ପରକୀୟା ପ୍ରୀତିର କରୁଣ ପରିଣତି : ଟାଙ୍ଗିଆରେ ପତ୍ନୀକୁ ହାଣି ସ୍ୱାମୀର ଆତ୍ମହତ୍ୟା

ପରକୀୟା ପ୍ରୀତିର କରୁଣ ପରିଣତି : ଟାଙ୍ଗିଆରେ ପତ୍ନୀକୁ ହାଣି ସ୍ୱାମୀର ଆତ୍ମହତ୍ୟା

ରାଉରକେଲା/ବୀରମିତ୍ରପୁର : ପରକୀୟା ପ୍ରୀତିର ପରିଣାମ କେତେ ଭୟଙ୍କର, ବୀରମିତ୍ରପୁର ଅନ୍ଧାରି ଗାଁରେ ତା’ର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ପରପୁରୁଷ ସହ ଅନୈତିକ ସମ୍ପର୍କ ସନ୍ଦେହ କରି ଗାଁର ଶିଲାସ କାଣ୍ଡୁଲୁନା (୪୫) ନିଜ ପତ୍ନୀ ପ୍ୟାରୀ (୩୮)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ନିଜେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇଦେଇଛି।

ମିଳିଥିବା ସୂଚନା ଅନୁସାରେ ପତ୍ନୀ ପ୍ୟାରୀ, ଦୁଇ ପୁଅ ନିତେଶ (୨୦) ଓ ଅନମୋଲ (୧୮)ଙ୍କୁ ନେଇ ଶିଲାସଙ୍କ ଛୋଟ ସଂସାର। ଦୁଇ ପୁଅଙ୍କ ମଧ୍ୟରୁ ନିତେଶ ଜୀବିକା ଉପାର୍ଜନ ପାଇଁ ବାଙ୍ଗାଲୋର ଯାଇଥିବା ବେଳେ ଅନମୋଲ ରାଉରକେଲା ଝିରପାଣି ଅଞ୍ଚଳରେ ରହୁଛନ୍ତି। ଅନ୍ଧାରି ଗାଁରେ କେବଳ ସ୍ୱାମୀ-ସ୍ତ୍ରୀ ରହୁଥିଲେ। ମିସ୍ତ୍ରୀ କାମ କରି ଗୁଜରାଣ ମେଣ୍ଟାଉଥିବା ଶିଲାସ ସକାଳେ ରାତି ପାହିଲେ ଘରୁ ବାହାରି ଯାଇ ସନ୍ଧ୍ୟାରେ ଫେରନ୍ତି। ତେଣୁ ପତ୍ନୀ ପ୍ୟାରୀ ଦିନ ତମାମ ଏକୁଟିଆ ଘରେ ଥାଆନ୍ତି। ଶିଲାସ କାମକୁ ଗଲା ପରେ ବୀରମିତ୍ରପୁର ତହସିଲ ଅଫିସ ନିକଟରେ ରହୁଥିବା ଜଣେ ଯୁବକ ପ୍ୟାରୀଙ୍କ ଘରକୁ ଆସି ଦୀର୍ଘ ସମୟ ରହୁଥିବାରୁ ପଡ଼ୋଶୀ ସନ୍ଦେହ କରୁଥିଲେ। ପଡ଼ିଶାଙ୍କଠାରୁ ଶୁଣିବା ପରେ ସ୍ୱାମୀ ଶିଲାସ ପତ୍ନୀକୁ ତାଗିଦ୍‌ କରିଥଲେ। ହେଲେ ସ୍ୱାମୀଙ୍କ ତାଗିଦ୍‌କୁ ପ୍ୟାରୀ ଖାତିର ନକରି ସମ୍ପୃକ୍ତ ଯୁବକଙ୍କୁ ଆସିବା ସୁଯୋଗ ଦେଉଥିଲେ। ପ୍ୟାରୀଙ୍କ ଏଭଳି କାର୍ଯ୍ୟକଳାପରେ ଶିଲାସ କ୍ଷୁବ୍ଧ ହୋଇଥିଲେ। ଏହି କଥାକୁ କେନ୍ଦ୍ର କରି ଗତକାଲି ପତ୍ନୀଙ୍କୁ ଶିଲାସ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହା ପରେ ରୋଷେଇ ଘରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe