କଲେଜ ଜାଗା ଜବରଦଖଲରୁ ଉତ୍ତେଜନା, ପୁଲିସ ଉପସ୍ଥିତିରେ ଘେରାଗଲା ତାରବାଡ

Advertisment
କଲେଜ ଜାଗା ଜବରଦଖଲରୁ ଉତ୍ତେଜନା, ପୁଲିସ ଉପସ୍ଥିତିରେ ଘେରାଗଲା ତାରବାଡ

ରାଉରକେଲା : ସେକ୍ଟର-୧୯ ହମିରପୁରସ୍ଥିତ କଲ୍ୟାଣୀ ରାୟ କଲେଜରେ ଜାଗା ଜବରଦଖଲରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସର ବରିଷ୍ଠ ଅଧିକାରୀ, ଆର୍‌ଏସ୍‌ପି ଅଧିକାରୀ ପହଞ୍ଚି ଉତ୍ତେଜିତ ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ପୁଲିସ ଉପସ୍ଥିତିରେ କଲେଜ ଜାଗା ଚିହ୍ନଟ କରି ତାର ବାଡ ଘେରାଇ ଯାଇଥିଲା। କିଛି ଲୋକ ସେମାନଙ୍କ ଜାଗା ବୋଲି ଅଡି ବସିଥିବାରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

publive-image

ମିଳିଥିବା ସୂଚନା ମୁତାବକ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରୁ ଲିଜ୍‌ ଆକାରରେ ଅଣାଯାଇଥିବା ୩ ଏକର ଜମିରେ କଲ୍ୟାଣୀ ରାୟ କଲେଜ ପ୍ରତିଷ୍ଠା କରାଯାଇଛି। ୩ ଏକର ଜମିରୁ ପ୍ରାୟ ୧ ଏକରରୁ ଅଧିକ ଜମି କଲେଜ ବିଲ୍‌ଡିଂ, ଅଫିସ୍‌ ଇତ୍ୟାଦି ରହିଛି। ଅବଶିଷ୍ଟ ଜାଗା ଖାଲି ପଡିଛି। ଏଥିରୁ ପ୍ରାୟ ୧ ଏକର ଜମିକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ନିଜର ବୋଲି ଦାବି କରି ଚାଷ କରୁଛନ୍ତି। କହିଛନ୍ତି, ଯେ ପର୍ଯ୍ୟନ୍ତ ଆର୍‌ଏସ୍‌ପି ଜମି ବଦଳରେ ଆମକୁ କାରଖାନାରେ ନିଯୁକ୍ତି ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଆମେ ଏହି ଜାଗା ଛାଡିବୁ ନାହିଁ।

publive-image

ଦିନକୁ ଦିନ କଲେଜ ଜମି ଜବରଦଲକାରୀଙ୍କ କବ୍‌ଜାକୁ ଚାଲି ଯାଉଥିବାରୁ କଲେଜ କର୍ତ୍ତୃପକ୍ଷ ଘେରାବନ୍ଦୀ କରିବାକୁ ପ୍ରୟାସ କରିଥିଲେ। ମାତ୍ର ସ୍ଥାନୀୟ ବାସିନ୍ଦା କଲେଜ କର୍ମଚାରୀଙ୍କୁ ତାର ବାଡ ଘେରାଇବାକୁ ଦେଇ ନଥିଲେ। ଆଜି ପୂର୍ବାହ୍ନରେ ଆର୍‌ଏସ୍‌ପି ଲ୍ୟାଣ୍ଡ ବିଭାଗର କିଛି ଅଧିକାରୀ ପହଞ୍ଚି ଜାଗାର ମାପଚୁପ୍‌ ଆରମ୍ଭ କରିଥିଲେ। ଜାଗା ମାପଚୁପ ହେଉଥିବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ଲୋକ ପହଞ୍ଚି ପ୍ରତିବାଦ କରିଥିଲେ। ମାପଚୁପ୍‌ କରିବାକୁ ଦେଇ ନଥିଲେ। ଫଳରେ ଆର୍‌ଏସ୍‌ପି ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଡିଏସ୍‌ପି ଜ୍ୟୋର୍ତିମୟ ଭୁକ୍ତାଙ୍କ ନେତୃତ୍ବରେ ଝିରପାଣି ଥାନା ଅଧିକାରୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe