ଖୋର୍ଦ୍ଧା ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ସମସ୍ୟା ପ୍ରସଙ୍ଗ: ୨୦ ବର୍ଷ ଧରି ଅଟକି ଥିବା ଜିଆଇଏସ୍ କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ

Advertisment
ଖୋର୍ଦ୍ଧା ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ସମସ୍ୟା ପ୍ରସଙ୍ଗ: ୨୦ ବର୍ଷ ଧରି ଅଟକି ଥିବା ଜିଆଇଏସ୍ କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଳକର ଶିକ୍ଷକଶିକ୍ଷୟିତ୍ରୀଙ୍କ ଦରମା ଠିକଣା ସମୟରେ ମିଳୁନଥିବା, ଜିଆଇଏସ୍ କାର୍ଯ୍ୟ ଅଟକି ରହିଥିବା, ପଦୋନ୍ନତି ପାଇଥିବା ଶିକ୍ଷକଙ୍କ ଦରମା ସଂଶୋଧନ କାର୍ଯ୍ୟ ବିଳମ୍ବ ହେଉଥିବା ଆଦି ଅଭିଯୋଗ କରି ଖୋର୍ଦ୍ଧା ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । ଆଜି ପ୍ରାଥମିକ ଶିକ୍ଷକଙ୍କ ଆଉ ଏକ ସଂଗଠନ, ପ୍ରାଥମିକ ଶିକ୍ଷକ ସଂଘର ଖୋର୍ଦ୍ଧା ଶାଖାର କର୍ମକର୍ତା ବ୍ଲକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାରେ ଆସନ୍ତାକାଲି ଠାରୁ ୨୦ ବର୍ଷ ଧରି ଅଟକି ରହିଥିବା ଜିଆଇଏସ୍ କାର୍ଯ୍ୟ ଆରମ୍ଭ କରିବା ସହ ଅନ୍ୟ ସମସ୍ୟାର ସମାଧାନ ଅବିଳମ୍ବେ ସମାଧାନ ହେବ ବୋଲି ପ୍ରତିଶ୍ରୁତି ମିଳିଥିବା ଜଣାଯାଇଛି ।

ଆଜିର ଆଲୋଚନା ସମ୍ପର୍କରେ ସୂଚନା ଦେଇ ପ୍ରାଥମିକ ଶିକ୍ଷକ ସଂଘ ଖୋର୍ଦ୍ଧା ଶାଖାର ସଭାପତି ଯୁଧିଷ୍ଠିର ସାହୁ ଓ ସମ୍ପାଦକ ଅମୀୟ କୁମାର ପରିଡ଼ା କହିଛନ୍ତି ଯେ ଆଜି ସଂଘର ୮ ଜଣିଆ ପ୍ରତିନିଧି ଦଳ ବ୍ଲକ ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଦେବା ସହ ଶିକ୍ଷକଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ । ଆଲୋଚନାରେ ୮ଟି ପ୍ରମୁଖ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଶିକ୍ଷକମାନଙ୍କ ଦରମା ବିଳମ୍ବ ଘଟଣାରେ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ଯେ ଦରମା ଅନ୍ୟ ବ୍ଲକ ଭଳି ପୂର୍ବ ମାସର ଶେଷ ତାରିଖ ସୁଦ୍ଧା ପ୍ରଦାନ କରାଯିବ, କିନ୍ତୁ ଶିକ୍ଷକଶିକ୍ଷୟିତ୍ରୀମାନେ ୧୨ ତାରିଖ ସୁଦ୍ଧା ନିଜର ବର୍ଦ୍ଧିତ ଦରମା ଫର୍ମ (ଇଂକ୍ରିମେଂଟ୍) ଦାଖଲ କରିବେ ।

ସେବାପୁସ୍ତିକାର ନକଲ କାର୍ଯ୍ୟ, ପରିବାର ଭତ୍ତା (ଫେମିଲି ପେନ୍ସନ), ଠିକଣା ସମୟରେ ଛୁଟି ମଂଜୁର କରିବା, ପଦୋନ୍ନତି ପାଇଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ଦରମା ସଂଶୋଧନ ଆଦି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବ୍ଲକ କର୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଲଳିତ ନାରାୟଣ ସିଂହ, ବରିଷ୍ଠ କିରାଣୀ ଅରୁଣ କୁମାର ରାୟ, କନିଷ୍ଠ କିରାଣୀ ପ୍ରଦୀପ କୁମାର ସାହୁଙ୍କ ସହ ସଂଘର କାର୍ଯ୍ୟକାରୀ ସଭାପତି ବିଜୟଲକ୍ଷ୍ମୀ ପାଣି, ଉପସଭାପତି ଦିବ୍ୟସିଂହ ସୁବୁଦ୍ଧି, ରଶ୍ମି ଦାସ,ସହ-ସମ୍ପାଦକ ଜ୍ୟୋତିମୟୀ ନାୟକ, ରବିନାରାୟଣ ପଣ୍ଡା, ସତ୍ୟବ୍ରତ ଚମ୍ପତ୍ତିରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe