new indian express
ପାଣିକୋଇଲି: ବେଆଇନ୍ ଭଡ଼ା ବୃଦ୍ଧି ଅଭିଯୋଗରେ ଆଜି ଦୁଇଜଣ ବସ୍ କଣ୍ଡକ୍ଟରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଦୁଇ ଅଭିଯୁକ୍ତ କଣ୍ଡକ୍ଟର ଧର୍ମଶାଳା ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମର ଯଦୁନାଥ ସାମଲଙ୍କ ପୁଅ ସୁଧାଂଶୁ(୩୬) ଓ ପଶ୍ଚିମବଙ୍ଗ ପୁରୁଚିଆ ନଦିନା ଦୁଲମି ଗ୍ରାମର ବାଣୀକଣ୍ଠ ସେନଙ୍କ ପୁଅ ରଂଜିତ(୩୬)। ପ୍ରକାଶ ଯେ, ବାହାନଗା ରେଳ ଦୁର୍ଘଟଣା ପରେ କେତେକ ବସ୍ କଣ୍ତକ୍ଟର ଓ ବସ୍ ମାଲିକ ବେଆଇନ୍ ଭାବେ ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ଅଭିଯୋଗ ହେବା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏନେଇ ପୁଲିସ ଓ ପରିବହନ ବିଭାଗକୁ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଥିଲେ।
ସୋମବାର ଭୁବନେଶ୍ବରରୁ କୋଲକାତା ଯାଉଥିବା ବୃନ୍ଦାବନ ବିହାରୀ ନାମକ ଘରୋଇ ବସ୍(ଡବ୍ଲୁବି-୭୬ଏ-୪୪୩୯)ରେ ଯାତ୍ରୀମାନଙ୍କ ଠାରୁ ଅଧିକ ଭଡ଼ା ନିଆଯାଇଥିଲା। ଜଣେ ଯାତ୍ରୀ ରାଜ୍ୟ ସରକାରଙ୍କ ଦିଆଯାଇଥିବା ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ କରିଥିଲେ। ଏନେଇ ଯାଜପୁର ପରିବହନ ବିଭାଗକୁ ଅବଗତ କରାଯାଇଥିଲା। ପରିବହନ ବିଭାଗ ଅଧିକାରୀମାନେ ପାଣିକୋଇଲି ଠାରେ ଉକ୍ତ ବସ୍କୁ ଧରିବା ସହ ଅଭିଯୁକ୍ତ ଦୁଇ କଣ୍ତକ୍ଟରଙ୍କୁ ପାଣିକୋଇଲି ଥାନା ଜିମା ଦେଇଥିଲେ। ଏନେଇ ୧୩୪/୨୩ ରେ ମାମଲା ରୁଜୁ କରାଯିବା ସହ ଦଫା ୩୮୪, ୩୪ରେ ଦୁଇ ଅଭିଯୁକ୍ତ କଣ୍ଡକ୍ଟରଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଚିନ୍ମୟୀ ବେହେରା ସୂଚନା ଦେଇଛନ୍ତି।
Follow Us