଡ ସୀମାନ୍ତ ଜରୈକେଲାର ଆଖପାଖ ଅଞ୍ଚଳରେ ଖାଦ୍ୟସାମଗ୍ରୀ, ରାସନ ସାମଗ୍ରୀ ଉପଲବ୍ଧ ହେଉନି। ଏଣୁ ଝାଡ଼ଖଣ୍ଡ ସୀମାନ୍ତ ଜରୈକେଲା ଆଉଟପୋଷ୍ଟ୍‌ର ପୁଲିସ କର୍ମଚାରୀ ନିତ୍ୟ ଆବଶ୍ୟକୀୟ ଖାଦ୍ୟପେୟ ପାଇଁ ଓଡ଼ିଶା ସୀମାନ୍ତ ଜରୈକେଲାକୁ ଆସିଥାନ୍ତି। ଏହି କ୍ରମରେ ଆଜି ସେଠାକାର ୨ ଜଣ ପୁଲିସ କର୍ମଚାରୀ ଓଡ଼ିଶା ସୀମାନ୍ତ ଜରୈକେଲାକୁ ଆସିଥିଲେ। ଏହି ସମୟରେ ରାଉରକେଲାର ଦୁଇ ଯୁବତୀ ମନୋହରପୁର ଯିବାକୁ ଜରୈକେଲା ବସଷ୍ଟାଣ୍ଡ୍‌ରେ ବସ୍‌କୁ ଜଗି ରହିଥିଲେ। ଯୁବତୀଦ୍ବୟ ଏକୁଟିଆ ଥିବା ଦେଖି ଦୁଇ ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏମିତିକି ଯୁବତୀଦ୍ବୟଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାକୁ ବି ପଛେଇ ନ ଥିଲେ। ଏହି ସମୟରେ ଜଣେ ଯୁବତୀ ନିଜ ଭାଇକୁ ଫୋନ୍‌ କରି ଏ ବିଷୟରେ ଜଣାଇଥିଲେ। ପରେ ଯୁବତୀଙ୍କ ଭାଇ ରାଉରକେଲା ଏସ୍‌ପିଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ। ଯଥାଶୀଘ୍ର ଯୁବତୀଙ୍କୁ ଉଦ୍ଧାର କରିବାକୁ ଏସ୍‌ପି ବିଶ୍ରା ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବାପରେ ବିଶ୍ରା ପୁଲିସ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଯୁବତୀମାନଙ୍କୁ ଉଦ୍ଧାର କରିଥିଲା। ଏହାସହ ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ପୁଲିସ ଉପସ୍ଥିତିରେ ଅଭିଯୁକ୍ତମାନେ ଯୁବତୀଙ୍କ ଗୋଡ଼ଧରି ଭୁଲ ମାଗିବା ସହ ଲିଖିତ କ୍ଷମାପ୍ରାର୍ଥନା କରିଥିଲେ। ପରେ ଆପୋଷ ବୁଝାମଣାରେ ମାମଲା ସମାଧାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe