ମନରେଗା ଦୁର୍ନୀତି: ବିନା ମୂଳଦୁଆରେ ତିଆରି କଲଭର୍ଟ ଭୁଶୁଡ଼ିଲା, ୯ ଲକ୍ଷ ଚଳୁ

Advertisment
ମନରେଗା ଦୁର୍ନୀତି: ବିନା ମୂଳଦୁଆରେ ତିଆରି କଲଭର୍ଟ ଭୁଶୁଡ଼ିଲା, ୯ ଲକ୍ଷ ଚଳୁ

ସୁନ୍ଦରଗଡ଼: ରାସ୍ତା ଓ କଲଭର୍ଟ ପାଇଁ ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ମନରେଗା)ରେ ୯.୯ଲକ୍ଷ ମଞ୍ଜୁର ହୋଇଥିଲା। କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ ଅତି ଚତୁରତାର ସହ ବିନା ମୂଳଦୁଆରେ ମାଟି ଉପରେ ତିଆରି କରି ଦେଇଥିଲେ କଲଭର୍ଟ। ଏହା ସହ ୩ ବର୍ଷ ପୂର୍ବରୁ ଜଳବିଭାଜିକା ମିଶନ ପକ୍ଷରୁ ନିର୍ମିତ ଆଡ଼ିବନ୍ଧ ଉପରେ ସାମାନ୍ୟ ମାଟି ପକାଇ ରାସ୍ତା କାମ ସାରି ଦେଲେ। ଫଳରେ ନିର୍ମାଣର କିଛି ଦିନ ନଯାଉଣୁ କଲଭର୍ଟ ଭୁଶୁଡ଼ିଗଲା।

ବଡ଼ଗାଁ ବ୍ଲକ୍ ଇତମା ପଞ୍ଚାୟତ ନଡ଼ିଆପଡ଼ା ସ୍କୁଲ ଠାରୁ ନକଟି- ସାଲବିରା ପୂର୍ତ୍ତ ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ହୋଇଥିବା ମନରେଗାର ଏହି ଦୁର୍ନୀତି ଏବେ ଚର୍ଚ୍ଚାରେ। ଜିଲ୍ଲାପାଳଙ୍କ ଠାରେ ଗାଁ ଲୋକେ ଲିଖିତ ଅଭିଯୋଗ କରି ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଏ ଗୋଟିଏ ଅଭିଯୋଗ ନୁହେଁ, ପୂର୍ବରୁ ମଧ୍ୟ ଇତମା, ଫୁଲବାରି ପରି ଅନ୍ୟ ପଞ୍ଚାୟତର ଅନେକ ଦୁର୍ନୀତି ଅଭିଯୋଗ ନେଇ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଲୋକେ। ସେସବୁର ତଦନ୍ତ ହୋଇଛି, ଦୁର୍ନୀତିର ପ୍ରମାଣ ହାତେ ହାତେ ମିଳିଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ କିଛି ନାହିଁ। ଦୁର୍ନୀତି ମଧ୍ୟରେ ଚର୍ଚ୍ଚାରେ ଥିଲା ଫୁଲବାରି ପଞ୍ଚାୟତ ବିର୍ସୁ ଗାଁର ୫ ଲକ୍ଷ ଟଙ୍କାର ପଙ୍କ ଉଦ୍ଧାର ଓ ଗାଧୁଆ ତୁଠ ନିର୍ମାଣ। ଆଦୌ କାମ ନକରି କର୍ତ୍ତୃପକ୍ଷ ଚଳୁ କରିଦେଇଥିଲେ ଟଙ୍କା।

ଗାଁ ଲୋକେ ଅଭିଯୋଗ କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହୋଇଥିଲା ତଦନ୍ତ। ସରକାରୀ ଅର୍ଥ ଚଳୁ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ କେଜାଣି କାହିଁକି ସମ୍ପୃକ୍ତ ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସେହିପରି ଫୁଲବାରି ପଞ୍ଚାୟତର ମହାବୀର ପାହାଡ଼ ତଳେ ୧୧ ବର୍ଷ ତଳେ ଆଇଟିଡିଏ ତିଆରି କରିଥିବା ଏକ ଚେକଡ୍ୟାମରେ ସିମେଣ୍ଟ ମିଶ୍ରଣର ପ୍ରଲେପ ଦେଇ ପଞ୍ଚାୟତ କର୍ତ୍ତୃପକ୍ଷ ୩ ଲକ୍ଷ ୮୦ ହଜାରର ବିଲ୍ କରି ନେଇଥିବା ଅଭିଯୋଗ ହୋଇଥିଲା।

ଅନ୍ୟପଟେ ୬ ମାସ ତଳେ ଇତମା ପଞ୍ଚାୟତର ନଡ଼ିଆପଡ଼ାର ଏକ ରାସ୍ତା କାମରେ ୬ ଲକ୍ଷ ଟଙ୍କା ସମାନ ଢଙ୍ଗରେ ହଡ଼ପ କରାଯାଇଥିବା ଅଭିଯୋଗ ଆସିଥିଲା। ପୂର୍ବରୁ ବନବିଭାଗ ତିଆରି କରିଥିବା ରାସ୍ତାରେ ନୂଆ ପ୍ରକଳ୍ପ ସୂଚନା ଫଳକ ତିଆରି କରି ବିଲ୍ ଉଠାଇ ନେଇଥିଲେ କର୍ତ୍ତୃପକ୍ଷ। କିନ୍ତୁ ଏସବୁ ଅଭିଯୋଗ ଉପରେ ଏଯାଏ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ୍। ଯେଉଁଥିପାଇଁ ଯୋଜନା ବାଟବଣା ହେଉଥିବା ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ଅଧିକ ଦୁର୍ନୀତିରେ ଲିପ୍ତ ରହୁଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe