ମାଟିରେ ମିଶିଯିବ ରାଜତନ୍ତ୍ର ସମୟର ତହସିଲ୍‌ କାର୍ଯ୍ୟାଳୟ

Advertisment

ଜରାଜୀର୍ଣ୍ଣ ଅବସ୍ଥାରେ ଐତିହାସିକ କୋଠା, ପ୍ରଶାସନର ନଜର ପଡ଼ୁନି

ଜରାଜୀର୍ଣ୍ଣ ଅବସ୍ଥାରେ ଐତିହାସିକ କୋଠା, ପ୍ରଶାସନର ନଜର ପଡ଼ୁନି

ମାଟିରେ ମିଶିଯିବ ରାଜତନ୍ତ୍ର ସମୟର ତହସିଲ୍‌ କାର୍ଯ୍ୟାଳୟ

Sambad

ନରସିଂହପୁର: ନରସିଂହପୁର କଚେରୀ ପରିସରରେ ରହିଛି ରାଜତନ୍ତ୍ର ସମୟର ତହସିଲ କାର୍ଯ୍ୟାଳୟ। ଜରାଜୀର୍ଣ୍ଣ ଅବସ୍ଥାକୁ ଆସି ଯାଇଥିବା ଏହି କାର୍ଯ୍ୟାଳୟ ଏବେ ମାଟିରେ ମିଶିବାକୁ ବସିଛି। କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ନୂଆ କୋଠାକୁ ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପରେ ରକ୍ଷଣାବେକ୍ଷଣ ଅଭାବରୁ ପୁରୁଣା କାର୍ଯ୍ୟାଳୟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏବେ କାନ୍ଥଗୁଡ଼ିକ ଅନାବନା ଗଛଲତାରେ ଭର୍ତ୍ତି ହୋଇଯାଇଛି। ସାମାନ୍ୟ ବର୍ଷାରେ ଘର ଭିତରେ ଓ ବାହାରେ ପାଣି ଭର୍ତ୍ତି ହୋଇଯାଉଛି। କାର୍ଯ୍ୟାଳୟ ଚତୁଃପାର୍ଶ୍ଵ ସରୀସୃପଙ୍କର ଆଡ଼ାସ୍ଥଳୀ ପାଲଟିଛି। ରଂଗ ନ ହେବା ଏବଂ ବର୍ଷା ପାଣିରେ ଭିଜି ରହିବାରୁ କାନ୍ଥଗୁଡ଼ିକରେ ଶିଉଳି ପଡ଼ି ଯାଇଛି। ଉଇ ଲାଗି କବାଟ ଓ ଝରକା ନଷ୍ଟ ହେବାକୁ ବସିଛି। ଏ ସମ୍ପର୍କରେ ‘ସମ୍ବାଦ’ରେ ଏକାଧିକଥର ଖବର ପ୍ରକାଶ ପାଇଛି। ଏହାର ପୁନରୁଦ୍ଧାର ପାଇଁ ବାରମ୍ବାର ନରସିଂହପୁର ଓକିଲ ସଂଘ ପକ୍ଷରୁ କଟକ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାବି ପରେ ପ୍ରତିଶ୍ରୁତି ମିଳିଛି। ହେଲେ, ବର୍ଷ ପରେ ବର୍ଷ ବିତି ଯାଉଥିଲେ ମଧ୍ୟ ଏହାର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଓକିଲ ସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି।
ସୂଚନାଯୋଗ୍ୟ ଯେ ପୁରୁଣା ତହସିଲ କାର୍ଯ୍ୟାଳୟର ଅଳ୍ପ କିଛି ଅଂଶରେ ଏବେ ସବ୍‌-ଟ୍ରେଜେରି କାର୍ଯ୍ୟାଳୟ ଚାଲିଛି। ଏଠାରେ ସରକାରୀ କର୍ମଚାରୀଙ୍କ ଦରମା, ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପେନ୍‌ସନ୍‌ ଆଦି କାର୍ଯ୍ୟ ହୋଇଥାଏ। ସେହିପରି ସରକାରଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ କୋର୍ଟ ଫି’, ଦଲିଲ୍‌ ଆଦି ଏହିଠାରେ ପ୍ରଦାନ କରାଯାଏ।

ଏ ବାବଦରେ ସରକାର ବର୍ଷକୁ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ପାଉଛନ୍ତି। ହେଲେ, ସାମାନ୍ୟ ବର୍ଷା ହେଲେ ଉକ୍ତ କାର୍ଯ୍ୟାଳୟରେ ପାଣି ଲହଡ଼ି ମାରୁଛି। ଫଳରେ ପଲିଥିନ୍‌ ଘୋଡ଼ାଯାଇ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ଅସୁରକ୍ଷିତ ଅବସ୍ଥାରେ ରଖିବାକୁ ପଡ଼ୁଛି। ପୁରୁଣା ତହସିଲ୍‌ କୋଠାର ପୁନରୁଦ୍ଧାର କରାଗଲେ ନରସିଂହପୁରରେ ଭଡ଼ାରେ ଚାଲୁଥିବା ଅନେକ ସରକାରୀ କାର୍ଯ୍ୟାଳୟ ଏଠାକୁ ସ୍ଥାନାନ୍ତର ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। କିନ୍ତୁ, ବ୍ଲକ୍‌ କିମ୍ବା ଜିଲ୍ଲା ପ୍ରଶାସନ ଉକ୍ତ କାର୍ଯ୍ୟାଳୟ ଉପରେ ନଜର ପଡ଼ୁନାହିଁ। ଏଥିସହ କାର୍ଯ୍ୟାଳୟର ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବାରୁ ନରସିଂହପୁର ଓକିଲ ସଂଘ ସଭାପତି ନିର୍ମଳେନ୍ଦୁ ମିଶ୍ର, ପ୍ରାକ୍ତନ ସଭାପତି ସରୋଜ କୁମାର ସାହୁ, ଲଳିତକେଶରୀ ବିଶ୍ୱାଳ, ସୂର୍ଯ୍ୟନାରାୟଣ ପାତ୍ର, ସରକାରୀ ଓକିଲ ପ୍ରଫୁଲ୍ଲ କୁମାର ପଣ୍ଡା, ଶ୍ରୀକାନ୍ତ ମିଶ୍ର, ଗୋଲକବିହାରୀ ସାହୁ, ରବୀନ୍ଦ୍ରନାଥ ସାହୁ, ଉପସଭାପତି ଅଶୋକ କୁମାର ଶତପଥୀ, ସମ୍ପାଦକ ବିଭୁଦତ୍ତ ମିଶ୍ର, ଜୟନ୍ତ କୁମାର ପଣ୍ଡା, ଅଞ୍ଜନପ୍ରସାଦ ପଣ୍ଡା, ପ୍ରକାଶଚନ୍ଦ୍ର ପ୍ରଧାନ, ସରୋଜ କୁମାର ମହାରଣା, ପୀତବାସ ମହାପାତ୍ର, ମାନ ବେହେରା, ନରନାରାୟଣ ବାରିକ, ଭରତଚନ୍ଦ୍ର ଦାସ, ଅଶ୍ୱିନୀ କୁମାର ରଣା, ପବିତ୍ର କୁମାର ଘୋଷ, ଭୁପେନ କୁମାର ଦାସ, ସୁରେଶଚନ୍ଦ୍ର ମହାନ୍ତି, ଜ୍ଞାନରଞ୍ଜନ ନାୟକ, ସୁବାସଚନ୍ଦ୍ର ପାଣିଗ୍ରାହୀ, ଇନ୍ଦିରା ପ୍ରଧାନ, ବିଜୟଲକ୍ଷ୍ମୀ ସାହୁ, ମନୋଜ କୁମାର ପଣ୍ଡା, ସମୀର କୁମାର ଦଳେଇ, ପ୍ରକାଶ କୁମାର ମହାପାତ୍ରଙ୍କ ସମେତ ସମସ୍ତ ଓକିଲ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe