ନବବଧୂର ସନ୍ଦେହଜନକ ମୃତ୍ୟୁ ଘଟଣା: ଅଭିଯୁକ୍ତ ସ୍ବାମୀକୁ ଗିରଫ ଦାବିରେ ଥାନା ଆଗରେ ଧାରଣା

ନବବଧୂର ସନ୍ଦେହଜନକ ମୃତ୍ୟୁ ଘଟଣା: ଅଭିଯୁକ୍ତ ସ୍ବାମୀକୁ ଗିରଫ ଦାବିରେ ଥାନା ଆଗରେ ଧାରଣା

ଦଶରଥପୁର: ଅଳକୁଣ୍ଡ ଥାନା ବରୀକୂଳ ଗ୍ରାମର ପରେଶ ଚନ୍ଦ୍ର ଦାସଙ୍କ ଝିଅ ମଧୁସ୍ମିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ସ୍ବାମୀ ଖଜୁରିମାଳ ଗାଁର ବିଶ୍ବଜିତ ପଣ୍ଡା ଓରଫ ସିପୁଙ୍କୁ ମଙ୍ଗଳପୁର ଥାନା ପୁଲିସ ଅଟକ ରଖି ପରେ ଛାଡ଼ିଦେଇଛି। ହତ୍ୟା ମାମଲା ରୁଜୁ କରିଥିଲେ ମଧ୍ୟ ପୁଲିସ ତାଙ୍କୁ ଛାଡ଼ିଦେବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏନେଇ ପରିବାର ଓ ବିଂଝାରପୁର ବ୍ଲକ ବିତନା ପଞ୍ଚାୟତର ପୂର୍ବତନ ସରପଞ୍ଚ ମହେଶ୍ୱର ରାଉତ ଓ ସମାଜସେବୀ ମନୋରଂଜନ ଦାସ ମଙ୍ଗଳପୁର ଥାନାଧିକାରୀ ପବିତ୍ର ମହାରଣାଙ୍କୁ ଭେଟି ଅଭିଯୁକ୍ତ ବିଶ୍ୱଜିତଙ୍କୁ ଗିରଫ୍ କରିବାକୁ ଦାବି କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଗିରଫ କରିବା ଦାବିରେ ସୋମବାର ସକାଳୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦର୍ପନାରାୟଣ ଦାସ, ଉତ୍ତଙ୍ଗରା ସରପଞ୍ଚ ସନ୍ତୋଷ କୁମାର ମଲ୍ଲିକ, ସମିତି ସଭ୍ୟ ମନୋଜ କୁମାର ଜେନା, ପୂର୍ବତନ ସରପଞ୍ଚ ମହେଶ୍ୱର ଦାସ, ସମାଜସେବୀ ମନୋରଂଜନ ଦାସଙ୍କ ନେତୃତ୍ୱରେ ମଙ୍ଗଳପୁର ଥାନା ଆଗରେ ଏହି ଧାରଣା ଦିଆଯାଇଥିଲା। ମଧୁସ୍ମିତାଙ୍କ ବାପା ପରେଶ ଚନ୍ଦ୍ର ଦାସ, ଅଜା କେଶବ ଦାସଙ୍କ ସମେତ ବହୁ ଗ୍ରାମବାସୀ ଧାରଣାରେ ବସିରହିଥିଲେ। ମଙ୍ଗଳପୁର ପଞ୍ଚାୟତର ଜଣେ ପୂର୍ବତନ ଲୋକପ୍ରତିନିଧିଙ୍କ ଜରିଆରେ ଚାପ ପକାଇ ଟଙ୍କା ଦେଇ ଅଭିଯୁକ୍ତମାନେ ଖସିଯିବାକୁ ଯୋଜନା କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ଥାନାଧିକାରୀ ପବିତ୍ର ମହାରଣା ବହୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରୁ ଓହରି ନଥିଲେ। ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ ମଙ୍ଗଳପୁର ଥାନାରେ ପହଞ୍ଚି ଶବ ବ୍ୟବଚ୍ଛେ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ପୁଲିସ୍ ଉପରେ ଭରସା ରଖିବାକୁ ଅନୁରୋଧ କରିଥିଲେ। ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe