ସ୍କାନ ଷ୍ଟିଲ ଫର୍ନେସ ବିସ୍ଫୋରଣ ଘଟଣା, ଅପମୃତ୍ୟୁ ମାମଲା ରୁଜୁ କରି ପ୍ରଶ୍ନ ଘେରରେ ପୁଲିସ

Advertisment

୪ ଦିନ ପରେ ବି ହାତ ବାନ୍ଧି ବସିଛି ଶ୍ରମ ବିଭାଗ

୪ ଦିନ ପରେ ବି ହାତ ବାନ୍ଧି ବସିଛି ଶ୍ରମ ବିଭାଗ

ସ୍କାନ ଷ୍ଟିଲ ଫର୍ନେସ ବିସ୍ଫୋରଣ ଘଟଣା, ଅପମୃତ୍ୟୁ ମାମଲା ରୁଜୁ କରି ପ୍ରଶ୍ନ ଘେରରେ ପୁଲିସ

Image Courtesy of The Indian Express

ସୁନ୍ଦରଗଡ଼ : ସ୍କାନ ଷ୍ଟିଲର ବୁଡ଼ାକଟା ୟୁନିଟ-୨ ଚତୁର୍ଥ ଫର୍ନେସ ବିସ୍ଫୋରଣରେ ଗୁରୁତର କ୍ରେନ ଚାଳକ ବାଳମକୁନ୍ଦ ସିଂଙ୍କ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ ମୃତ୍ୟୁ ପରବର୍ତ୍ତୀ ଘଟଣାକ୍ରମରେ କୁତ୍ରା ପୁଲିସ, ଶ୍ରମ ବିଭାଗ ଓ ପ୍ରଶାସନର କାର୍ଯ୍ୟଶୈଳୀ ଏବେ ଚର୍ଚ୍ଚାରେ। ବିଶେଷ କରି କାରଖାନାଣରେ ଘଟିଥିବା ବିସ୍ଫୋରଣରେ ଶ୍ରମିକ ବାଳମକୁନ୍ଦଙ୍କ ଶୋଚନୀୟ ମୃତ୍ୟୁ ଅତ୍ୟନ୍ତ ସ୍ପଷ୍ଟ ଥିବା ସତ୍ତ୍ବେ କୁତ୍ରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁର୍ଘଟଣା ପର ତିନି ଦିନ ଯାଏ ମୁହଁ ବନ୍ଦ ରଖିଥିବା ପୁଲିସ ମୃତାହତ ଶ୍ରମିକ, କର୍ମଚାରୀଙ୍କ ପରିଚୟ ସମ୍ପର୍କରେ ମଧ୍ୟ କିଛି ଜାଣି ନଥିବା ପ୍ରକାଶ କରି ଆସୁଥିଲେ। ଆଉ ଏବେ କାରଖାନା କର୍ତ୍ତୃପକ୍ଷଙ୍କ ସୁରକ୍ଷା ଅବହେଳା ଯୋଗୁଁ ଶ୍ରମିକ ପ୍ରାଣ ହରାଇଥିଲେ ମଧ୍ୟ ୩୪୧-ଏରେ ମାମଲା ରୁଜୁ କରିବା ପରିବର୍ତ୍ତେ ପୁଲିସ ଅତି ଚତୁରତାର ସହ ଅସ୍ବାଭାବିକ ମୃତ୍ୟୁ ବା ଅପମୃତ୍ୟୁ ଦର୍ଶାଇ କୌଣସି ମତେ କାରଖାନା ମୁଖ୍ୟଙ୍କୁ ସୁରକ୍ଷା ଦେବାକୁ ମସୁଧା କରୁଥିବା କୁହାଯାଉଛି। ବିହାରରୁ ଆସିଥିବା ମୃତକଙ୍କ ଅସହାୟ ପତ୍ନୀ ଓ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ନିଯୁକ୍ତି ପ୍ରଦାନ ପାଇଁ ସ୍ବର ଉଠାଇବାକୁ ଏଠାରେ କେହି ନଥିବାରୁ ତାର ସୁଯୋଗ ନେଇ କାରଖାନା କର୍ତ୍ତୃପକ୍ଷ ୪ ଲକ୍ଷ ଟଙ୍କାରେ ରଫାଦଫା କରି ଘରକୁ ପଠାଇ ଦେଇଛି । ଏସ୍ଥିତିରେ ଏବେ ଆଉ ପରିବାର ପକ୍ଷରୁ କୌଣସି ଅଭିଯୋଗ ଆସିବା ସମ୍ଭାବନା ନଥିବାରୁ ପୁଲିସ ନିଜ ମର୍ଜିରେ ମାମଲାର ଦିଗ ବଦଳାଇ ଦେଇଥିବା ଚର୍ଚ୍ଚା ହେଉଛି ।

ଏ ସମ୍ପର୍କରେ କୁତ୍ରା ଥାନାଧିକାରୀ ସୁଶାନ୍ତ କୁମାର ପରିଡ଼ାଙ୍କୁ ପଚାରିବାରୁ ‘ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି’ ବୋଲି କହିଥିଲେ। ଏଥିରେ ‘କାରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ନଥିଲା କି’ ବୋଲି ପଚାରିବାରୁ ସେ ଏ ସମ୍ପର୍କରେ କିଛି କହିପାରିବେ ନାହିଁ, ତାର ତଦନ୍ତ କାରଖାନା ଓ ବାଷ୍ପିତ ବିଭାଗ କରୁଥିବା ପ୍ରକାଶ କରିଥିଲେ। କିନ୍ତୁ ବିସ୍ମୟକର କଥା, ଏଯାଏ କାରଖାନା ଓ ବାଷ୍ପିତ ବିଭାଗ ମଧ୍ୟ ଫାକ୍ଟ୍ରି ଆକ୍ଟରେ ମାମଲା ରୁଜୁ କରି ନଥିବା ଜଣାପଡ଼ିଛି। ତେବେ କେବଳ ପୁଲିସ କି ବାଷ୍ପିତ ବିଭାଗ ଘଟଣାକୁ ଏଡ଼ାଇ ଯିବାକୁ ବସିଛନ୍ତି ତାହା ନୁହେଁ, ଜିଲ୍ଲା ଶ୍ରମ ବିଭାଗ ମଧ୍ୟ ଘଟଣାକୁ ଆଖି ବୁଜି ଦେଇଛି। ଦୁର୍ଘଟଣାର ୪ ଦିନ ପରେ ବି ବିଭାଗ ଘଟଣାସ୍ଥଳକୁ ପହଞ୍ଚି ନଥିବା ବେଳେ ମୃତାହତଙ୍କ ପରିବାରକୁ ମଧ୍ୟ ଭେଟି ନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ରାଉରକେଲା ଯୁଗ୍ମ ଶ୍ରମ ଆୟୁକ୍ତ ଦୀପ୍ତିରଞ୍ଜନ ମହାନ୍ତିଙ୍କୁ ପଚାରିବାରୁ ଆଜି ସେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଥିଲେ। ଏବେ ସାଧାରଣରେ ଚର୍ଚ୍ଚା, ଯେଉଁଠି ତଦନ୍ତ ନିର୍ଦ୍ଦେଶ ଦେବାକୁ ଶ୍ରମ ଆୟୁକ୍ତଙ୍କୁ ୪ ଦିନ ଲାଗୁଛି, ସେଇଠି ମୃତ ଶ୍ରମିକଙ୍କ ପରିବାରକୁ ନ୍ୟାୟ ମିଳିବ କେବେ । ଏଥିରୁ ଶ୍ରମିକମାନଙ୍କ ଜୀବନ ସୁରକ୍ଷା ପ୍ରତି ଶ୍ରମ ବିଭାଗ କେତେ ତତ୍ପର ଓ ସମ୍ବେଦନଶୀଳ ତାହା ସ୍ପଷ୍ଟ ବୋଲି ଆଲୋଚନା ହେଉଛି। ତେବେ ଏ ଘଟଣାରେ ବଡ଼ ଧରଣର ଡିଲ୍ ହୋଇଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ୨୧ ତାରିଖ ସକାଳେ ସ୍କାନ ଷ୍ଟିଲ ବୁଡ଼ାକଟା ୟୁନିଟ-୨ର ଚତୁର୍ଥ ଫର୍ନେସରେ ବିସ୍ଫୋରଣ ହୋଇଥିଲା। ନିଆଁରେ ୩ କର୍ମଚାରୀ ଆହତ ହୋଇଥିବା କୁହାଯାଇଥିଲା। କ୍ରେନ ଉପରେ ବସିଥିବା ବାଳମକୁନ୍ଦଙ୍କ ଉପରେ ବିସ୍ଫୋରଣର ନିଆଁ ଝୁଲ ଖସି ପଡ଼ିଥିଲା। କିଛି ବୁଝିବା ପୂର୍ବରୁ ତାଙ୍କ ଶରୀର ଜଳି ଯାଇଥିଲା। ତାଙ୍କୁ ତୁରନ୍ତ ଆଇଜିଏଚ ନିଆଯାଇଥିଲା। ହେଲେ ସେହି ରାତିରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe