ତାପମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ, ଜମୁଛି ମିଶ୍ରି ପାଣି ଓ ପଇଡ ବେପାର

ତାପମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ, ଜମୁଛି ମିଶ୍ରି ପାଣି ଓ ପଇଡ ବେପାର

ମାଲକାନଗିରି: ପ୍ରବଳ ଖରା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି। ଜିଲ୍ଲାରେ ଗତ ଏକ ସପ୍ତାହ ହେଲା ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ବର୍ଷା ନଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଥିବା ଦେଖିବାକୁ ମିଳିଛି। ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ଗରମ ଲାଗି ରହିବ ବୋଲି କୁହାଯାଇଛି। ଜିଲ୍ଲାର ସମସ୍ତ ନଦୀ ନାଳ ଶୁଖିଯାଇଥିବା ବେଳେ କାଁ ଭାଁ ପାହାଡିଆ ନଦୀରେ ପାଣି ରହିଥିବା ଦେଖିବାକୁ ମିଳିଛି।

ଗତ କିଛି ଦିନ ହେଲା ପ୍ରଚଣ୍ଡ ଖରାରେ ଲୋକେ ଏକ ପ୍ରକାର ସନ୍ତୁଳି ହେଉଛନ୍ତି। ସକାଳ ୯ଟା ବାଜିଲେ ଲୋକେ ଆଉ ଘରୁ ପଦାକୁ ବାହାରୁ ନଥିବା ଦେଖିବାକୁ ମିଳିଛି। କରୋନା ଯୋଗୁଁ ସଟ୍ଡାଉନ ଚାଲିଥିବା ଏବଂ ମାଲାକନଗିରି ସହରରେ ୪ ଜଣ କରୋନା ରୋଗୀ ଚିହ୍ନଟ ପରେ ଲୋକେ ଆଉ ବଜାରରେ ଭିଡ ଜମାଉନଥିବା ଦେଖିବାକୁ ମିଳିଛି। ଅତି ଦରକାର ପଡିଲେ ହିଁ ଲୋକେ ମୁଣ୍ଡରେ ଓଦା କପଡା, ଛତା ସହ ବାହାରକୁ ଯାଉଛନ୍ତିି।

କରୋନା ଯୋଗୁଁ ମୁହଁରେ ମାସ୍କ ପିନ୍ଧିବା ପାଇଁ ପ୍ରଶାସନ ତାଗିଦ କରିଥିବା ବେଳେ ଏହା ଖରାରୁ ମଧ୍ୟ ମୁହଁକୁ ରକ୍ଷା କରୁଥିବା ଜଣାପଡିଛି। ସକାଳ ୧୦ଟା ବାଜିଲେ ଦୋକାନ ବଜାର ଏକ ପ୍ରକାର ବନ୍ଦ ହୋଇଯାଉଥିବା ଦେଖିବାକୁ ମିଳିଛି। ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗରମ ରହୁଥିବାରୁ ଲୋକେ ବାହାରକୁ ନବାହାରିବା ଯୋଗୁଁ ବଜାରରେ ଚଳପ୍ରଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଲୋକେ ଗରମରୁ ରକ୍ଷା ପାଇବା ପାଇଁ ଘରେ ଏସି କିମ୍ବା ଫ୍ୟାନ ଲଗାଇ ଦିନ ତମାମ ବସି ରହୁଥିବା ଦେଖିବାକୁ ମିଳିଛି।

publive-image

ତେବେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଥିବାରୁ ଲୋକେ ଅତିଷ୍ଟ ହୋଇପଡୁଛନ୍ତି। ବିଶେଷକରି ସାଧାରଣ ଜନତା ଗରମରୁ ରକ୍ଷା ପାଇବା ପାଇଁ ଗଛମୂଳର ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି। ଗାଁ ଗହଳିରେ ଲୋକେ ଘରୁ ପଦାକୁ ବାହାରି ଆମ୍ବ ତୋଟା କିମ୍ବା ତେନ୍ତୁଳି ତୋଟାରେ ବସି ରହୁଥିବା ଦେଖିବାକୁ ମିଳିଛି। ଗରମ ସଂପର୍କରେ ଦୁର୍ଗମ ଅଂଚଳର ଲୋକଙ୍କୁ ପଚରାଯିବାରୁ ସେମାନେ ଗରମ ସହ ଖାପଖୁଆଇ ଚଳିବା ଶିଖିଗଲେଣି ବୋଲି କହିଥିଲେ। କିନ୍ତୁ ସହରର ଲୋକେ ଗରମକୁ ସମ୍ଭାଳି ହେଉନଥିବା କହିଥିଲେ। ଆଜି ସକାଳେ ୪୩ ଡିଗ୍ରି ପାରଦ ରହିଥିବା ବେଳେ ପରେ ଏହା ବଢି ୪୫ ଡିଗ୍ରୀ ହୋଇଥିଲା। ଯାହାକୁ ସମ୍ଭାଳିବା କଷ୍ଟକର ହୋଇପଡିଥିଲା।

କରୋନା ଯୋଗୁଁ ଅଂଶୁଘାତ କମିଯାଇଛି। ସମସ୍ତେ ଘରୁ ପଦାକୁ ନବାହାରୁଥିବାରୁ ଅଂଶୁଘାତ ଭଳି ରୋଗର ଶିକାର ହେଉନାହାନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିନ୍ତୁ ଜିଲ୍ଲା ହସପିଟାଲରେ ଏକ ଅଂଶୁଘାତ କକ୍ଷ ପ୍ରସ୍ତୁତ କରି ରଖାଯାଇଛି। ଲୋକମାନଙ୍କ ଚଳପ୍ରଚଳ ନଥିବାରୁ ଚଳିତ ବର୍ଷ ଜଳଛତ୍ରକୁ ପ୍ରଶାସନ ଭୁଲିଯାଇଥିବା ଦେଖିବାକୁ ମିଳିଛି। ତେବେ ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଥଣ୍ଡାପାନୀୟ ସାଂଗକୁ ପଇଡ ଏବଂ ମିଶ୍ରି ପାଣି ପିଉଥିବା ଦେଖିବାକୁ ମିଳିଛି। ଜିଲ୍ଲାର ପ୍ରତ୍ୟେକ ଦୋକାନରେ ମିଶ୍ରି ପାଣିର ବେପାର ଜମୁଥିବା ଦେଖିବାକୁ ମିଳିଛି।ସେହିପରି ପଇଡ ମଧ୍ୟ ଜୋରସୋରରେ ବେପାର ହେଉଛି।ଲୋକେ କାକୁଡି ସାଂଗକୁ ତରଭୁଜ ମଧ୍ୟ ଖାଉଥିବା ଦେଖିବାକୁ ମିଳିଛି। ଧିରେ ଧିରେ ତରଭୁଜ ସମାପ୍ତ ହେଉଥିବାରୁ ଲୋକେ ଅନ୍ୟ ଥଣ୍ଡା ପାନୀୟ ଉପରେ ନିର୍ଭର କରୁଛନ୍ତି। ଲୋକେ ସକାଳୁ ସକାଳୁ ପରିବା କିଣି ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଦିନ ଏଗାରଟା ପରେ ବଜାର ଏକପ୍ରକାର ଶୂନଶାନ ହୋଇଯାଉଛି।ପ୍ରଶାସନ ତରଫରୁ ଘରୁ ପଦାକୁ ବାହାରିଲେ ସାଥିରେ ପାଣି ଧରି କିମ୍ବା ଛତା ଧରି ବାହାରିବା ପାଇଁ ସଚେତନ କରାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe