ଖୋର୍ଦ୍ଧା: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଇଛି ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ଗ୍ରାମାଂଚଳରେ ସମସ୍ତ ମନ୍ଦିର, ଦେବାଳୟ ଓ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲାଯିବାକୁ ଆଜି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ନିଷ୍ପତ୍ତି ଅନୁସାରେ, ସମସ୍ତ ମନ୍ଦିର ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ସାଧାରଣ ଦର୍ଶନ ପାଇଁ ଖୋଲା ରହିବ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିଲେ।
ମିଳିଥିବା ସୂଚନାନୁସାରେ, ଅଗଷ୍ଟ ୯ ତାରିଖରୁ ମନ୍ଦିର, ମସଜିଦ୍, ଗୀର୍ଜା ଆଦି ସକାଳ ୬ରୁ ରାତି ୮ ଯାଏଁ ଖୋଲିବ। ତେବେ ସାଧାରଣ ଦର୍ଶନ ଓ ପ୍ରାର୍ଥନା ଆଦି ପାଇଁ ସକାଳ ୬ରୁ ସଂଧ୍ୟା ୬ ଯାଏଁ ଅନୁମତି ଦିଆଯାଇଛି। ମନ୍ଦିରଗୁଡ଼ିକରେ ପୂଜା, ରୀତିନୀତି କୋଭିଡ୍ ନିୟମାନୁସାରେ ସୀମିତ ପୂଜକ ଓ ସେବାୟତଙ୍କ ଦ୍ୱାରା ଅନୁଷ୍ଠିତ ହେବ। ମନ୍ଦିର ପ୍ରବେଶ ପଥରେ ଥର୍ମାଲ୍ ସ୍କ୍ରିନିଂ କରାଯିବା ସହ ହାତଧୋଇବା ଓ ସାନିଟାଇଜ୍ର ବ୍ୟବସ୍ଥା ସହ ମନ୍ଦିରରେ ଗହଳି ନିୟନ୍ତ୍ରଣ ଉପରେ ପରିଚାଳନା କମିଟି ବ୍ୟବସ୍ଥା କରିବ। ତେବେ ମନ୍ଦିରରେ ସର୍ବସାଧାରଣଙ୍କ ଭୋଗ କରିବା ଓ ପ୍ରସାଦ ସେବନ ଉପରେ କଟକଣା ରହିଛି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ ଦାସପଟ୍ଟନାୟକ, ଉପଜିଲ୍ଲାପାଳ ଆଇ ଗୌରବ ଶିବାଜୀ, ତହସିଲଦାର ପଦ୍ମଚରଣ ସାହୁ, ଉପଖଣ୍ଡ ପୁଲିସ ଅଧିକାରୀ (ବାଣପୁର) ମାନସ ରଂଜନ ବାରିକଙ୍କ ସମେତ ବିଭିନ୍ନ ତହସିଲର ତହସିଲଦାର ଓ ଅନ୍ୟ ବିଭାଗୀ ଅଧିକାରୀ ଯୋଗ ଦେଇଥିଲେ।
Follow Us