ଗରିବ ପାଇଁ ସାରଥୀ ଶିକ୍ଷକ ଦମ୍ପତି: ୧୦୦୦ ଜଣଙ୍କୁ ମା‌ଗଣାରେ ଦେବା ପାଇଁ ତିଆରି କରୁଛନ୍ତି ମାସ୍କ 

Advertisment
ଗରିବ ପାଇଁ ସାରଥୀ ଶିକ୍ଷକ ଦମ୍ପତି: ୧୦୦୦ ଜଣଙ୍କୁ ମା‌ଗଣାରେ ଦେବା ପାଇଁ ତିଆରି କରୁଛନ୍ତି ମାସ୍କ 

ଫୁଲବାଣୀ: କରୋନା ସଂକ୍ରମିତରୁ ମୁକ୍ତି ପାଇଁ ସାମଜିକ ଦୂରତା ରକ୍ଷା କରିବା ଏବଂ ବାହାରକୁ ଗଲେ ମୁହଁରେ ମାସ୍କ ପିନ୍ଧିବା ଜରୁରୀ। ଏବେ ରାଜ୍ୟ ସରକାର ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି। ଏମିତି କି ମାସ୍କ ନ ପିନ୍ଧିଲେ ଔଷଧଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହିଁ। ସରକାରଙ୍କ ନିର୍ଦ୍ଦେଶ ପରେ ମାସ୍କର ଚାହିଦା ବଢି ଯାଇଛି। ବଜାରରେ ଚଢା ଦରରେ ମାସ୍କ ବିକ୍ରି ଆରମ୍ଭ ହୋଇ ଯାଇଛି। ଏଭଳି ସ୍ଥଳେ କରୋନା କଟକଣା ପାଇଁ ରୋଜଗାର ହରାଇ ବସିଥିବା ଗରିବ ଲୋକଟିଏ ପାଇଁ ମାସ୍କ କିଣିବା କଷ୍ଟକର ବ୍ୟାପର। ଏହି ସମୟରେ ଗରିବ ଲୋକଙ୍କୁ ମାଗଣାରେ ଯୋଗାଇ ଦେବା ଲକ୍ଷ୍ୟରେ କନ୍ଧମାଳର ଶିକ୍ଷକ ଦମ୍ପତ୍ତି ନିଜେ ତିଆରି କରୁଛନ୍ତି ମାସ୍କ।

ଖଜୁରୀପଡା ବ୍ଳକ ନୂଆଗାଁର ମଧୁସୂଦନ ବେହେରା ରଣପାଟୁଳି ସେବାଶ୍ରମ ସ୍କୁଲର ଶିକ୍ଷକ ଅଛନ୍ତି। ସେହିଭଳି ତାଙ୍କ ପତ୍ନୀ ରୀନା ଦିଗାଲ ବି ପୁଡୁନିସୁଗା ସେବାଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି। ସଂପ୍ରତି କରୋନା ପାଇଁ ସ୍କୁଲ ବନ୍ଦ ରହିଛି। ଦୁହେଁ ପରିବାର ସହ ଘରେ ଲକ୍ ଡାଉନରେ ସମୟ କାଟୁଛନ୍ତି। ହେଲେ ଗରିବ ଲୋକଙ୍କ ପାଇଁ ମାସ୍କର ଆବଶ୍ୟକତା ଅନୁଭବ କରି ଦୁହେଁ କିଛି କରିବାକୁ ଚିନ୍ତା କରିଥିଲେ। ଦୁହେଁ ସିଲେଇ ମେସିନ ଶିଖିଥିବାରୁ ବଜାରରୁ କପଡା କିଣି ମାସ୍କ ତିଆରି କରି ଗରୀବ ଲୋକଙ୍କୁ ମାଗଣାରେ ଦେବାକୁ ନିଷ୍ପତ୍ତି ନେଇଥିଲେ। ତାପରେ କପଡା କିଣି ଦୁହେଁ ମାସ୍କ ତିଆରିରେ ଲାଗି ପଡିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୦୦ ମାସ୍କ ତିଆରି କରି ସାରିଲେଣି।

୧୦୦୦ ମାସ୍କ ତିଆରି ପରେ ଗାଁ ଓ ପଡୋଶୀ ଗାଁର ଗରୀବ ଲୋକଙ୍କୁ ମାଗଣାରେ ବଣ୍ଟା ଯିବ ବୋଲି କହନ୍ତି ମଧୁସୂଦନ ଓ ରୀନା। ଟିଭି ଓ ମୋବାଇଲ ଦେଖି କାହିଁକି ଟାଇମ ପାସ କରିବା। ଏଭଳି ସ୍ଥଳେ ଗରିବ ଲୋକଙ୍କ ପାଇଁ କିଛି ସାହାଯ୍ୟ କଲେ ଉପକାର ହେବ ବୋଲି ଭାବି ଏଭଳି ନିଷ୍ପତ୍ତି ନେଇଛୁ ବୋଲି ଦୁହେଁ କହିଛନ୍ତି।  ଦୋକାନ ଓ ବଜାର ବନ୍ଦ ରହିଛି। ସେଥି ନିମନ୍ତେ କପଡା ଆସି ପାରୁ ନାହିଁ। ପ୍ରଶାସନ ଏ ଦିଗରେ ସହଯୋଗ କଲେ ଆହୁରି ଅଧିକରୁ ଅଧିକ ମାସ୍କ ତିଆରି କରି ଗରୀବ ଲୋକଙ୍କ ପାଖରେ ପହଞ୍ଚାଇ ପାରିବୁ ବୋଲି ସେମାନେ କହିଛନ୍ତି। କରୋନା ପାଇଁ ସରକାର ସହାୟତା ପ୍ରଦାନ କରୁଛନ୍ତି। ଏହି ସମୟରେ କିଛି ମୁଷ୍ଟିମେୟ ଲୋକ ବି ସହାୟତା ହାତେଇବାକୁ ଚାହିଁ ବସିଛନ୍ତି। ହେଲେ ଏଭଳି ସମୟରେ ଗରିବ ଲୋକଙ୍କୁ ନିଜ ଅର୍ଥରେ ମାଗଣାରେ ମାସ୍କ ଯୋଗାଇ ଦେବା ପାଇଁ ଆଗଭର ହୋଇଥିବା ଶିକ୍ଷକ ଦମ୍ପତ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe