ରାଉରକେଲା ରେଳ ଷ୍ଟେସନ: ବିନା ଚୁକ୍ତିନାମା‌ରେ ପାର୍କିଂ ଫି’ ଆଦାୟ

ଅଧିକାରୀ ଓ ଆର୍‌ଟିଆଇ ତଥ୍ୟର ରହୁନି ତାଳମେଳ

ରାଉରକେଲା ରେଳ ଷ୍ଟେସନ: ବିନା ଚୁକ୍ତିନାମା‌ରେ ପାର୍କିଂ ଫି’ ଆଦାୟ

ରାଉରକେଲା: ରାଉରକେଲା ରେଳ ଷ୍ଟେସନ ପାର୍କିଂ ଫି’ ଆଦାୟକୁ ନେଇ ଅନେକ ସମୟରେ ବିବାଦ ଉପୁଜିଛି। ପାର୍କିଂ ଲାଇସେନ୍ସ ପାଇଥିବା ଠିକା ସଂସ୍ଥା ଓ ଗାଡି ଚାଳକଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହେଉଛି। ମାମଲା ଥାନା ପର୍ଯ୍ୟନ୍ତ ଯାଉଛି। କିନ୍ତୁ ଆଜି ଯାଏ ଏ ଦିଗରେ ରେଳବାଇ ପକ୍ଷରୁ କୌଣସି ‌ଠୋସ୍‌ ପଦକ୍ଷେପ ନିଆଯାଉନି। ଏବେ ପୁଣି ସେହି ସମାନ ସମସ୍ୟା ସାମ୍ନାକୁ ଆସିଛି। ଷ୍ଟେସନ ଆସୁଥିବା ରେଳ ଯାତ୍ରୀଙ୍କ ସମ୍ପର୍କୀୟଠାରୁ ଠିକା ସଂସ୍ଥାର କର୍ମଚାରୀମାନେ ଜୋରଜବରଦସ୍ଥ ପାର୍କିଂ ଫି ଆଦାୟ କରୁଥିବା ଅଭିଯୋଗ ହେଉଛି। ନିକଟରେ ରାଉରକେଲାର କୋର୍ଟର ଆଇନଜୀବୀ କୈଳାସ କୁମାର ସାବତ ତାଙ୍କ ସମ୍ପର୍କୀୟଙ୍କୁ ଛାଡିବାକୁ ଷ୍ଟେସନକୁ ଆସିଥିଲେ।

ଷ୍ଟେସନ ବାହାରେ କାର୍‌ ରଖି ସମ୍ପର୍କୀୟକୁ ଷ୍ଟେସନ ଭିତରକୁ ଛାଡିବାକୁ ଯାଇଥିଲେ। ମାତ୍ର କେଇ ମିନିଟ୍‌ ମଧ୍ୟରେ କାର୍‌ ନିକଟକୁ ଫେରିଥିଲେ। ପାର୍କିଂ ଫି ଆଦାୟ କରୁଥିବା ଠିକାସଂସ୍ଥାର କର୍ମଚାରୀ ତାଙ୍କ ଠାରୁ ଜୋରଜବରଦସ୍ତ ଫି ଆଦାୟ କରିଥିଲେ। ଯାହାକୁ କେନ୍ଦ୍ର କରି ଫି ଆଦାୟ କରୁଥିବା ଠିକା ସଂସ୍ଥାର କର୍ମଚାରୀ ଓ ଆଇନଜୀବୀ କୈଳାସ ସାବତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଇନଜୀବୀ କୈଳାସ ଷ୍ଟେସନ ସମ୍ମୁଖରେ ଯାତ୍ରୀଙ୍କ ସମ୍ପର୍କୀୟ ଠାରୁ ପାର୍କିଂ ନେବାର କିଛି ନିୟମ ଅଛି କି ବୋଲି ପ୍ରଶ୍ନ କରିଥିଲେ ? କର୍ମଚାରୀ ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଆଇନଜୀବୀ ପାର୍କିଂ ଫି ଆଦାୟ ସଂକ୍ରାନ୍ତରେ ଜାଣିବାକୁ ଚକ୍ରଧରପୁର ମଣ୍ଡଳ ଅଫିସକୁ ତଥ୍ୟ ମାଗିଥିଲେ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ରେଳବାଇ ସହ ଠିକା ସଂସ୍ଥାର କୌଣସି ଚୁକ୍ତିନାମା ହୋଇ ନାହିଁ। ରାଞ୍ଚିର ମେର୍ସସ ଅନ୍ନପୂର୍ଣ୍ଣା ୟୁଟିଲିଟି ସର୍ଭିସସେ୍‌ ପ୍ରାଇଭେଟ୍‌ ଲିମିଟେଡକୁ ଷ୍ଟେସନରେ ଗାଡି ପାର୍କିଂ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଦିଆଯାଇଛି।

ଆସନ୍ତା ୩ ବର୍ଷ ପାଇଁ ଏହି ଠିକା ସଂସ୍ଥା ରାଉକେଲା ଷ୍ଟେସନର ପ୍ରଥମ ଓ ଦ୍ବିତୀୟ ପ୍ରବେଶ ପଥରେ ପାର୍କିଂ ଫି ଆଦାୟ କରିବ। ଷ୍ଟେସନର ମୁଖ୍ୟ ପ୍ରବେଶ ପଥରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ପାର୍କିଂ ଫି ଆଦାୟ ପାଇଁ ଦିଆଯାଇଛି। ଦ୍ବିତୀୟ ପ୍ରବଶେ ପଥରେ ଏଯାଏଁ ଗାଡି ପାର୍କିଂ ପାଇଁ କୌଣସି ସ୍ଥାନ ଯୋଗାଇ ଦିଆଯାଇ ନାହିଁ। ଏହା ସତ୍ବେ ଠିକା ସଂସ୍ଥାର କର୍ମଚାରୀ ଜଣକ ଷ୍ଟେସନକୁ ଆସୁଥିବା ଯାତ୍ରୀଙ୍କ ଠାରୁ ବେଆଇନ ଭାବେ ‌ଜୋରଜବରଦସ୍ତ ପାର୍କିଂ ଫି ଆଦାୟ କରୁଛନ୍ତି। ପାର୍କିଂସ୍ଥଳକୁ ଛାଡି ଅନ୍ୟ ଜାଗରୁ ପାର୍କିଂ ଆଦାୟ କରାଯାଉଥିଲେ ହେଁ ଏହାକୁ ରୋକାଯାଉ ନାହିଁ। ବରଂ ଆର୍‌ପିଏଫ୍‌ ଓ ରେଳ କର୍ମଚାରୀମାନେ ଠିକା ସଂସ୍ଥାକୁ କୁଆଡେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ସେପଟେ ଗତ ୨୦୧୨ ଅଗଷ୍ଟ ୨୬ରୁ ଠିକା ସଂସ୍ଥା ପାର୍କିଂ ଠିକା ପାଇଥିଲେ ହେଁ ଆଜି ପର୍ଯ୍ୟନ୍ତ କାହିଁକି ରେଳବାଇ ମଧ୍ୟରେ ଚୁକ୍ତି ହୋଇନାହିଁ ? ଅବହେଳା କରୁଥିବା ଅଧିକାରୀଙ୍କ ମଧ୍ୟରେ ରେଳବାଇ କାର୍ଯ୍ୟାନୁଷ୍ଠାନ ନ ନେଇ କେମିତି ଚୁପ୍‌ ବସିଛି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି। ଅନ୍ୟପଟେ ଠିକା ସଂସ୍ଥା ମାସକୁ ପାର୍କିଂ ଫି ବାବଦରେ ଆଦାୟ କରୁଥିବା ଅର୍ଥ ରେଲୱେ ପାଣ୍ଠିକୁ ଯାଉଛି କି ନାହିଁ , ତା’ର ମଧ୍ୟ ତଦନ୍ତ ହେବା‌ର ଆବଶ୍ୟକତା ରହିଛି।

ଏ ସଂକ୍ରାନ୍ତରେ ଚକ୍ରଧରପୁର ରେଳ ଡିଭିଜିନର ସିନିୟର ଡିସିଏମ୍‌ ମନିଷ କୁମାର ପାଠକଙ୍କୁ ପଚାରିବାର ସେ କହିଛନ୍ତି, ଅନ୍ନପୂର୍ଣ୍ଣା ୟୁଟିଲିଟି ସର୍ଭିସେସ୍‌ ସଂସ୍ଥାକୁ ଷ୍ଟେସନର ପ୍ରଥମ ଓ ଦ୍ବିତୀୟ ପ୍ରବେଶ ପଥରେ ପାର୍କିଂ ଫି ଆଦାୟ କରିବାକୁ ଟେଣ୍ଡର ମିଳିଛି। ରେଳବାଇ ସହ ଠିକା ସଂସ୍ଥା ମଧ୍ୟରେ ଚୁକ୍ତିନାମା ହେବାର ସାମାନ୍ୟ ବିଳମ୍ବ ହୋଇଛି। ଅଧିକାରୀ କଥା ଓ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ମଧ୍ୟରେ କୌଣସି ତାଳମେଳ ରହୁ ନାହିଁ। ତେବେ ଆସନ୍ତା ଦିନରେ ଷ୍ଟେସନରେ ଚାଲିଥିବା ପାର୍କିଂ ଫିକୁ ନେଇ ରାଉରକେଲା ଓକିଲ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବ। ଷ୍ଟେସନର ପାର୍କିଂ ଫି ଆଦାୟକୁ ନେଇ ଉପୁଜିଥିବା ବିବାଦ ଆଗାମୀ ଦିନରେ କି ରୂପ ନେଉଛି, ତା’ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe