ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଗତ ୨୦୧୬ରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୮ ତାରିଖ ଶନିବାର ତାକୁ ୧୦ ବର୍ଷ କାରାଦଣ୍ଡ ସହ ୨୦ ହଜାର ଜରିମାନା କରିଛନ୍ତି। ଜରିମାନା ଅନାଦାୟେ ଦୋଷୀ କାରାଦଣ୍ଡ ଅଧିକ ବର୍ଷେ ଭୋଗିବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦିଆଯାଇଛି।
ମାମଲାର ବିବରଣୀ ଅନୁସାରେ, ଲେଫ୍ରିପଡ଼ା ଥାନା ଅଞ୍ଚଳରେ ୧୦.୧.୨୦୧୬ ତାରିଖ ଅପରାହ୍ନ ସାଢ଼େ ୫ଟାରେ ନାବାଳିକା ଜଣକ ଶୌଚ ପାଇଁ ଘର ପଛପଟକୁ ଯାଇଥିଲେ। ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ନାବାଳିକାଙ୍କ ପତ୍ତା ମିଳି ନଥିଲା। ପରଦିନ ସକାଳେ ସେ ସୁର୍ଗୁଡ଼ା ରାସ୍ତାରେ ଅସହାୟ ଅବସ୍ଥାରେ ବସିଥିବା ବେଳେ ଘର ଲୋକେ ଉଦ୍ଧାର କରିଥିଲେ। ସେ ଦୁଷ୍କର୍ମର ଶିକାର ହୋଇଥିବା ପରିବାର ଲୋକଙ୍କ ଆଗରେ କହିଥିଲେ। ଶୌଚ ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ଅରୁଣ କଲେତ (୩୦) ତାଙ୍କ ମୁହଁକୁ ଚାପି ଧରି ଗାଁ ଦେମୁଲ ପାଖକୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲା। ପୀଡ଼ିତା ଭୟ ଓ ଲାଜରେ ସାରା ରାତି ଦେମୁଲରେ ରହିଗଲେ। ପରଦିନ ସକାଳେ ସେ ଗାଁ ପାଖ ରାସ୍ତାକୁ ଚାଲି ଆସିଥିବା ପ୍ରକାଶ କରିଥିଲେ।
ଆହୁରି ପଢ଼ନ୍ତୁ: Kerala Custodial Assault ହାଜତରେ କଏଦୀକୁ ନିସ୍ତୁକ ମାଡ଼ ,୪ ପୁଲିସ ଅଧିକାରୀ ନିଲମ୍ବିତ
ଏ ନେଇ ପୀଡ଼ିତାଙ୍କ ମା ୧୧ ତାରିଖରେ ଦେଇଥିବା ଏତଲାକ୍ରମେ ଲେଫ୍ରିପଡ଼ା ପୁଲିସ ଭାରତୀୟ ଦଣ୍ଡବିଧି ଧାରା ୩୭୬(୨), ଯୌନ ନିର୍ଯାତନାରୁ ଶିଶୁଙ୍କୁ ସୁରକ୍ଷା (ପକ୍ସୋ) ଆଇନରେ ମାମଲା ରୁଜୁ କରି ୧୨ ତାରିଖରେ ଅଭିଯୁକ୍ତ ଅରୁଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେ ୩.୧.୨୦୨୦ରେ ଜାମିନରେ ଆସି ଫେରାର ହୋଇଯାଇଥିଲା। କୋର୍ଟରୁ ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ପୁଲିସ ତନାଘନା ଚଲାଇ ତାକୁ ୩.୧୨.୨୦୨୪ରେ ପୁଣି ଗିରଫ କରି କୋର୍ଟରେ ହାଜର କରିଥିଲା। ମାମଲାକୁ ସ୍ବତନ୍ତ୍ର ପିପି ପ୍ରଭାତ କୁମାର ନନ୍ଦ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)