ଜବରଦଖଲରେ ଆର୍‌ଡିଏ ବିଲ୍‌ଡିଂ ସେଣ୍ଟର, ଅଟକିଛି ପ୍ରସ୍ତାବିତ ବାସଗୃହ ପ୍ରକଳ୍ପ

Advertisment
ଜବରଦଖଲରେ ଆର୍‌ଡିଏ ବିଲ୍‌ଡିଂ ସେଣ୍ଟର, ଅଟକିଛି ପ୍ରସ୍ତାବିତ ବାସଗୃହ ପ୍ରକଳ୍ପ

ରାଉରକେଲା: ଛେଣ୍ଡକଲୋନି କେନ୍ଦ୍ରସ୍ଥଳସ୍ଥ ଆର୍‌ଡିଏ ବିଲ୍‌ଡିଂ ସେଣ୍ଟର ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୧୨ ବର୍ଷ ଧରି ସହର ଏକ କ୍ରୀଡ଼ାଅନୁଷ୍ଠାନ ନିଜ କବ୍‌ଜାରେ ରଖିଛନ୍ତି। ଆର୍‌ଡିଏର ବିନା ଅନୁମତିରେ ସେଠାରେ କ୍ରୀଡା ତାଲିମକେନ୍ଦ୍ର ଖୋଲାଯାଇଛି। ଯେଉଁଠି ଦୈନିକ ପିଲାମାନଙ୍କୁ କରାଟେ ପ୍ରଶିକ୍ଷଣ ଦିଆଯାଉଛି। ପ୍ରାୟ ୧ ଏକର ୩ ଡେସିମଲ୍‌ ଜାଗାରୁ କିଛି ଜାଗା କ୍ରୀଡ଼ାଅନୁଷ୍ଠାନ ଅଧୀନରେ ରହିଛି। ଅବଶିଷ୍ଟ ଜାଗା ବ୍ୟବହାର ଉପଯୋଗୀ ନ ହୋଇ ଏକ ପ୍ରକାର ଜଙ୍ଗଲରେ ପରିଣତ ହୋଇଯାଇଛି। ଜବରଦଖଲରେ ଥିବା ଜାଗାକୁ ଖାଲି କରିବାକୁ ଆର୍‌ଡିଏ ଅଧିକାରୀ ଥରେ ନୁହେଁ ଏକାଧିବାର କ୍ରୀଡା ଅନୁଷ୍ଠାନର ମାଲିକଙ୍କୁ କହିସାରିଲେଣି। ହେଲେ କିଛି ସୁଫଳ ମିଳୁନି। ଆର୍‌ଡିଏ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ସହ ଭିତିରି ସଲାସୁତୁରାରେ ବର୍ଷ ବର୍ଷ ଧରି କ୍ରୀଡାଅନୁଷ୍ଠାନ ଚାଲୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ସେପଟେ ଜବରଦଖଲମୁକ୍ତ ହେଉ ନଥିବାରୁ ପ୍ରସ୍ତାବିତ ବାସଗୃହ ପ୍ରକଳ୍ପ ଅଟକିଛି ବୋଲି ଆର୍‌ଡିଏର ବିଭାଗୀୟ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ସମ୍ପୃକ୍ତ ଜାଗାରେ ଆର୍‌ଡିଏ ବିଲ୍‌ଡିଂ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଜାଗାକୁ ଏକ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାକୁ ଭଡା ସୂତ୍ରରେ ଦିଆଯାଇଥିଲା। ‌ହୋଟେଲ ମ୍ୟାନେଜମେଣ୍ଟ ବନ୍ଦ ହୋଇଯିବା ପରେ ନିର୍ମାଣ କରାଯାଇଥିବା ଘର ଓ ସେଡ୍‌ଗୁଡ଼ିକ ଖାଲି ପଡିଥିଲା। ଏହାର ଦେଖାରେଖା ପାଇଁ ଆର୍‌ଡିଏର ଦୁଇ ଜଣ କର୍ମଚାରୀ ସେଠାରେ ରହୁଥିଲେ। ଦୁଇ କର୍ମଚାରୀ ଘର ଛାଡିବା ପରେ ସେହି ଜାଗାର କିଛି ଅଂଶକୁ କ୍ରୀଡାଅନୁଷ୍ଠାନ ନିଜ ଦଖଲକୁ ନେଇଯାଇଥିଲେ। ଜାଗାକୁ ଖାଲି କରିବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଛନ୍ତି। ଅନ୍ୟପଟେ ଆର୍‌ଡିଏ ଅଧିକାରୀ ଜାଣୁଥିଲେ ହେଁ, କୌଣସି କାର୍ଯ୍ୟାନୁଷ୍‌ଠାନ ନ ନେଇ ଚୁପ୍‌ ରହୁଥିଲେ। ସମ୍ପୃକ୍ତ ଜାଗା ଖାଲି ‌ହେବା ପରେ ସେଠାରେ ୬ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ କରାଯିବାର ଯୋଜନା ରହିଛି। ପ୍ରାୟ ୬୦ରୁ ଅଧିକ ୨ ବିଏଚ୍‌କେ ଓ ୩ ବିଏଚ୍‌କେ୍‌ ଘର ନିର୍ମାଣ କରି ବିକ୍ରି କିମ୍ବା ଭଡା ସୂତ୍ରରେ ଦିଆଯିବାର ଯୋଜନା ରହିଛି। ସହରର ଏହି ମୂଲ୍ୟବାନ ଜାଗା ଖାଲି କରି କେବେ ଆପାର୍ଟମେଣ୍ଟ ନିର୍ମାଣ ହେଉଛି, ତା’ ଉପରେ ସହରବାସୀଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe