ଆଜିଠୁ ମା’ତାରାତାରିଣୀଙ୍କ ଚୈତ୍ର ପର୍ବ: ବୟସ୍କ, ଗର୍ଭବତୀ ଓ ଶିଶୁଙ୍କୁ ମନା

Advertisment

ସେବାୟତଙ୍କ ଆଣ୍ଟି‌ଜେନ୍‌ ଟେଷ୍ଟ ହେଲା, ଚଳିତ ବର୍ଷ ମାଆଙ୍କ ୫ ପାଳି ଯାତ୍ରା

ସେବାୟତଙ୍କ ଆଣ୍ଟି‌ଜେନ୍‌ ଟେଷ୍ଟ ହେଲା, ଚଳିତ ବର୍ଷ ମାଆଙ୍କ ୫ ପାଳି ଯାତ୍ରା

ଆଜିଠୁ ମା’ତାରାତାରିଣୀଙ୍କ ଚୈତ୍ର ପର୍ବ: ବୟସ୍କ, ଗର୍ଭବତୀ ଓ ଶିଶୁଙ୍କୁ ମନା

ବ୍ରହ୍ମପୁର: ଆସନ୍ତାକାଲି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ସମ୍ପୂର୍ଣ୍ଣ କୋଭିଡ଼୍‌ କଟକଣା ଭିତରେ ମା ଙ୍କ ଏହି ଯାତ୍ରା ହେବ। ବୟସ୍କ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ପ୍ରତି ସୋମବାର ଦିନ ତାରାତାରିଣୀ ମନ୍ଦିରର ସମସ୍ତ ସେବାୟତଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ। ଆଜି ୪୯ଜଣ ସେବାୟତଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି। ସବୁ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ଗତବର୍ଷ କରୋନାର ପ୍ରକୋପ ଲାଗି ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇ ପାଳି ପରେ ଆଉ ହୋଇପାରି ନ ଥିଲା। ଭକ୍ତଙ୍କ ବିନା କେବଳ ମାଆଁଙ୍କ ନୀତିକାନ୍ତି ପାଳିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ କୋଭିଡ଼ର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହୋଇ ଯାଇଥିବାବେଳେ ମାଆଙ୍କ ଯାତ୍ରା କିଭଳି ସୁରୁଖୁରରେ ସମ୍ପନ୍ନ ହେବ ତାହାକୁ ନେଇ ପ୍ରଶାସନର ଚିନ୍ତା ବଢିଛି ।

ଏ ବର୍ଷ ଚୈତ୍ର ମାସରେ ୫ଟି ମଙ୍ଗଳବାର ପଡ଼ୁଛି। ମାର୍ଚ୍ଚ ୩୦, ଏପ୍ରିଲ ୬, ୧୩, ୨୦ ଓ ୨୭ତାରିଖରେ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ହେବ। ମାଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ କୋଭିଡ଼୍‌ କଟକଣା ଭିତରେ ପାଳନ ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। ତାରାତାରିଣୀ ଯିବାକୁ ଥିବା ୪ ପ୍ରବେଶପଥ ତାରାତାରିଣୀ ଛକ, କେଶପୁର ଛକ, ବଡ଼ମାଧପୁର ରାସ୍ତା ଓ ରାୟପୁରରେ ଯାଞ୍ଚକୁ କଡ଼ାକଡ଼ି କରାଯିବ। କୌଣସି ଖାଦ୍ୟ ପଦାର୍ଥ ତାରାତାରିଣୀଙ୍କ ନିକଟକୁ ଦିଆଯିବ ନାହିଁ। ତାରାତାରିଣୀ ହିଲ୍ ଟପ୍‌ କିମ୍ବା ତଳେ ‌କୌଣସି ‌ଭୋଜି ହୋଇପାରିବ ନାହିଁ। କୌଣସି ଶ୍ରଦ୍ଧାଳୁ ଶଗଡ଼ ଗାଡ଼ିରେ ଆସିପାରିବେ ନାହିଁ। ଡ଼ାଲା ଅଟୋ, ଟ୍ରାକ୍ଟର, ଟ୍ରକ ଆଦିରେ ଯାତ୍ରୀ ପରିବହନ ହୋଇପାରିବ ନାହିଁ। ପୁରୁଷୋତ୍ତମପୁର ସ୍ଥିତ କାଳୀମନ୍ଦିର ଛକ ନିକଟରେ ଯାଞ୍ଚକୁ କଡ଼ାକଡ଼ି କରାଯିବ। ଯାତ୍ରୀ ପରିବହନ କରୁଥିବା ବସ୍‌ ଗୁଡ଼ିକ ମଧ୍ୟ ସିଟ ଅନୁଯାୟୀ ଯାତ୍ରୀ ଆଣିବେ। ଓଭର ଲୋଡ଼ି କରି ଯାତ୍ରୀ ଆଣିପାରିବେ ନାହିଁ। ଆରଟିଓ ତାହା ଯାଞ୍ଚ କରିବେ।

publive-image

ତାରାତାରିଣୀ ମନ୍ଦିର ହିଲ୍‌ ଟପ୍‌ ଏବଂ ତଳ ସିଂହଦ୍ବାରା ନିକଟରେ ସମନ୍ବିତ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା ହୋଇଛି। ଉକ୍ତ କଣ୍ଟ୍ରୋଲ ରୁମ୍‌ରେ ସିସିଟିଭି ସେର୍ଭଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି ଓ ପୁଲିସ ଆଦି ସମସ୍ତ ବିଭାଗୀୟ ଅଧିକାରୀ ରହି‌ବେ। କୌଣସି ବ୍ୟକ୍ତି କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନ୍ନ ପ୍ରସାଦ ବଣ୍ଟନ ଓ ବିକ୍ରି କରିପାରିବେ ନାହିଁ। ମାଆଙ୍କ ମନ୍ଦିର(ହିଲ୍‌ ଟପ୍‌)କୁ ଯିବା ଲାଗି ପ୍ରଶାସନ ପକ୍ଷରୁ ୧୦ଟି ବସ୍‌ ବ୍ୟବସ୍ଥା ହୋଇଛି। ପ୍ରତି ଯାତ୍ରୀ ପିଛା ଟିକେଟ୍‌ ୬୦ଟଙ୍କା ଧାର୍ଯ୍ୟ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏସ୍‌ପି ବ୍ରିଜେଶ କୁମାର ରାଏ ଓ ଛତ୍ରପୁର ତହସିଲଦାର ପ୍ରିୟରଞ୍ଜନ ପୃଷ୍ଟି ଆଜି ତାରାତାରିଣୀ ଯାଇ ତଦାରଖ କରିଛନ୍ତି।

ଜଗିବେ ୧୦ ପ୍ଲାଟୁନ୍‌ ଫୋର୍ସ, ୯୪ ଅଧିକାରୀ
ମୁତୟନ ହୋଇଛନ୍ତି ୧୦ ମାଜିଷ୍ଟ୍ରେଟ୍‌, ୬ ସୁପରଭାଇଜିଙ୍ଗ ଅଫିସର
ତାରତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଲାଗି ପ୍ରଶାସନ ସମସ୍ତ ପଦକ୍ଷେପ ନେଇଛି। ବ୍ୟାପକ ପୁଲିସ ବନ୍ଦୋବସ୍ତ ସାଙ୍ଗକୁ ବରିଷ୍ଠ ଅଧିକାରୀମାନଙ୍କୁ ନି‌ୟୋଜିତ କରାଯାଇଛି। ତାରତାରିଣୀଙ୍କ ଏହି ଯାତ୍ରାରେ ୧୦ଜଣ ନିର୍ବାହୀ ମାଜିଷ୍ଟ୍ରେଟ୍‌ ଓ ୬ଜଣ ସୁପରଭାଇଜର ଅଫିସରଙ୍କୁ ମୁତୟନ କରାଯାଇଛି। ଏଥିସହ ଗଞ୍ଜାମ ପୁଲିସ ପକ୍ଷରୁ ଗହଳି ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୦ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି। ଏଥିସହ ୮ ପ୍ଲାଟୁନ (୧୬୨ଜଣ) କନଷ୍ଟେବଳ ଓ ୯ ପ୍ଲାଟୁନ୍‌(୧୮୦) ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି। ୩ଜଣ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ୧୨ଜଣ ଇନ୍ସପେକ୍ଟର, ୧୪ଜଣ ସବ୍‌ ଇନ୍ସପେକ୍ଟର, ୬୨ଜଣ ଏଏସ୍‌ଆଇ ଓ ୧୦ଜଣ ହାବିଲଦାରଙ୍କୁ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe