ହିନ୍ଦୀରେ ଲେଖା ଏତଲା ପୁଲିସ ଗ୍ରହଣ କଲାନି !

ଉତ୍ତରାଞ୍ଚଳ ପୁଲିସ୍ ରେଞ୍ଜରେ ବଡ଼ଧରଣର ଅଦଳବଦଳ

ଝାରସୁଗୁଡ଼ା : ହିନ୍ଦୀରେ ଲେଖିବାରୁ ତାଙ୍କ ଏତଲା ପୁଲିସ ଗ୍ରହଣ କଲା ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀ ନାଏକ ନାମକ ଜଣେ ମହିଳା। ଓଏମ୍‌ପିଠାରେ ରହୁଥିବା ଜଣେ ପୁଲିସ କର୍ମଚାରୀଙ୍କ ପତ୍ନୀ ଶ୍ରୀମତୀ ନାଏକ କହିଛନ୍ତି ଯେ ସେ ହିନ୍ଦୀରେ ଲେଖି ଏତଲା ଦେବାରୁ ତାକୁ ପୁଲିସ ଗ୍ରହଣ ନକରି ଓଡ଼ିଆ ବା ଇଂରାଜୀରେ ଲେଖି ଏତଲା ଦେଲେ ଗ୍ରହଣ କରିବୁ ବୋଲି କହିଥିଲେ। ଯାହାର ସେ ଦୃଢ଼ ପ୍ରତିବାଦ କରିଛନ୍ତି। ହିନ୍ଦୀ ଆମ ରାଷ୍ଟ୍ରୀୟ ଭାଷା ହୋଇଥିବା ବେଳେ ପୁଲିସ ତାକୁ ଗ୍ରହଣ ନକରିବା ନିନ୍ଦନୀୟ ବୋଲି ସେ କହିଛନ୍ତି।

ଝାରସୁଗୁଡ଼ା ଥାନା ତାଲପଟିଆ ଫାଣ୍ତି ଅନ୍ତର୍ଗତ ଓଏମପି ଅଞ୍ଚଳରେ ରହୁଥିବା ଉକ୍ତ ମହିଳା ଜଣକ ଦାବି କରିଛନ୍ତି ଯେ ତାଙ୍କର ହିନ୍ଦୀ ଲେଖା ଏତଲାକୁ ଗ୍ରହଣ କରି ମାମଲା ରୁଜୁ  କରାଯାଉ। ମାତ୍ର ପୁଲିସର କହିବାନୁଯାୟୀ ସେ ଅନ୍ୟ ଜଣେ ସଂପର୍କୀୟଙ୍କ ଦ୍ବାରା ଇଂରାଜୀରେ ଏତଲା ଲେଖାଇ ଦେଇଥିବା ବେଳେ ସେଥିରେ ତାଙ୍କର ଅଭିଯୋଗ ଠିକ ଭାବେ ପ୍ରତିଫଳିତ ହୋଇ ନାହିଁ। ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ନେଇ ସେ ହିନ୍ଦୀରେ ଠିକ ଭାବେ ଲେଖିଥିବା ବେଳେ ଇଂରାଜୀ ସେ ଠିକ ଭାବେ ଜାଣି ନ ଥିବାରୁ ଏତଲା ତାଙ୍କର ଅଭିଯୋଗ ଅନୁରୂପ ହୋଇ ପାରିନାହିଁ ବୋଲି କହିଛନ୍ତି। ସେ ପ୍ରଥମେ ତାଲପଟିଆ ଫାଣ୍ତିକୁ ଯାଇଥିବା ବେଳେ ହିନ୍ଦୀରେ ଏତଲା ନ ରଖିବାରୁ ଇଂରାଜୀରେ ଲେଖାଇ ଦାଖଲ କରିଥିଲେ। ଏ ସଂପର୍କରେ ଉକ୍ତ ମହିଳା ଏସ୍‌ପିଙ୍କୁ ସାକ୍ଷାତ କରିବା ପରେ ଏସ୍‌ପି ତାଙ୍କୁ ଝାରସୁଗୁଡ଼ା ଥାନା ଯାଇ ଏତଲା ଦେବାକୁ କହିଥିଲେ। ସେ ଝାରସୁଗୁଡ଼ା ଥାନା ଗଲାବେଳେ ସେଠାରେ ତାଙ୍କର ଏତଲା ରେଜିଷ୍ଟ୍ରି ହୋଇ ସାରିଥିବା କୁହାଯାଇଥିଲା। ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଘର ପାଖରେ ବେଆଇନ ମଦ କାରବାର ହେଉଥିବା ଘରେ ପୁଲିସ ଚଢ଼ଉ କରିଥିଲା ଓ ଜଣେ ମହିଳାକୁ ଉଠାଇ ନେଇଥିଲା। ‌ଦୁଇ ଘଣ୍ଟା ପରେ ଉକ୍ତ ମହିଳାଙ୍କୁ ପୁଲିସ ଛାଡ଼ି ଦେବା ପରେ ଉକ୍ତ ମହିଳା ଆସି ତାଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହିତ ତାଙ୍କ ଜାତି ପ୍ରତି ଆକ୍ଷେପ କରିଥିଲା। ଉକ୍ତ ମହିଳାଙ୍କ ପରିବାର ପକ୍ଷରୁ ବାରମ୍ବାର ତାଙ୍କୁ ଗାଳିଗୁଲଜ କରାଯାଉଥିବା ବେଳେ ଧମକ ଚମକ ‌ଦିଆଯାଇ ଆସୁଛି। ‌ତେବେ ତାଲପଟିଆ ଠାରେ ଏ ନେଇ ସେ ଏତଲା ହିନ୍ଦୀରେ ଲେଖି ଦେଇଥିଲେ ମାତ୍ର ସେଠାରେ ଥିବା ଜଣେ ମହିଳା ଅଧିକାରୀ ହିନ୍ଦୀ ଏତଲା ରଖି ନଥିଲେ ଓ ଓଡ଼ିଆ କିମ୍ବା ଇଂରାଜୀରେ ଲେଖିକି ଦେବା ପାଇଁ କହିଥିଲେ। ଫଳରେ ସେ ଜଣେ ବ୍ୟକ୍ତିଙ୍କୁ ଏତଲା ଲେଖି ଦେବାକୁ କହିଥିଲେ। ତେବେ ଉକ୍ତ ଲେଖାରେ ଅଭିଯୁକ୍ତଙ୍କ ନାମ ନଥିବା ବେଳେ ଜାତିକୁ ଆକ୍ଷେପ କଥା ମଧ୍ୟ ନଥିବାରୁ ଲକ୍ଷ୍ମୀ ପୁଲିସକୁ ଇଂରାଜୀ ଏତଲାକୁ ଗ୍ରହଣ ନକରିବା ପାଇଁ ଅନୁରୋଧ କରିଥିଲେ। ପୁଲିସ ଏଥିରେ ସମ୍ମତି ଜଣାଇଥିଲେ ମଧ୍ୟ ଇଂରାଜୀ ଏତଲାକୁ ଗ୍ରହଣ କରିଥିଲା। ଫଳରେ ମହିଳା ଜଣକ ଝାରସୁଗୁଡ଼ା ଥାନାରେ ପହଞ୍ଚି ତାଙ୍କର  ହିନ୍ଦୀରେ ଲେଖା ଯାଇଥିବା ଏତଲା ଭିତ୍ତିରେ ମାମଲା ରୁଜୁ କରାଯାଉ ବୋଲି ଦାବି କରିଥିଲେ। ମାତ୍ର ଇଂରାଜୀରେ ଲେଖା ଯାଇଥିବା ଏତଲାକୁ ଭିତ୍ତି କରି ମାମଲା ରୁଜୁ କରାଯାଇ ସାରିଛି ବୋଲି ପୁଲିସ କହିବାରୁ ବିବାଦ ଦେଖା ଦେଇଥିଲା। ହିନ୍ଦୀ ଏକ ବହୁଳ ପ୍ରସାରିତ ଭାଷା ହୋଇଥିବା ବେଳେ ଏତଲା ଗ୍ରହଣୀୟ ନ ହେବା ଦୁର୍ଭାଗ୍ୟଜନକ ବୋଲି ଲକ୍ଷ୍ମୀ କହିଛନ୍ତି। ଅନ୍ୟ ପକ୍ଷରେ ଏନେଇ ଆଇଆଇସି ସାବିତ୍ରୀ ବଳଙ୍କୁ ପଚରାଯିବାରୁ ସେ ଏହି ଅଭିଯୋଗକୁ ଅସ୍ବୀକାର କରି କହିଛନ୍ତି ଯେ ହିନ୍ଦୀରେ ଏତଲା ଲେଖିବାରେ କୌଣସି ଅସୁବିଧା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe