ପିଆରଏମ ମେଡିକାଲ୍‌ରେ ଥମୁନି ଛାତ୍ର ଅଶାନ୍ତି; ଛାତ୍ର କର୍ମଚାରୀ ସଂଘର୍ଷ, ଛାତ୍ର ସଂସଦ ସଭାପତି ଆହତ

ଭଙ୍ଗାରୁଜା, ଡିନ୍‌ ମନମାନୀ କରୁଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଘଟଣାସ୍ଥଳରେ ପୁଲିସ୍‌ ମୃତୟନ

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଓଟିରେ ଲାଗିଲା ନିଆଁ

ବାରିପଦା: ସ୍ଥାନୀୟ ରଙ୍ଗାମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ‌ରେ ଛାତ୍ର ଅଶାନ୍ତି ଥମିବାର ନା ନେଉନାହିଁ। ଗତକାଲି ମେଡିକାଲ୍‌ କଲେଜ୍‌ରେ ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ହୋଇଥିବା ଆନ୍ଦୋଳନ ଓ ବିକ୍ଷୋଭ ତାତି ଆଜି ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ଗତକାଲିର ଘଟଣାକୁ ନେଇ କଲେଜ୍‌ର କିଛି କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ସହିତ ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା।

ଛାତ୍ରଛାତ୍ରୀଙ୍କ ଅଭ‌ିଯୋଗ ଅନୁସାରେ ସେମାନେ କଲେଜ୍‌ର ବିଭିନ୍ନ ସମସ୍ୟାକୁ ନେଇ ଡିନ୍‌ଙ୍କ ସହିତ ଆଲୋଚନା କରିବାକୁ ଯାଇଥିବାବେଳେ କିଛି କର୍ମଚାରୀ କଲେଜ୍‌ ପରିସରକୁ ଅଣଛାତ୍ର ଏବଂ ବାହାର ଲୋକଙ୍କୁ ଆଣି ସେମାନଙ୍କୁ ଆକ୍ରମଣ କରିଥିଲେ। ସେହିପରି ଡିନ୍‌ଙ୍କ କାର୍ଯ୍ୟାଳୟ ପାଖ କର୍ମଚାରୀ କୋଠରୀକୁ କର୍ମଚାରୀମାନେ ହିଁ ଭଙ୍ଗାରୁଜା କରିଥିଲେ। ଫଳରେ କଲେଜ୍‌ ଛାତ୍ର ସଂସଦ ସଭାପତି ଅରବିନ୍ଦ ପ୍ରସାଦଙ୍କ ସମେତ ଏକାଧିକ ଛାତ୍ର ଆହତ ହୋଇଛନ୍ତି।

ଏହି ଘଟଣାରେ କିଛି କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ବାରିପଦା ସଦର ଏସ୍‌ଡିପିଓ କେ କେ ହରିପ୍ରସାଦଙ୍କ ସମେତ ସଦର ଥାନା ଆଇଆଇସି ପ୍ରେମଦା ନାୟକ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କଲେଜ୍‌ ପରିସରରେ ପୁଲିସ୍‌ ଫୋର୍ସ ମୃତୟନ କରାଯାଇଛି। ଏନେଇ ପିଆରଏମ୍‌ ଡିନ୍‌ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟଯେ କଲେଜ୍‌ କ୍ୟାମ୍ପସ୍‌, ଛାତ୍ରାବାସରେ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ କରି ଏଠାରେ ଅଧ୍ୟୟନରତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଗତକାଲି ଡିନ୍‌ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ।

publive-image

ନବାଗତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍‌ ରୁମ ପ୍ରଦାନ ନେଇ ଅସ‌ନ୍ତୋଷ

ବାରିପଦା: ଆଜି ପିଆରଏମ୍‌ ମେଡିକାଲ୍‌ କଲେଜକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ନାମ ଲେଖାଇଥିବା ଛାତ୍ରଛାତ୍ରୀ ରହିବାକୁ ଆସିଥିଲେ। କଲେଜ୍‌ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ଛାତ୍ରଛାତ୍ରୀମାନ‌େ ନିଜ ନିଜର ଆବଶ୍ୟକ ସରଞ୍ଜାମ ଧରି ଆସିଥିଲେ। ମାତ୍ର କଲେଜ୍‌ କର୍ତ୍ତୃପକ୍ଷ କିନ୍ତୁ ସେମାନଙ୍କୁ ହଷ୍ଟେଲ୍‌ ସୁବିଧା ପ୍ରଦାନ ପରିବର୍ତ୍ତେ ଅନ୍ୟ ଦିନ ଆସିବାକୁ କହିଥିଲେ। ଫଳରେ କଲେଜ୍‌ ପରିସରରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ତେବେ ବିଷୟକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବାକୁ ଅଭିଭାବକମାନେ କହିବାକୁ କଲେଜ୍‌ କର୍ତ୍ତୃପକ୍ଷ ଗୋଟିଏ ଗୋଟିଏ ରୁମ୍‌ରେ ୪ଜଣ ଅନ୍ତେବାସୀ ରହିବାକୁ କହିଥିଲେ। ତେବେ ବହୁ ଦୂରଦୂରାନ୍ତରରୁ ଆସିଥିବା ଛାତ୍ରଛାତ୍ରୀମାନେ ଅଗତ୍ୟା ଏହି ସର୍ତ୍ତରେ ରାଜି ହୋଇ ରହିଥିଲେ। ତେବେ ନିୟମ ମୁତାବକ ଗୋଟିଏ ରୁମ୍‌ରେ ୨-୩ଜଣ ରହିବା କଥା। ମାତ୍ର କଲେଜ୍‌ କର୍ତ୍ତୃପକ୍ଷଙ୍କ ମନମାନୀ କାରଣରୁ ଛାତ୍ରଛାତ୍ରୀମାନେ ହଇରାଣ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe