ଚେତିଲା ପ୍ରଶାସନ: ମରାମତି‌ ‌ହେବ ଟାଙ୍କି, ଅନୁଧ୍ୟାନ କଲେ ଅଧିକାରୀ

Advertisment
ଚେତିଲା ପ୍ରଶାସନ: ମରାମତି‌ ‌ହେବ ଟାଙ୍କି, ଅନୁଧ୍ୟାନ କଲେ ଅଧିକାରୀ

Sambad

ଡେରାବିଶ: ସରକାର ପ୍ରତି ପରିବାର ପାଖରେ ପିଇବା ପାଣି ପହଂଚାଇବା ପାଇଁ ଥାକଥାକ ଯୋଜନା କରୁଥିବା ବେଳେ ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତରେ ଏହାର ବ୍ୟତିକ୍ରମ‌ ଦେଖିବାକୁ ମିଳିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମିତ ଓଭରହେଡ ପାଣି ଟାଙ୍କି ୮ବର୍ଷ ହେଲା ଅଚଳ ହୋଇପଡ଼ିଛି। ଏ ସମ୍ପର୍କରେ ଗତ ୯ ତାରିଖରେ ‘ସମ୍ବାଦ’ରେ ‘ଅଚଳ ଟାଙ୍କିରେ ରଙ୍ଗ ଲେପା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଚେତିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାନୁଯାୟୀ,ଏସଡିଓ ବସନ୍ତ କୁମାର ସେଠୀ ଓ ଯନ୍ତ୍ରୀ ବିଭୂଦତ୍ତ ଦାସ ଓ ଦେବାଶିଷ ଧଳ ଅଚଳ ପାଣିଟାଙ୍କି ନୀରିକ୍ଷଣ କରିଛନ୍ତି। ଏହାର ମରାମତି କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିଛନ୍ତି। ୨ଦିନ ମଧ୍ୟରେ ପାଣିଟାଙ୍କିର ମରାମତି ଆରମ୍ଭ ହେବ। ପ୍ରଥମେ ଟାଙ୍କି ଭିତରପଟ ସିଡି ଓ ପରେ ବେସ୍‌ର କଂକ୍ରିଟ ଓ ପ୍ଲାଷ୍ଟର କରାଯିବ। ପରେ ନୂତନ ପାଇପ୍‌ଲାଇନ କାମ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଗୁଆଲସିଂ ପଂଚାୟତ ଅଧୀନ ଠାକୁପାଟଣା ଓ ଛାଂଚୁଣିଆ ଗ୍ରାମରେ ଥିବା ୬ଟି ୱାର୍ଡର ପ୍ରାୟ ୩ହଜାରରୁ ଅଧିକ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟ ନେଇ ୨୦୦୮ରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିପରି ଗ୍ରାମ ଶେଷମୁଣ୍ତ ଯାଏ ସମସ୍ତଙ୍କୁ ସୁଚାରୂ ରୁପେ ପାଣି ଯୋଗାଇଦେବା ପାଇଁ ଓଭରହେଡ ପାଣି ଟାଙ୍କି ମଧ୍ୟ ନିର୍ମାଣ କରାଯାଇଥିଲା। ୨୦୧୪ ପର୍ଯ୍ୟନ୍ତ ଏହି ଟାଙ୍କି ଜରିଆରେ ୱାର୍ଡବାସୀଙ୍କୁ ପାଣି ଯୋଗାଣ ଚାଲିଥିଲା।

ତେବେ ବର୍ଷର ଶେଷ ବେଳକୁ ପାଣି ଟାଙ୍କି ଖରାପ ହୋଇଗଲା। ତତକାଳୀନ ସରପଂଚଙ୍କଠାରୁ ସୂଚନା ପାଇ ବିଭାଗ ତରଫରୁ ମିସ୍ତ୍ରୀ ଡକାଯାଇଥିଲା। ହେଲେ ଟାଙ୍କି ଭିତରେ ଥିବା ପାଇପ୍‌ ଫାଟିଯାଇଥିବାରୁ ଆଉ ଯେତେ ପାଣି ପୂରାଗଲେ ମଧ୍ୟ ଫଟା ପାଇପ୍‌ ବାଟେ ସବୁ ପାଣି ବହାରକୁ ବାହାରି ପଡ଼ିଲା। ବାହାର ଅଂଚଳରୁ ମିସ୍ତ୍ରୀ ଆସି ଏହାକୁ ସଜାଡିବେ ବୋଲି ବିଭାଗ କହିଥିଲା। ସେବେଠାରୁ ଆଉ କେହି ଦୃଷ୍ଟି ଦେଲେନାହିଁ। ଟାଙ୍କି ସେମିତି ଅଚଳ ପଡ଼ିଥିଲା ବେଳେ ବିଭାଗ ପକ୍ଷରୁ ଏହାର ମରାମତି କରାନ ଯାଇ ରଙ୍ଗ ଲେପା ଚାଲିଥିଲା। ରଙ୍ଗ ଦେବା ଲାଗି ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି। ଅନ୍ୟପଟେ ସେବେଠାରୁ ପ୍ରକଳ୍ପରେ ଲଗାଯାଇଥିବା ମଟର ଯୋଗେ ସିଧାସଳଖ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିଥିଲେ ସୁଦ୍ଧା ଏହି ପାଣି ଗ୍ରାମର ଶେଷ ଭାଗରେ ପହଂଚି ପାରୁନାହିଁ। ଶେଷ ମୁଣ୍ତରେ ରହୁଥିବା ଲୋକମାନେ ଆଠ ବର୍ଷ ହେଲା ପିଇବା ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି। ସରପଞ୍ଚ ମଧୁସ୍ମିତା ଦାସ ବିଭିନ୍ନ ସମୟରେ ସମସ୍ୟା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ସହ ବିଗତ ସମିତି ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ ହେଁ କିଛି ସୁଫଳ ମିଳି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe