ପିଲାଟି ଦିନରୁ ନୃତ୍ୟ ଓ ସଙ୍ଗୀତ ପ୍ରତି ଅହେତୁକ ଦୁର୍ବଳତା। ମାତ୍ର ୫ବର୍ଷ ବୟସରେ ମଞ୍ଚ ଉପରେ ଚଢ଼ି ଶହଶହ ଦର୍ଶକଙ୍କ ସାମ୍ନାରେ କରିଥିଲେ ନୃତ୍ୟ ପ୍ରଦର୍ଶନ। ମଞ୍ଚତଳେ ଥିବା ଦର୍ଶକଙ୍କ ସ୍ନେହ, ଭଲପାଇବା ଓ କରତାଳି ମନରେ ଏକ ପ୍ରକାର ଶିହରଣ ସୃଷ୍ଟି କରିଥିଲା। ଯାହାକି ନୃତ୍ୟଦୁନିଆରେ ଆଗକୁ ବଢ଼ିବାକୁ ଇନ୍ଧନ ଯୋଗାଇଥିଲା। ଇତିମଧ୍ୟରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆୟୋଜିତ ବିଭିନ୍ନ ଓଡ଼ିଶୀ ନୃତ୍ୟ ଉତ୍ସବ, ଲୋକନୃତ୍ୟ, ସୁନ୍ଦରଗଡ଼, ରାଜଗାଙ୍ଗପୁରର ଝରଝରା ଓ ଧଉଳୀ ମହୋତ୍ସବରେ ପ୍ରଦର୍ଶନ କରି ବେଶ ପ୍ରଶଂସା ସାଉଁଟିଛନ୍ତି। ନୃତ୍ୟକଳାକୁ ନେଇ ବେଶ ଚର୍ଚ୍ଚିତ ନୃତ୍ୟଶିଳ୍ପୀ ଜ୍ୟୋତିଶ୍ରୀ ଷଡ଼ଙ୍ଗୀ ରାଉରକେଲାର ପିଲାଙ୍କୁ ଓଡ଼ିଶୀ ନୃତ୍ୟରେ ନିଖୁଣ କରିବାକୁ ଦୃଢ଼ ସଂକଳ୍ପବଦ୍ଧ।
ଅଧିକପଢ଼ନ୍ତୁ:ସିଲ୍ ରେସ୍ତୋରାଁ ଖୋଲିଲେ: ଜୁଲାଇରେ ସିଲ୍ କରିଥିଲା ଆର୍ଏସ୍ପି
/filters:format(webp)/sambad/media/media_files/2025/12/30/488903519_3979067272370678_4861887384225529007_n-2025-12-30-13-50-09.jpg)
ନୃତ୍ୟ ପାଇଁ କାହାଠାରୁ ପାଇଛନ୍ତି ପ୍ରେରଣା?
ମାତ୍ର ୫ବର୍ଷ ବୟସରୁ ନୃତ୍ୟ କରିବା ଆରମ୍ଭ କରିଛି। ମୋର ପ୍ରଥମ ଗୁରୁ ହେଉଛନ୍ତି ବାପା। ବାପା ମୋର ଜଣେ ଥିଏଟର ଆର୍ଟିଷ୍ଟ। ସ୍ବତନ୍ତ୍ର ଓଡ଼ିଶୀ ନୃତ୍ୟ ଶିଖିବା ପାଇଁ ଭଞ୍ଜଭବନରେ ନାମ ଲେଖାଇଥିଲି। ସେ ସମୟରେ ସ୍ବର୍ଗତଃ ଧ୍ରୁବଚରଣ ବେହେରା ମୋର ଗୁରୁଥିଲେ।
ଓଡ଼ିଶୀ ନୃତ୍ୟକୁ କାହିଁକି ବାଛିଲେ?
ନୃତ୍ୟକୁ କାହିଁକି ବାଛିଲି ଏହାର ଉତ୍ତର ବୋଧ ହୁଏ ମୁଁ କେବେ ଦେଇ ପାରିବି ନାହିଁ। କାରଣ ମୋର ହେତୁ ପାଇଲା ଦିନଠାରୁ ନୃତ୍ୟ କ’ଣ ଠିକ ଭାବେ ବୁଝି ନଥିବା ବୟସରୁ ମଞ୍ଚ ଉପରେ ନୃତ୍ୟ ପ୍ରଦର୍ଶନ କରିବା ଆରମ୍ଭ କରିଛି। ମୋ ଭିତରେ ଏ କଳାକୁ ଦେଇଥିବାରୁ ଭଗବାନଙ୍କୁ କୋଟିକୋଟି ପ୍ରଣାମ।
/filters:format(webp)/sambad/media/media_files/2025/12/30/download-1-2025-12-30-13-57-02.jpg)
ମର୍ଡନ ଓ ଓଡ଼ିଶୀ ନୃତ୍ୟକୁ ନେଇ କ’ଣ କହିବେ?
ମର୍ଡନ ଓ ଓଡ଼ିଶୀ ନୃତ୍ୟ ମୁଦ୍ରାର ଦୁଇଟିପାର୍ଶ୍ବ। ମୋ ମତରେ ମର୍ଡନ ଡ୍ୟାନ୍ସ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଓ ବୟସ ଥାଏ। କିନ୍ତୁ ଓଡ଼ିଶୀ ନୃତ୍ୟ ଜୀବନବ୍ୟାପୀ। ଯେ ପର୍ଯ୍ୟନ୍ତ ପାଦ ଥକି ପଡ଼ି ନାହିଁ ଛିଡ଼ା ହେବାକୁ ସାମର୍ଥ୍ୟ ଅଛି ସେ ପର୍ଯ୍ୟନ୍ତ ଜଣେ ନୃତ୍ୟଶିଳ୍ପୀ ନିଜ କଳାର ପ୍ରଦର୍ଶନ କରି ଚାଲିଥାଏ।
ନୃତ୍ୟକୁ ନେଇ କିଛି ଅଭୁଲା ସ୍ମୃତି?
ନୃତ୍ୟ କ୍ୟାରିୟରକୁ ଇତିମଧ୍ୟରେ ଅନେକ ବର୍ଷ ପୁରିଲାଣି। ଏଯାବତ ଯେତେ ବି ମଞ୍ଚରେ ମୁଁ ନୃତ୍ୟ କରିଛି। ପ୍ରତିଟି ମଞ୍ଚ ମୋ ପାଇଁ ନିଆର ଓ ସ୍ମରଣୀୟ। ପୁରୁଣା ପିଲାଙ୍କ ସହିତ ମଞ୍ଚ ଉପରେ ନାଚିବାର ଯେଉଁ ଅନୁଭୂତି ତାହା ଆଜି ବି ମନେ ପଡ଼ିଗଲେ ଆଖିରେ ଲୁହ ଆପଣାଛାଏଁ ଜକେଇ ଆସେ।
ଆଗାମୀ ସ୍ବପ୍ନ?
ରାଉରକେଲାର ପିଲାଙ୍କ ଭିତରେ ଭରି ରହିଛି ଅନେକ ପ୍ରତିଭା। ଯଦି ସେମାନଙ୍କୁ ନିଜର କଳା ପ୍ରଦର୍ଶନ ପାଇଁ ଠିକ ମଞ୍ଚ ମିଳିଯିବ ମୁଁ ଦାବିର ସହ କହିବି ସେମାନଙ୍କୁ କେହି ହରାଇ ପାରିବେ ନାହିଁ। ମୋର ଗୋଟିଏ ସ୍ବପ୍ନ ମୋର ପାରୁ ପର୍ଯ୍ୟନ୍ତ ମୋ ଅଧୀନକୁ ଯେତିକି ବି ପିଲା ଆସିବେ ସେମାନଙ୍କୁ ଓଡ଼ିଶୀ ନୃତ୍ୟରେ ନିଖୁଣ କରି ଛାଡ଼ିବି। ସମ୍ପ୍ରତି ମୁଁ ଡ. ଏଏନ୍କେ ଡିଏଭି ପବ୍ଲିକ ସ୍କୁଲରେ ଇଂରାଜୀ ଓ ନୃତ୍ୟ ଶିକ୍ଷୟିତ୍ରୀ ଭାବେ କାମ କରୁଛି। ଏତଦ ବ୍ୟତୀତ ବାସନ୍ତୀ ଓ ଛେଣ୍ଡ କଲୋନିରେ ଦୁଇଟି ନିଜସ୍ବ ସ୍ବତନ୍ତ୍ର ନୃତ୍ୟ ଅନୁଷ୍ଠାନ କ୍ରିଷ୍ଣମ ନାମରେ ରହିଛି।
/filters:format(webp)/sambad/media/media_files/2025/12/30/482236786_3951515855125820_8217564524733756122_n-2025-12-30-13-52-43.jpg)
ସଂସାର ଜଞ୍ଚାଳ ବାଧା ସୃଷ୍ଟି କରିଛି?
ମୁଁ ଆଜି ଯେଉଁଠି ବି ଛିଡ଼ା ହୋଇଛି ଯେଉଁ କଳା ପାଇଁ ଲୋକେ ମୋତେ ଚିହ୍ନୁଛନ୍ତି ସବୁକିଛି ମୋର ଉଭୟ ବାପଶାଶୁଘର ଲୋକଙ୍କ ସମର୍ଥନ ପାଇଁ ସମ୍ଭବ ହୋଇପାରିଛି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ମୋର ପ୍ରଥମ ନୃତ୍ୟଗୁରୁ ବାପା ଥିବାବେଳେ ଏବେ ମୋ ସ୍ବାମୀ ମୋର ଗୁରୁ ହୋଇଛନ୍ତି।
ଆପଣଙ୍କ ନଜରରେ ରାଉରକେଲା?
ରାଉରକେଲା ମୋ ପାଇଁ ଏକ ଶାନ୍ତିପୂର୍ଣ୍ଣ ସ୍ଥାନ। ଏଠାରେ ବିପୁଳ ପରିମାଣରେ କଳାପ୍ରେମୀ ଅଛନ୍ତି। ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ଏ ମାଟିରେ ମୁଁ ଶେଷନିଶ୍ବାସ ତ୍ୟାଗ କରେ। ନୂଆବର୍ଷ ମୋତେ ଏତିକି ଶକ୍ତି ଓ ସାମର୍ଥ୍ୟ ଦେଉ ଯାହାଫଳରେ ମୁଁ ଭଲକାମ କରି ମୋ ଛାତ୍ରଛାତ୍ରୀମାନଙ୍କୁ ନୃତ୍ୟ ଶିକ୍ଷା ଦେଇ ଆଗକୁ ନେଇ ପାରେ।
ସାକ୍ଷାତକାର ରୀନାରାମ ଭୂୟାଁ
ଅଧିକପଢ଼ନ୍ତୁ:ନିର୍ବନ୍ଧ କଲେ ପ୍ରିୟଙ୍କାଙ୍କ ପୁଅ ରେହାନ, ଭାବିବୋହୂକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/30/untitled-7-copy-1-2025-12-30-13-49-43.jpg)