ସୁନ୍ଦରଗଡ଼: ସୁନ୍ଦରଗଡ଼ ଅତିରିକ୍ତ ଦୌରାଜଜଙ୍କ ଅଦାଲତରେ ଶନିବାର ଏକ ବୀଭତ୍ସ ହତ୍ଯା ମାମଲାର ରାୟ ପ୍ରକାଶ ପାଇଛି। ୨୦୧୩ ଏପ୍ରିଲ ୨୬ରେ ଭଷ୍ମା ଥାନା ଘଣ୍ଟିମାଲରେ ଦୁବରାଜ ଡିଲା ନାମକ ଜଣେ ବ୍ଯକ୍ତିଙ୍କ ମୁଣ୍ଡ କାଟି ଅତି ଜଘନ୍ଯ ଭାବେ ହତ୍ଯା କରାଯାଇଥିଲା। ଅଦାଲତ ମାମଲାର ୬ ଅଭିଯୁକ୍ତଙ୍କ ମଧ୍ଯରୁ ୫ ଜଣଙ୍କୁ ଦୋଷୀ ସାବ୍ଯସ୍ତ କରି ଆଜୀବନ କାରାଦଣ୍ଡ ଆଦେଶ କରିଛନ୍ତି। ସେମାନେ ହେଲେ ଘଣ୍ଟିମାଲର ଜଗଦୀଶ କିଶାନ, ପ୍ରମୋଦ କିଶାନ, ରବି କିଶାନ, ବାବୁଲାଲ କିଶାନ, ଗଣେଶ କିଶାନ। ଅନ୍ଯତମ ଅଭିଯୁକ୍ତ ସସ୍ମିତା କିଶାନଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଦେଇଛନ୍ତି ଅଦାଲତ।
ମାମଲା ଅନୁସାରେ, ୨୦୧୩ ଏପ୍ରିଲ ୨୬ ତାରିଖ ଅପରାହ୍ନ ୫ଟାରେ ଘଣ୍ଟିମାଲର ଦୁବରାଜ ଡିଲା ତାଙ୍କ ପତ୍ନୀ ମହିମାଙ୍କ ସହ ଘରେ ଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପରାଧୀମାନେ ଟାଙ୍ଗିଆ, ଭୁଜାଲି ଧରି ଘରେ ପଶି ଦୁବରାଜଙ୍କୁ ଆକ୍ରମଣ କରିଥିଲେ। ଏପରିକି ଅତି ବର୍ବର ଭାବେ ଦୁବରାଜଙ୍କୁ ଘର ବାହାରକୁ ଘୋଷାରି ନେଇ ଧାରୁଆ ଅସ୍ତ୍ରରେ ମୁଣ୍ଡ, ଗଣ୍ଡି ଅଲଗା କରି ଦେଇଥିଲେ। ମହିମା ସ୍ବାମୀଙ୍କୁ ରକ୍ଷା କରିବାକୁ ଯାଇ ଗୁରୁତର ଆହତ ହୋଇଥିଲେ।
ଏହାପରେ ମହିମାଙ୍କ ଏତଲାକ୍ରମେ ଭଷ୍ମା ପୁଲିସ ଏକ ହତ୍ଯା ଓ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ପୁଲିସର ଚୂଡାନ୍ତ ତଦନ୍ତ ରିପୋର୍ଟ ଓ ୨୧ ଜଣଙ୍କ ସାକ୍ଷ୍ଯକୁ ଭିତ୍ତି କରି ଅତିରିକ୍ତ ଦୌରାଜଜ୍ ଦଣ୍ଡାଦେଶ କରିଛନ୍ତି। ପ୍ରମାଣ ଅଭାବରୁ ଖଲାସ ସସ୍ମିତାଙ୍କ ମାମଲା ଆଇନଜୀବୀ ଉମାଶଙ୍କର ପଟେଲ ଓ ତାଙ୍କ ସହଯୋଗୀ ପରିଚାଳନା କରିଥିଲେ।
Follow Us