ସୁନ୍ଦରଗଡ଼/ଲେଫ୍ରିପଡା:ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଦିଆମୁଣ୍ଡା ଗ୍ରାମରେ ଗତକାଲି ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଯାଇଛି। ଏହି ହତ୍ୟାକାଣ୍ଡରେ ମୃତକଙ୍କ ପତ୍ନୀ ଅଳ୍ପକେ ବର୍ତ୍ତିଯାଇ ବୁର୍ଲା ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଦିଆମୁଣ୍ଡା ଗ୍ରାମରେ ଏକ ଇଟାଭାଟିରେ ଛତିଶଗଡ଼ ଅଞ୍ଚଳର ଏକ ଲରିଆ ଦମ୍ପତ୍ତି ( ଏପର୍ଯ୍ୟନ୍ତ ନାମ ଜଣାପଡିନାହିଁ) ଇଟାଗଢ଼ା କାମ କରୁଥିଲେ। ସେଠାରେ ଆଉ ଏକ ଇଟାଭାଟିରେ ଗ୍ରାମର ଶୁକ୍ରୁ ନାଏକ ମଧ୍ୟ କାମ କରୁଥିଲେ। ତେବେ ଗତକାଲି ରାତିରେ ଏକ ସାମାନ୍ୟ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଶୁକ୍ରୁ ସଂପୃକ୍ତ ବ୍ୟକ୍ତିଙ୍କ ବେକକୁ ଏକ ବ୍ଲେଡ୍ ସାହାଯ୍ୟରେ କାଟି ହତ୍ୟା କରିଥିବା ସୂଚନା ରହିଛି।
ସ୍ବାମୀଙ୍କୁ ଆକ୍ରମଣରୁ ରକ୍ଷା କରିବାକୁ ଯାଉଥିବା ବେଳେ ପତ୍ନୀଙ୍କୁ ମଧ୍ୟ ଶୁକ୍ରୁ କୁରାଢ଼ୀରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କୁ ଇଟାଭାଟି ମାଲିକ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଅପରପଟେ ବ୍ୟକ୍ତି ଜଣକ ମରିଯାଇଥିବା ଜାଣି ଶୁକ୍ରୁ ଓ ତାଙ୍କର ଏକ ନାବାଳକ ଭାଇ ମୃତଦେହକୁ ନିକଟସ୍ଥ ଇଚ୍ଛା ନାଳ ବାଲିପଟାରେ ପୋତି ଦେଇଥିବା ଜଣାପଡିଛି। ଖବରପାଇ ସର୍ଗିପାଲି ଫାଣ୍ଡି ଅଧିକାରୀ କାଶିନାଥ ବାରିକ ସଦଳବଳ ଘଟଣାସ୍ଥଳ ପହଞ୍ଚି ଅଭିଯୁକ୍ତ ଶୁକ୍ରୁ ଏବଂ ତାଙ୍କ ନାବାଳକ ଭାଇଙ୍କୁ ଗିରଫ କରିଛି। ଆଜି ମାଜିଷ୍ଟ୍ରେଟ୍, ସାଇଣ୍ଟିଫିକ୍ ଟିମ୍ ଆସି ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିବେ।
Follow Us