ଝାରସୁଗୁଡ଼ା: ଜାତୀୟ ଫୁଟବଲର୍‌ ତନୁଜା ବାଗେଙ୍କୁ ମିଳିଲା ନିଯୁକ୍ତି 

ଝାରସୁଗୁଡ଼ା: ଜାତୀୟ ଫୁଟବଲର୍‌ ତନୁଜା ବାଗେଙ୍କୁ ମିଳିଲା ନିଯୁକ୍ତି 

ଝାରସୁଗୁଡ଼ା: ତନୁଜା ବାଗେ ତିନିଥର ଜାତୀୟ ମହିଳା ଫୁଟବଲ ଖେଳରେ ପ୍ରତିନିଧିତ୍ବ କରିଥିଲେ। ଜାତୀୟ ରଗ୍‌ବିରେ ମଧ୍ୟ ଅଂଶଗ୍ରହଣ କରିଥିବା ତନୁଜା ବାଗ‌େଙ୍କୁ ବିଳମ୍ବରେ ହେଲେ ମଧ୍ୟ ଆଜି ଏକ ଛୋଟ ନିଯୁକ୍ତି ମିଳିଛି। ଗତ ଅଗଷ୍ଟ ୨୯ ତାରିଖ ଦିନ ଜାତୀୟ କ୍ରିଡ଼ା ଦିବସ ଅବସରରେ ‘ସମ୍ବାଦ’ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିବା ‘ଜାତୀୟ ମହିଳା ଫୁଟବଲର୍‌ ତନୁଜା ବାଗେ ଆଜି ବି ଛେଳି ଚରାଉଛନ୍ତି’ ଶୀର୍ଷକ ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ଜଣେ ଜାତୀୟ ଖେଳାଳୀଙ୍କ ଏଭଳି ଦୁର୍ଦ୍ଦିନ ଓ ଦୁଃଖଦପୂର୍ଣ୍ଣ ଜୀବନ ଯାପନ ଘଟଣାର ନିଛକ କାହାଣୀକୁ ପଢ଼ିବା ପରେ ବିଭିନ୍ନ ମହଲ‌ରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ବିଶିଷ୍ଟ ଚଳଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ତନୁଜାଙ୍କୁ ସହଯୋଗର ହାତ ବଢ଼ାଇ ଅନେକ ଥର ଆଲୋଚନା କରିଥିଲେ। ତେବେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଉଦ୍ୟମ ପରେ ଆଜି ବେଦାନ୍ତର ଏକ ସହଯୋଗୀ କମ୍ପାନି ଜେ ଏମ୍ ଡି କମ୍ପାନିରେ ସ୍ପୋର୍ଟସ କୋଅର୍ଡିନେଟର ଭାବରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସାମଲଙ୍କ ଉପସ୍ଥିତିରେ ଶ୍ରୀମତୀ ବାଗେଙ୍କୁ ବେଦାନ୍ତ ଲିମିଟେଡ଼ର ସିଇଓ ଛବିନାଥ ସିଂ  ଏହି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଆସନ୍ତା ଅକ୍ଟୋବର ୧ ତାରିଖ ଠାରୁ  ଶ୍ରୀମତୀ ବାଗେ ଉପରୋକ୍ତ ପଦରେ ମାସିକ ୨୦ ହଜାର ଟଙ୍କାରେ ଚାକିରି କରିବେ ବୋଲି ଜେ ଏମ୍ ଡି ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ କୁହାଯାଇଛି। ଏଥିରେ  ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ,ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଲ କୁମାର ମିଶ୍ରଙ୍କ ସମେତ ବେଦାନ୍ତର ଅନ୍ୟାନ୍ୟ  ଅଧିକାରୀ ଚନ୍ଦ୍ରଶେଖର ସାହୁ, ସୁନ୍ଦର ରାଜ, ପ୍ରଣୟ ଶତପଥୀ ଓ ସଂଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।​

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe