Youth in Agriculture Photograph: (@sambad.in)
ରାଉରକେଲା: ‘ଚାଷ କାମ ଯାହାର କେତେ ସୁଖ ତାହାର’ ଏହି ଉକ୍ତି କିଛି ବର୍ଷ ପୂର୍ବେ ଫିକା ପଡ଼ିଯାଇଥିଲା। ଚାଷକୁ ବୃତ୍ତି କରିବା କଥା କହିଲେ ପାଠୁଆ ଯୁବପିଢ଼ି ମୁହଁ ମୋଡ଼ୁଥିଲେ। କହୁଥିଲେ, ପାଠ ପଢ଼ି ବିଲରେ ହଳ ବୁଲେଇବୁ? ପାଣିକାଦୁଅରେ ପଶି ଝାଳ ବୁହାଇବୁ? କେତେ ବା ରୋଜଗାର ହେବ? ଏବେ କିନ୍ତୁ ଆଧୁନିକ ପ୍ରଣାଳୀର ଚାଷ ସାଙ୍ଗକୁ ଉନ୍ନତ ବୈଷୟିକ କୌଶଳ ଚାଷକୁ ଅନେକାଂଶରେ ଏକ ଲାଭଦାୟକ ପେସାରେ ପରିଣତ କରିଛି। ଇତିମଧ୍ୟରେ ବହୁ ଉଚ୍ଚଶିକ୍ଷିତ ଏବେ ଚାଷକୁ ବୃତ୍ତି ଭାବେ ଆପଣାଇ ଭଲ ରୋଜଗାର କରି ପାରୁଛନ୍ତି। ସରକାର ବି ଏବେ ଲାଭଦାୟକ ଚାଷଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି।
ପୂର୍ବରୁ ଜମି କର ଦେଇ ଦେଉଥିବା ବେଳେ ଏବେ ଉକ୍ତ ଜମିକୁ ନିଜେ ଚାଷ କରିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି। ଘରକୁ ଲାଗିଥିବା ଛୋଟିଆ ବାଗିଚା ଖଣ୍ଡକରେ ବି ଲୋକେ ବିଭିନ୍ନ ପ୍ରକାର ଫସଲ କରି ସାରବିହୀନ ପନିପରିବା ପାଇ ପାରୁଛନ୍ତି।
ଅଧିକପଢ଼ନ୍ତୁ:ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ ସିଖ କବାବ
ଚାଷୀଙ୍କ ପ୍ରତିକ୍ରିୟା
ଜୟଶଙ୍କର ନନ୍ଦ, ଚାଷୀ ତଥା ବିଜେପି ନେତା, କୁଆଁରମୁଣ୍ଡ
ଚାଷୀଘର ଛୁଆ ମୁଁ । ମୋର ହେତୁ ପାଇଲା ଦିନ ଠାରୁ, ଧାନ, ଗହମ ଓ ପରିବା ଚାଷ କରୁଛି। ବର୍ଷକୁ ୧୦୦କୁଇଣ୍ଟାଲ ପାଖାପାଖି ଧାନ ବିକ୍ରି କରି ଭଲ ଆୟ କରି ପାରୁଛି। ଲ୍ୟାମ୍ପରେ ମୁଁ କ୍ରମାଗତ ଭାବେ ୧୫/୨୦ବର୍ଷ ହେବ ନିର୍ଦ୍ଦେଶକ ଅଛି। ମୁଁ ପ୍ରତ୍ୟେକ ଚାଷୀଙ୍କ ସୁବିଧା ଅସୁବିଧା ବୁଝିଥାଏ। ମୋ ମତରେ ଚାଷ ଓ ଚାଷୀମାନଙ୍କର ଉନ୍ନତିରେ ଦେଶର ପ୍ରଗତି ସମ୍ଭବ ହୋଇଥାଏ। କିଛିବର୍ଷ ହେବ ପିଲା ଠାରୁ ବୃଦ୍ଧ ଚାଷ କାମ ପ୍ରତି ଆଗ୍ରହ ଦେଖାଉଛନ୍ତି। ୧୦ବର୍ଷ ପୂର୍ବେ ଏ ସବୁ ହଜି ଯାଇଥିଲା। ପିଲାମାନେ ପାଠପଢ଼ା ଶେଷ ହେଲାମାତ୍ରେ ଚାକିରି ପାଇଁ ବ୍ୟସ୍ତ ହୋଇପଡ଼ୁଥିଲେ। ଏ କ୍ଷେତ୍ରରେ ଏବେ ପରିବର୍ତ୍ତନ ଦେଖା ଦେଇଛି। ବଡ଼ବଡ଼ କମ୍ପାନିରେ ପିଲାମାନେ ଚାକିରି ଛାଡ଼ି ଚାଷ କାମରେ ଆଗ୍ରହ ଦେଖାଉଛନ୍ତି ଏବଂ ସଫଳତା ବି ପାଉଛନ୍ତି।
ରବୀନ୍ଦ୍ର ନନ୍ଦ, ଚାଷୀ, କୁଆଁରମୁଣ୍ଡା
୨୦ବର୍ଷ ବୟସରୁ ଚାଷ କାମ କରୁଛି। ଫସଲ ଅମଳ ସମୟରେ ମନକୁ ଯେତିକି ସନ୍ତୋଷ ମିଳିଥାବଏ, ବୋଧ ହୁଏ ରୋଜଗାର କରି ମାସକୁ ଦରମା ଖଣ୍ଡକ ପାଇଥିଲେ ସେତିକି ସନ୍ତୋଷ ଖୁସି ମିଳେନା। ସମସ୍ତେ ଯଦି କହିବେ ଆମେ ସୁଟବୁଟ ପିନ୍ଧି ରୋଜଗାର କରିବୁ ତେବେ ଫସଲ ଅମଳ କରିବ କିଏ? ଆମେ ଖାଇବା କ’ଣ? ଆଜିକାଲିର ଯୁବପିଢ଼ି ବି ଏକଥା ବୁଝିଲେଣି। ଚାଷ କାମକୁ ଆଦରିଲେଣି।
ବିଜୟ ଗଞ୍ଜୁ, ସଫଳ ଚାଷୀ, ପୁରୁଣାପାଣି
ମୁଁ ଧାନ ଓ ମାଛ ଚାଷ କରୁଛି। ଚାଷ କାମରେ ଯେତିକି ଆତ୍ମସନ୍ତୋଷ ମିଳିଥାଏ ତାହା ଅନ୍ୟ କୌଣସି ଚାକିରିରେ ନଥାଏ। ଚାଷ କାମ ପାଇଁ ଏଯାବତ ମୁଁ ସୁନ୍ଦରଗଡ଼ ଓ ନୂଆ ଗାଁ ବ୍ଲକସ୍ତରରେ ଫାର୍ମର ପ୍ରୋଗେସିଭ୍ ଆୱାର୍ଡ ପାଇଛି। ଚାଷ ମାଧ୍ୟମରେ ଯୁବପିଢ଼ିଙ୍କୁ ଗୋଟିଏ ବାର୍ତ୍ତା ଦେବାକୁ ଚାହିଁବି, ‘ଚାଷ କାମ କରି ଅନ୍ୟାନ୍ୟ ସ୍ଥିତିକୁ ବଜାୟ ରଖି ସମାରଜ ସହିତ ତାଳରେ ତାଳ ମିଳାଇ ଚାଲି ହେବ।’
ପ୍ରଫୁଲ୍ଲ ମହେତୋ, ପତ୍ରାପାଲି, ନୂଆଗାଁ (ଝାଡ଼ଖଣ୍ଡରେ ରାଜ୍ୟପାଳଙ୍କ ଠାରୁ ସଫଳ ଆମ୍ବ ଚାଷ ପାଇଁ ପୁରସ୍କୃତ)
ମୁଁ ମୋ ଜମିରେ ସୁଇଟକର୍ଣ୍ଣ, ବନ୍ଧାକୋବି, ଆମ୍ବ, ମତ୍ସ୍ୟ ଚାଷ କରିବା ସହିତ ଗାଈ, ଛୋଳି, କୁକୁଡ଼ା ଆଦି ପାଳନ କରିଥାଏ। ମୋ ଚାଷ କାମ ଦେଖି ପାଖଆଖ ଗାଁର ଅନେକ ଲୋକ ଚାଷ ପ୍ରତି ଉତ୍ସାହିତ ହୋଇ ନିଜ ଜମିରେ କାମ କରିବା ବି ଆରମ୍ଭ କରି ଦେଇଛନ୍ତି। ମୋ ମତରେ ଅର୍ଥ ରୋଜଗାର ପାଇଁ ଚାକିରି ଅପେକ୍ଷା ଚାଷ କାମ ହେଉଛି ସ୍ଥାୟୀ ମାଧ୍ୟମ।
ଅଧିକପଢ଼ନ୍ତୁ:ବିଏଚୟୁ ନିଯୁକ୍ତି ୨୦୨୫: ୮ମ ଶ୍ରେଶୀ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ
Follow Us