Sambad
ରାୟଗଡ଼ା: ମାଳଭୂମିକୁ ଛୁଇଁଛି ଶୀତ। ଶୀତର ପହିଲି ସ୍ପର୍ଶରେ ରାୟଗଡ଼ାରେ ପାରଦ ୧୬ ଡିଗ୍ରୀକୁ ଖସିଛି। ମଧ୍ୟରାତ୍ରିରୁ ଭୋର ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ଯୋଗୁ ସକାଳ ୮ଟା ପରେ ହିଁ ଥଣ୍ଡା ସାମାନ୍ୟ କମୁଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଥଣ୍ଡାର ପ୍ରକୋପ ରହିବ ଏହା ପରେ ସାମାନ୍ୟ କମିବ ବୋଲି ପାଣିପାଗ ସୂଚନା ଦେଇଛି। ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ରାୟଗଡ଼ାର ସର୍ବୋଚ୍ଚ ତାପମାତ୍ରା ୩୦ ରୁ ୩୨ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୫ ରୁ ୨୬ ଡିଗ୍ରୀ ମଧ୍ୟରେ ସୀମିତ ରହୁଥିଲା। ନଭେମ୍ବର ପହିଲାରେ ପାଣିପାଗରେ ବ୍ୟାପକ ପରିବର୍ତ୍ତନ ଘଟି ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଗତ ୩ ଦିନ ହେଲା ପାରଦ କମିବା ଯୋଗୁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାରେ ଡିସେମ୍ବର ପର୍ଯ୍ୟନ୍ତ ତାପମାତ୍ରା ୩୦ ଡିଗ୍ରୀ ତଳକୁ ଖସୁନଥିଲା। ମାସକରେ ତାପମାତ୍ରା ୧୨ ଡିଗ୍ରୀ ଖସିବା ସହ ଆଜି ଭୋର ୪ ଟାରେ ତାପମାତ୍ରା ୧୬ ଡିଗ୍ରୀ ଏବଂ ସକାଳ ୬ ଟାରେ ତାପମାତ୍ରା ୧୭ ଡିଗ୍ରୀ ରହିଥିଲା। ବହୁ ବର୍ଷର ବ୍ୟବଧାନ ପରେ ନଭେମ୍ବର ପ୍ରଥମ ସପ୍ତାହରେ ରାୟଗଡ଼ାର ତାପମାତ୍ରା ୧୬ ଡିଗ୍ରୀକୁ ଖସିଛି।
ମାଳଭୂମିକୁ ସଅଳ ଶୀତ ଛୁଇଁବା ପରେ ଗରମରୁ ମୁକ୍ତି ମିଳିଛି। ପହିଲି ଶୀତକୁ ଅନୁଭବ କରିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ମଧ୍ୟ ଦେଖିବାକୁ ମିଳିଛି। ଜିଲ୍ଲାର ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ଅଧିକ ରହିଛି। ଖଣି ତଥା ଜଙ୍ଗଲ ଅଞ୍ଚଳରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। କାଶୀପୁର, କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡ଼ା, ଗୁଡ଼ାରି ଅଞ୍ଚଳରେ ଶୀତର ପ୍ରକୋପ ସହରାଞ୍ଚଳ ଅପେକ୍ଷା ଅଧିକ ରହିଛି। ଗ୍ରାମାଞ୍ଚଳ ଲୋକ ଶୀତରୁ ରକ୍ଷା ପାଇବା ପାଇଁ ସାହି ଛକରେ ନିଆଁ ଜାଳି ବସି ରହୁଛନ୍ତି। ପାହାଡ଼ ଉପରେ ବସବାସ କରୁଥିବା ଆଦିବାସୀ ଓ ଜନଜାତି ସଂପ୍ରଦାୟର ଲୋକ ସନ୍ଧ୍ୟାରୁ ତାଟି କବାଟ ପକାଇ ଘରେ ରହୁଛନ୍ତି।
ଅକ୍ଟୋବର ଶେଷ ସପ୍ତାହ ବେଳକୁ ଶୀତର ପ୍ରକୋପ ଆହୁରି ଅଧିକ ରହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଗତବର୍ଷ ରାୟଗଡ଼ାରେ ଡିସେମ୍ବର ଶେଷ ସପ୍ତାହରେ ଶୀତ ଅନୁଭୂତ ହୋଇଥିଲା। ଡିସେମ୍ବରରେ ପାରଦ ୨୦ ଡିଗ୍ରୀକୁ ଖସିବାସହ ଜାନୁଆରୀରେ ପାରଦ ୧୨ ଡିଗ୍ରୀକୁ ଖସିଥିଲା। ମାର୍ଚ୍ଚ ମାସରେ ତାପମାତ୍ରା ବଢ଼ିବା ଆରମ୍ଭ କରିଥିଲା। ଚଳିତବର୍ଷ ରାୟଗଡ଼ାକୁ ଶୀତ ସଅଳ ଆସିଥିବାରୁ ମାର୍ଚ୍ଚ ପର୍ଯ୍ୟନ୍ତ ପାଗ ଥଣ୍ଡା ରହିବ। ପାଣିପାଗରେ ପରିବର୍ତ୍ତନ ଆସିବା ପରେ ଚଳିତବର୍ଷ ଭଲ ଫସଲ ହେବା ନେଇ ଚାଷୀ ଆଶାବାଦୀ ଅଛନ୍ତି।
ଫୁଲକୋବି, ବନ୍ଧାକୋବି, ବାଇଗଣ, ଭେଣ୍ଡି, କଲରା, ପୋଟଳ ଉତ୍ପାଦନ ବଢ଼ିବା ସହ ସୂର୍ଯ୍ୟମୂଖୀ ଓ ତୈଳ ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି ପାଇବ। ଅନ୍ୟପକ୍ଷରେ ବର୍ଷା ସମ୍ଭାବନା ଆଗକୁ ନଥିବାରୁ ଧାନ ଫସଲ ମଧ୍ୟ ଭଲ ହେବ। ଶୀତ ବଢ଼ିବା ପରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭିଡ଼ ଜମିବା ଆରମ୍ଭ ହୋଇଛି। ରାୟଗଡ଼ା ସହର ନିକଟରେ ଥିବା ଝୁଲାପୋଲ, ବାଇସିଂହ ଘାଟି, ସାଙ୍କେଶ, ନାଗାବଳୀ, ଝଞ୍ଜାବତୀ ନଦୀକୂଳ ସମେତ ଓ ଜେମାଦେଇପେଣ୍ଠ, ଦୁର୍ଗାପାଡ଼ୁ ଜଳପ୍ରପାତରେ ଭିଡ଼ ଦେଖିବାକୁ ମିଳିଛି। ଆଜି ରବିବାର ଥିବାରୁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭୋଜିଭାତର ଆସର ଜମିଥିଲା। ବାଇସିଂହ ଘାଟି ଉପରୁ ସୂର୍ଯ୍ୟାସ୍ତର ମନଲୋଭା ଦୃଶ୍ୟକୁ ଉପଭୋଗ କରିବା ପାଇଁ ରାୟଗଡ଼ା ସହର ସମେତ ଆଖପାଖ ଗ୍ରାମାଞ୍ଚଳରୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ପହିଲି ଶୀତର ସ୍ପର୍ଶରେ ସମଗ୍ର ରାୟଗଡ଼ା ଜିଲ୍ଲା ପୁଲକିତ ହୋଇ ଉଠିଥିବା ବେଳେ ଶସ୍ୟ ଶ୍ୟାମଳା କ୍ଷେତର ମନଲୋଭା ଦୃଶ୍ୟ ପଥଚାରୀକୁ ବିମୋହିତ କରୁଛି।
Follow Us