-ଖୁଣ୍ଟର ଅଂଶବିଶେଷ,ଗ୍ୟାସ୍କଟର୍, ୪ଟି ଅକ୍ସିଜେନ ସିଲିଣ୍ଡର୍ ଜବତ
ରାଉରକେଲା: ଗାଁକୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ନୂଆ ଖୁଣ୍ଟ ପୋତାଯାଇଥିଲା। ତେବେ ୯ ଜଣ ଅଭିଯୁକ୍ତ ରାତିଅଧରେ ୩ଟି ବିଦ୍ୟୁତ ପୋଲକୁ କାଟି ଚୋରି କରିନେଇଥିଲେ। ଏହି ଗ୍ୟାଙ୍ଗ୍କୁ ବ୍ରାହ୍ମଣୀତରଙ୍ଗ ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଲୁଙ୍ଗେଇ ଯତ୍ରାଟୋଲାର ନାରୁଆ ଖାଖା(୨୩), ଲୁଙ୍ଗେଇ କେନାଲପଡ଼ାର ରାଜ ବାଡ଼ା(୨୨), ଝାଡ଼ଖଣ୍ଡ ଲୋହାରଡେଗାର ରାଜେନ୍ଦ୍ର ଗୋପ(୪୫), ଲୁଙ୍ଗେଇ ନିଚେଟୋଲାର ପୱନ ତିର୍କି(୨୭), ଲଉଙ୍ଗେଇ ତଳବସ୍ତିର ଜୀବନ ପ୍ରକାଶ ତିର୍କି(୩୫), ବଡ଼ଦଲକି ଡାହୁଟୋଲାର ଲେତିଆ ଓରାମ(୩୪), ବଡ଼ଦଲକି ଟୁଙ୍ଗୁରିଟୋଲାର ଲାଲୁ ଓରାମ(୨୮), ସାରଲା ମଲ୍ଲିକପାଲିର ଅଶୋକ ଲାକ୍ରା(୩୮) ଓ ଝାଡ଼ତରଙ୍ଗ ଓରାମଟୋଲାର ଆଲୋକ ବାରୱା(୩୦)। ଅଭିଯୁକ୍ତଙ୍କ ପାଖରୁ ଏକ ପିକ୍ଅପ୍(ଓଡି-୧୪ଏସି-୯୩୪୯), ବିଦ୍ୟୁତ ଖୁଣ୍ଟର ଅଂଶବିଶେଷ, ଗ୍ୟାସ୍କଟର୍, ୪ଟି ଅକ୍ସିଜେନ ସିଲିଣ୍ଡର୍, ପାଇପ୍ ଆଦି ଜବତ ହୋଇଛି।
ଉଲ୍ଲେଖଯୋଗ୍ୟ, ନାକହାଣ୍ଡିରୁ ବଲଣ୍ଡା ଭିତରେ ୩୩ କେଭି ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତାଯାଇଥିଲା। କିଛି ଦିନ ପୂର୍ବେ ଅଭିଯୁକ୍ତମାନେ ବିଳମ୍ବିତ ରାତିରେ ଗ୍ୟାସ୍କଟର୍ ସହାୟତାରେ ୩ଟି ବିଦ୍ୟୁତ ଖୁଣ୍ଟକୁ କାଟିଦେଇଥିଲେ। ପରେ ଉକ୍ତ ଖୁଣ୍ଟକୁ ଛୋଟଛୋଟ ଖଣ୍ଡରେ କାଟି ବିକ୍ରି କରିବାକୁ ସଜବାଜ ହେଉଥିଲେ। ଏନେଇ ଏତଲା ହେବାପରେ ପୁଲିସ ଅଭିଯୁକ୍ତଙ୍କୁ କାବୁ କରିନେଇଛି।
Follow Us