ସୁନ୍ଦରଗଡ଼: ଅବକାରୀ ଗୁଣ୍ଡାଙ୍କୁ ମହିଳା ଘେରିଲେ, ଛେଚିଲେ

Advertisment
ସୁନ୍ଦରଗଡ଼: ଅବକାରୀ ଗୁଣ୍ଡାଙ୍କୁ ମହିଳା ଘେରିଲେ, ଛେଚିଲେ

ସୁନ୍ଦରଗଡ଼: ଚୋରା ମଦ ଚଢାଉ ନାମରେ  ସୁନ୍ଦରଗଡ଼ର ଆଦିବାସୀ ଗାଁଗୁଡିକରେ ବିହାରୀ ଗୁଣ୍ଡା ଦଳର ଦୌରାତ୍ମ୍ଯ ବଢିଚାଲିଛି। କେବେ ଅବକାରୀ ଟିମ୍ ସହ ଓ କେବେ ନିଜେ ଅବକାରୀ ଟିମ୍ ସାଜି ଲାଠି, ଶାବଳ ଧରି ଆଦିବାସୀଙ୍କ ଘରେ ଜୋରଜବରଦସ୍ତ ପଶି ସେମାନଙ୍କ ଜୀବିକାର ସାଧନ ବସ୍ତା ବସ୍ତା ମହୁଲ ଲୁଟି ନେଉଥିବା ଅଭିଯୋଗ ରହିଛି। ଜିଲ୍ଲାପାଳଙ୍କୁ ଅଭିଯୋଗ ସତ୍ତ୍ବେ ଗୁଣ୍ଡାଙ୍କ ଉତ୍ପାତରେ ରୋକ୍ ଲାଗି ନାହିଁ। ତେବେ ଆଜି ଏକ ଘଟଣାକ୍ରମେ ଅବକାରୀ ଗୁଣ୍ଡାମାନେ ମହିଳାମାନଙ୍କ ରୋଷର ଶିକାର ହୋଇଛନ୍ତି। ୧୦ ଜଣିଆ ଅବକାରୀ ଗୁଣ୍ଡା ଏକ ବଲେରୋ (ଓଡି ୧୬ ଏଫ- ୨୧୩୨)ରେ ଧରୁଆଡିହି ଥାନା ଗୁରାବସା କୁଶପଡାକୁ ଯାଇ ଶକୁନ୍ତଳା ଓରାମଙ୍କ ଘରେ ପଶୁଥିବାବେଳେ ଗାଁ ଲୋକେ ବିରୋଧ କରିଥିଲେ। ଗୁଣ୍ଡାମାନେ ଲୋକଙ୍କୁ ଧମକଚମକ ଦେଇଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଦଶ'ରା ପୂଜା ଚାଲିଥିବା ବେଳେ ମଦ ଚଢାଉ ନାମରେ  ଘରେ  ପଶିବାକୁ ନେଇ  ମହିଳାମାନେ ଉତ୍ତ୍ଯକ୍ତ ହୋଇ ଗୁଣ୍ଡାମାନଙ୍କୁ ଘେରି ଯାଇ ନିସ୍ତୁକ ଛେଚିବା ସହ ଅଟକ ରଖିଥିଲେ। ପରେ ସୂଚନା ପାଇ ଧରୁଆଡିହି ଥାନାରୁ ପୁଲିସ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ଯ ଲୋକେ ଶାନ୍ତ ପଡି ନଥିଲେ। ଚୋରା ମଦକୁ ଜବତ କରିବା କାର୍ଯ୍ଯ ଅବକାରୀ ବିଭାଗର। କେଉଁଠି ମଦ ରନ୍ଧା ହେଉଛି ଯଦି ସେଠାରେ ଅବକାରୀ ଯାଇ ଚଢାଉ କରିବା କଥା। କିନ୍ତ ଅବକାରୀ ଚଢାଉ ଆଳରେ ମଦଭାଟି ଗୁଣ୍ଡା ଘରେ ପଶି ଜୋରକରି ସେମାନଙ୍କ ପରିବାରକୁ ଅନ୍ନ ଦେଉଥିବା ମହୁଲବସ୍ତା ଉଠାଇ ନେଇଯିବା କେଉଁ ଅବକାରୀ ଆଇନରେ ନିର୍ଦ୍ଦେଶ ଅଛି ବୋଲି ଲୋକେ ପ୍ରଶ୍ନ କରିଥିଲେ। ପରେ ସେଠାରେ ପହଞ୍ଚିଥିବା ସଦର ପଞ୍ଚାୟତସମିତି ଅଧ୍ଯକ୍ଷ ସୁବ୍ରତ ମାଝୀଙ୍କ ଉପସ୍ଥିତିରେ ଅଟକ ଗୁଣ୍ଡାମାନେ ନିଜ ଭୁଲ୍ ସ୍ବୀକାର କରି ଆଉ କେବେ ଗାଁକୁ ପଶିବେ ନାହିଁ ବୋଲି ଲେଖିଦେବା ପରେ ଗାଁ ଲୋକେ ସେମାନଙ୍କୁ ଛାଡିଥିଲେ। ବେଆଇନ ଭାବେ ଅବକାରୀ ଚଢାଉ କରିବାକୁ ଯାଇ ଗୁଣ୍ଡାମାନେ ଛେଚା ଖାଇବା ଚର୍ଚ୍ଚାର ବିଷୟ ହୋଇଛି।

publive-image

ଆଦିବାସୀମାନେ ଚୋରା ମହୁଲି ମଦ ପ୍ରସ୍ତୁତ କରୁଥିବା ଦର୍ଶାଇ ଅବକାରୀ ଟିମ୍‌ ବିହାରୀ ଗୁଣ୍ଡାଙ୍କ ମାଧ୍ୟମରେ ଚଢ଼ାଉ କରି  ଖାଦ୍ୟ ଓ ବିକ୍ରି ପାଇଁ ଘରେ ସାଇତା ମହୁଲକୁ ଜବତ କରୁଥିବାର ଅଭିଯୋଗ ରହିଛି। ଘରୁ ଜୋର୍‌ କରି ମହୁଲ  ବସ୍ତ‌ା ବୋହି ନେଉଥିଲେ ମଧ୍ୟ ଅନେକ ସମୟରେ ବିଭାଗ ଜବତ ବା ସିଜର ଲିଷ୍ଟ କରୁ ନାହିଁ। ଫଳସ୍ବରୂପ ଆଦିବାସୀଙ୍କ ମହୁଲ ମାଗଣାରେ ମଦଭାଟି ମାଲିକର ଗୋଦାମକୁ ଚାଲିଯାଉଛି। ଅନ୍ୟପଟେ ଚଢ଼ାଉ ବେଳେ ଅବକାରୀ ଟିମ୍‌ ଓ ବିହାରୀ ଗୁଣ୍ଡାମାନେ ଆଦିବାସୀଙ୍କୁ ଭାଟି ମଦ ବିକିବାକୁ ଚାପ ଦେଉଥିବା ପ୍ରକାଶ ପାଇଛି। ଭାଟି ମଦ ବିକିଲେ ସବୁ ମାଫ୍‌ କରି ଦିଆଯିବ, ନହେଲେ ବାରମ୍ବାର ଚଢ଼ାଉ କରି ମିଛ ମାମଲାରେ ଛନ୍ଦି  ଦିଆଯିବ ବୋଲି କହୁଥିବା ଅଭିଯୋଗ ରହିଛି। ଏହା ବିରୋଧରେ କିଛି ଦିନ ତଳେ ସଦର ପଞ୍ଚାୟତସମିତି ଅଧ୍ଯକ୍ଷ ସୁବ୍ରତ ମାଝୀଙ୍କ ନେତୃତ୍ବରେ ଆଦିବାସୀ ଜିଲ୍ଲାପାଳଙ୍କୁ ଫେରାଦ ହୋଇ ନ୍ଯାୟ ମାଗିଥିଲେ। କିନ୍ତୁ ପ୍ରଶାସନ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe