ରାଉରକେଲା: ରାଞ୍ଚିର ପୁତୁରା ହତ୍ୟାକାରୀ ଦାଦା ଫିରୋଜ ଖାନ୍କୁ ପ୍ଲାଣ୍ଟସାଇଟ୍ ଥାନା ପୁଲିସ ଆଜି ଷ୍ଟେସନ ନିକଟସ୍ଥ ଏକ ହୋଟେଲରୁ ଗିରଫ କରିଛି। ରାଞ୍ଚି ଲୋୟର ବଜାର ପୁଲିସ ସୂଚନା ଆଧାରରେ ପ୍ଲାଣ୍ଟସାଇଟ୍ ଥାନାର ସ୍ୱତନ୍ତ୍ରଟିମ୍ ଫିରୋଜ ଲୁଚିଥିବା ହୋଟେଲରେ ଭୋର ପ୍ରାୟ ୪ଟାରେ ଚଢ଼ଉ କରିଥିଲା। ଚଢ଼ଉ କରୁଥିବା ଜାଣି ଫିରୋଜ ଖସିଯିବାକୁ ହୋଟେଲରୁମ୍ରୁ ବାହାରୁଥିବାବେଳେ ପୁଲିସ ତାକୁ ରୁମ୍ ନିକଟରୁ କାବୁ କରି ନେଇଥିଲା। ଫିରୋଜର ଗିରଫ ନେଇ ପ୍ଲାଣ୍ଟସାଇଟ୍ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କ ରାଞ୍ଚି ପୁଲିସକୁ ସୂଚନା ଦେଇଥିଲା। ସୂଚନା ପାଇବା ପରେ ରାଞ୍ଚି ଲୋୟରବଜାର ପୁଲିସ ରାଉରକେଲା ଆସୁଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ ଲୋୟରବଜାର ନିକଟରେ ହତ୍ୟାକାରୀ ଫିରୋଜ ଏବଂ ତାଙ୍କ ପୁତୁରା ସଲିମ ଖାନଙ୍କ କୁକୁଡା ଫାର୍ମ ରହିଛି। ବ୍ୟବସାୟିକ ଶତ୍ରୁତାକୁ ନେଇ ଦାଦା-ପୁତୁରାଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଗତ ୨୦୧୮ ମାର୍ଚ୍ଚ ୬ରେ ଏହି ଘଟଣା ଉଗ୍ର ରୂପ ନେଇଥିଲା। ଫିରୋଜ କୁକୁଡ଼ା ଫାର୍ମ ନିକଟରେ ପୁତୁରା ସଲିମକୁ ମରଣାନ୍ତ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଉଥିବାବେଳେ ସଲିମଙ୍କର ବାଟରେ ମୃତ୍ୟୁ ହୋଇଥିଲା। ଘଟଣା ପରେ ଗିରଫ ଭୟରେ ଫିରୋଜ ରାଞ୍ଚି ସହରରୁ ଫେରାର ହୋଇଥିଲା। ମୃତ ସଲିମଙ୍କ ଲିଖିତ ଏତଲା ଆଧାରରେ ଫିରୋଜକୁ ଗିରଫ କରିବାକୁ ପୁଲିସ ତଦନ୍ତ ଜାରି ରଖିଥିଲା। ମୋବାଇଲ ଟ୍ରାକିଂ କରି ଫିରୋଜ ରାଉରକେଲା ଷ୍ଟେସନ ନିକଟସ୍ଥ ଏକ ହୋଟେଲରେ ଲୁଚିଥିବା ନେଇ ଲୋୟର ବଜାର ପୁଲିସ ପ୍ଲାଣ୍ଟସାଇଟ୍ ଥାନାକୁ ସୂଚନା ଦେଇଥିଲା।
ରାଞ୍ଚିର ପୁତୁରା ହତ୍ୟାକାରୀ ରାଉରକେଲାରୁ ଗିରଫ
Advertisment
Follow Us