ପାଣି ପାଇଁ ଡହଳ ବିକଳ ତଣ୍ଡାପାଲୀବାସୀ, ଚାଲୁଛନ୍ତି ମାଇଲ ମାଇଲ ବାଟ

Advertisment
ପାଣି ପାଇଁ ଡହଳ ବିକଳ ତଣ୍ଡାପାଲୀବାସୀ, ଚାଲୁଛନ୍ତି ମାଇଲ ମାଇଲ ବାଟ

Sambad

ମାଲକାନଗିରି: ଏବେ ଠାରୁ ପାଣି ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଲୋକେ ପାଣି ପାଇଁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି। ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲା ତଣ୍ଡାପାଲୀ ପଞ୍ଚାୟତର ୧୨ ନମ୍ବର ୱାର୍ଡ଼ କଲୋନି ସାହିରେ ଦେଖିବାକୁ ମିଳିଛି। ଏହି ସାହିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଘର ରହିଥିବା ବେଳେ ଏମାନଙ୍କ ପାଇଁ ଗୋଟିଏ ବି ନଳକୂପ ନାହିଁ। ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ହିଁ ଏଠାରେ ପାଣିର ଘୋର ସମସ୍ୟା ଦେଖା ଦେଲାଣି। ଗ୍ରୀଷ୍ମ ଋତୁରେ ଏମାନଙ୍କର ଅବସ୍ଥା କଣ ହେବ ସହଜରେ ଅନୁମେୟ। ପାଣି ପାଇଁ କଲୋନି ସାହିର ମହିଳା ମାନେ ଏକତ୍ର ହୋଇ ମାଇଲ ବାଟ ଚାଲି ଚୁଆ ପାଣି ସଂଗ୍ରହ କରି ଆଣୁଥିବା କହିଛନ୍ତି।

ତେବେ ସକାଳୁ ଉଠି ପାଣି ସଂଗ୍ରହ ନକଲେ ପରେ ଏହି ପାଣି ଗୋଳିଆ ହେଉଥିବା ସେମାନେ କହନ୍ତି। ଏହି ପାଣିକୁ ପିଇବା ସହ ନିଜର ନିତ୍ୟ ବ୍ୟବହାର୍ଯ୍ୟରେ ମଧ୍ୟ ଲଗାଉଛନ୍ତି। ସେହିପରି ନିଜର ଗୃହପାଳିତ ପଶୁକୁ ମଧ୍ୟ ଗାଧୋଇବା ସହ ଏହି ପାଣି ପିଇବାକୁ ଦେଉଛନ୍ତି। ଏହି ପାଣି ପିଇବା ଦ୍ବାରା ବହୁ ସମୟରେ ଲୋକେ ରୋଗାକ୍ରାନ୍ତ ହେଉଥିବା ମଧ୍ୟ କହିଥିଲେ।ମାଲକାନଗିରି ଜିଲ୍ଲାରେ ପାଣି ଆଇରନ ଯୁକ୍ତ ହୋଇଥିବାରୁ ଲୋକଙ୍କୁ ବିଷୁଦ୍ଧ ପାଣି ନମିଳିଲେ ସମସ୍ତେ କିଡନି ରୋଗରେ ଆକ୍ରାନ୍ତ ହେବା ସାର ହେବ ବୋଲି ଲୋକେ କହିଛନ୍ତି। ତେବେ ସକାଳୁ ଉଠି ପାଣି ଯିବା ସମୟରେ ଜଙ୍ଗଲୀ ଜନ୍ତୁଙ୍କ ସାମ୍ନା ହେବାର ଆଶଂକା ମଧ୍ୟ ରହିଥାଏ। ତେବେ ଜୀବନକୁ ବାଜି ଲଗାଇ ପାଣି ସଂଗ୍ରହ କରୁଥିବା ଗ୍ରାମବାସୀ କହିଛନ୍ତି। ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକେ କହିଛନ୍ତି।

publive-image Sambad

ମାଲକାନଗିରି ଜିଲ୍ଲା ସଦରମହକୁମା ଠାରୁ ମାତ୍ର ୧୪ କିଲୋମିଟର ଦୂରରେ ରହିଥିବା ଏହି ଗ୍ରାମର ଅବସ୍ଥା ଏଭଳି ରହିଥିବା ବେଳେ ଦୁର୍ଗମ ଗ୍ରାମ ଗୁଡିକର ଅବସ୍ଥା କିପରି ଥିବ ତାହା ସହଜରେ ଜାଣି ହେଉଥିବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଲୋକେ ପାଣିର ସୁବିଧା କରାନଗଲେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ସରକାର ପଞ୍ଚାୟତ ନିର୍ବାଚନକୁ ଦେଖି ଗିରବ ଠାରୁ ଆରମ୍ଭ କରି ସରକାରୀ ଚାକିରିଆମାନଙ୍କ ପାଇଁ କୁବେର ଗୃହ ଖୋଲା କରିଦେଇଥିବା ବେଳେ ମାଲକାନଗିରି ଜିଲ୍ଲା ଭଲି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବାସ କରୁଥିବା ଲୋକଙ୍କୁ ଅଣଦେଖା କରାଯାଉଥିବା ନେଇ ଅସ‌ନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ଗ୍ରାମରେ ନଳକୂପଟିଏ ନିର୍ମାଣ କରିବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe