କାଳିଆପାଣି: ଗମନାଗମନ କ୍ଷେତ୍ରରେ ଖଣିଅଞ୍ଚଳର ଜୀବନରେଖା କୁହାଯାଉଥିବା ଟମକା-ମଙ୍ଗଳପୁର ସଡ଼କରେ ଆଜି ଭୋର୍ ୪ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାସ୍ତାଜାମ୍ ପରିସ୍ଥିତି ହୋଇଥିଲା। ସକାଳ ୬ ରୁ ଟାଟାଷ୍ଟିଲ୍ ମାଇନିଂର ସୁକିନ୍ଦା ଓ ସାରୁଆବିଲ କ୍ରୋମାଇଟ୍ ଖଣି, ଓଡ଼ିଶା ଖଣି ନିଗମ(ଓଏମ୍ସି)ର ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣି, ଇମ୍ଫା ସୁକିନ୍ଦା ଓ ମହାଗିରି କ୍ରୋମାଇଟ୍ ଖଣି, ବେଦାନ୍ତ-ଫେକର ଓସ୍ତପାଳ କ୍ରୋମାଇଟ୍ ଖଣିରୁ କ୍ରୋମ୍ ପରିବହନ ପାଇଁ ସଂପୃକ୍ତ ଖଣି କର୍ତ୍ତୃପକ୍ଷଙ୍କ ପାର୍କିଂୟାର୍ଡରେ ଟ୍ରକ୍ ପ୍ରବେଶ ପାଇଁ ଆହ୍ବାନ ରହିଥିଲେ ମଧ୍ୟ ଏହାର ୩ ଘଣ୍ଟା ପୂର୍ବରୁ ଉପରୋକ୍ତ ଖଣି ପାର୍ଶ୍ବସ୍ଥ ସମସ୍ତ ସଡ଼କକୁ ଟ୍ରକ୍ ଡ୍ରାଇଭରମାନେ ନିଜ ଅକ୍ତିଆରକୁ ନେଇ ଯାଇଥିଲେ। ଭୀମଟାଙ୍ଗର ଗାଁ ପାଖରୁ କମର୍ଦ୍ଦା ୧୩ କିଲୋମିଟର ପର୍ଯ୍ୟନ୍ତ ସଡ଼କ ଉପରେ ୩ ରୁ ୪ ଧାଡ଼ିରେ ଟ୍ରକ୍ ସବୁ ଆଗକୁ ବଢ଼ିବା ପ୍ରତିଯୋଗିତାରେ ଥିଲେ। ଫଳସ୍ବରୂପ କାଳିଆପାଣି ଓଏମ୍ସି ଟାଉନସିପ୍ ବସ୍ଷ୍ଟାଣ୍ଡରୁ ବିଭିନ୍ନ ଜିଲ୍ଲାର ଗନ୍ତବ୍ୟ ସ୍ଥଳ ଯିବାକୁ ଥିବା ୫ଟି ଯାତ୍ରୀବାହୀ ବସ୍, ଟାଟାଷ୍ଟିଲ ମେନଗେଟ୍ ଓ କାଠପାଳ ବଜାରରୁ ବାହାରିଥିବା ଆଉ ୪ଟି ଯାତ୍ରୀବାହୀ ବସ୍ ଏବଂ କମର୍ଦ୍ଦା ଓ କୋଇପଶିରୁ ବାହାରିଥିବା ୨ଟି ବସ୍ ଅଧାବାଟରେ ଫସି ରହିଥିଲେ। କାଳିଆପାଣି ଓଏମ୍ସି କଲୋନିରୁ ସୁକ୍ରଙ୍ଗି କ୍ରୋମାଇଟ୍ ଖଣି ଓ ସିଓବି ପ୍ଲାଣ୍ଟକୁ ବାହାରିଥିବା ୨ଟି ଷ୍ଟାଫ୍ବସ୍ ଅଧାବାଟରେ ଅଟକି ଯାଇଥିଲା।
/sambad/media/post_attachments/wp-content/uploads/2023/06/24-6.jpg)
କର୍ମଚାରୀମାନେ ଅପେକ୍ଷା କରି ୧୨ଟା ସମୟରେ ଚାଲିଚାଲି କଲୋନିକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଖବରକାଗଜ ଆଣୁଥିବା ଏକାଧିକ ଗାଡ଼ି ଟାଟା ମେନଗେଟ୍ରେ ପ୍ୟାକେଟ୍ ରଖି ସେଇଠୁ ଫେରି ପଳାଇଥିଲେ। ବସ୍ ଚଢ଼ିଥିବା ଶହଶହ ଯାତ୍ରୀ ଅଧାବାଟରୁ ଘରକୁ ଫେରୁଥିବା ଦେଖା ଯାଇଥିଲା। ସକାଳୁ ସକାଳୁ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଥିଲା। ଏବେ ଯୋଡ଼ା, ବଡ଼ବିଲ୍ ଖଣିଅଞ୍ଚଳରେ ଟ୍ରକ୍ ପରିବହନ ଆଶାତୀତ ଭାବେ କମି ଯାଇଥିବା ପରିପ୍ରେକ୍ଷୀରେ ରାଜ୍ୟସାରା ଟ୍ରକ୍ ଏଠାରେ ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି। ଆବଶ୍ୟକ ସଂଖ୍ୟାର ୨୦ ଗୁଣା ଟ୍ରକ୍ ଧାଡ଼ିରେ ରହିବାକୁ ପ୍ରତିଯୋଗିତା କରୁଛନ୍ତି। ଏଥିପାଇଁ ସଡ଼କ ପାର୍ଶ୍ବସ୍ଥ ବିଭିନ୍ନ ସ୍ଥାନରେ ମାଳମାଳ ବେଆଇନ ଟ୍ରକ୍ ପାର୍କିଂୟାର୍ଡ ଗଢ଼ି ଉଠିଛି। କ୍ରମାନ୍ବୟରେ ଟ୍ରକ୍ ପୂରାଇବା ପାଇଁ ସୁକିନ୍ଦା ବ୍ଲକ୍ର ସ୍ଥାନୀୟ ଟ୍ରକ୍ ମାଲିକ ଓ ଡ୍ରାଇଭର ଯେ କୌଣସି ପନ୍ଥା ଅବଲମ୍ବନ କରିବାକୁ ପଛାଉନାହାନ୍ତି। ପୁଲିସ ପହରା ସତ୍ତ୍ବେ ସଡ଼କରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୁଲିସ ପ୍ରତି ସାଧାରଣରେ ଆସ୍ଥା ତୁଟି ଯାଇଥିବା ସମୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି। ଏସଂପର୍କରେ ଏସ୍ପି ବିନିତ ଅଗ୍ରୱାଲଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ପଦକ୍ଷେପ ନେବେ ବୋଲି କହିଥିଲେ।
Follow Us