ଖୋର୍ଦ୍ଧା: କରୋନା ମହାମାରୀ ଯୋଗୁଁ ଗତ୯ ମାସ ଧରି ବନ୍ଦ ରହିଥିବା ମଠ, ମନ୍ଦିର, ଦେବାଳୟ ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ ସୂଚନା ଦେଇ ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି ଯେ ୨୦ ତାରିଖ ପରେ ମନ୍ଦିର ଖୋଲାଯିବା ନେଇ ବିଧିବଦ୍ଧ ତାରିଖ ଘୋଷଣା କରାଯିବ । ଆଜି ଏନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି ଜିଲ୍ଲାର ବିଭିନ୍ନ ଦେବାଳୟ, ମନ୍ଦିର ପରିଚାଳନା କମିଟି ଓ ଜନସାଧାରଣଙ୍କ ଠାରୁ ୨୦ ତାରିଖ ମଧ୍ୟରେ ମତାମତ ସଂଗ୍ରହ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ୨୦ ତାରିଖ ପରେ କରୋନା କଟକଣା ଓ ସତର୍କତା ମଧ୍ୟରେ ମନ୍ଦିର ଖୋଲାଯିବା ନେଇ ବିଧିବଦ୍ଧ ନିଷ୍ପତ୍ତି ସହ ତାରିଖ ଘୋଷଣା କରାଯିବ ବୋଲି ବୈଠକରେ ସୂଚନା ଦେଇଛନ୍ତି ।
ତେବେ ସେ ବୈଠକରେ ସୂଚନା ଦେଇଛନ୍ତି ଯେ ୨୦ ତାରିଖ ସୁଦ୍ଧା ଜନସାଧାରଣ ଏନେଇ ଉପଜିଲ୍ଲାପାଳଙ୍କୁ ନିଜର ମତାମତ ଦେବେ । ମତାମତ ଆଧାରରେ ତାରିଖ ଘୋଷଣା କରାଯିବ । ତେବେ ବୈଠକରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ମନ୍ଦିର ଖୋଲିବା ସମୟ ଡିସେମ୍ବର ଶେଷ ସପ୍ତାହ ହୋଇପାରେ । ବୈଠକରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ କୁମାର ଦାସପଟ୍ଟନାୟକ, ଉପଖଣ୍ଡ ପୁଲିସ ଅଧିକାରୀ ସୁଶୀଲ କୁମାର ମିଶ୍ର ଓ ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ମଡ, ମନ୍ଦିରର ପରିଚାଳନା କମିଟିର ପ୍ରତିନିଧି ଯୋଗ ଦେଇଥିଲେ । ସମସ୍ତେ କରୋନା କଟକଣା ମଧ୍ୟରେ ମଠ ମନ୍ଦିର ଖୋଲିବାକୁ ମତ ଦେଇଥିଲେ । ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ବୈଠକର ଉଦେ୍ଦଶ୍ୟ ସମ୍ପର୍କରେ ସୂଚନା ଦେଇ ସବୁ ମନ୍ଦିରରେ ଥର୍ମାଲ୍ ସ୍କାନିଂ, ସାନିଟାଇଜର ଆଦି ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା, ବେଗୁନିଆ, ଚିଲିକା ଆଦି ତହସିଲର ତହସିଲଦାର, ଥାନାର ଭାରପ୍ରାପ୍ତ ଅଧିକାରୀ, ଖୋର୍ଦ୍ଧା ପୌର ପରିଷଦର ନିର୍ବାହୀ ଅଧିକାରୀ, ଗୁରୁଜଙ୍ଗ ଧବଳେଶ୍ୱର ମନ୍ଦିର ପରିଚାଳନା କମିଟି, ଅଟ୍ରି ହଟକେଶ୍ୱର ମନ୍ଦିର, ବାଣପୁର ଭଗବତୀ ପୀଠ, ଉଗ୍ରତାରା ମନ୍ଦିର ଆଦିର କମିଟି ପ୍ରତିନିଧି ଯୋଗ ଦେଇଥିଲେ ।
Follow Us